ଚାଷୀ ପରିବାରର ଆୟ ମାସକୁ ୧୪୦୭

ଭୁବନେଶ୍ୱର: କେବଳ ଚାଷରୁ ଓଡ଼ିଶା ଚାଷୀ ପରିବାରର ହାରାହାରି ମାସିକ ଆୟ ମାତ୍ର ୧୪୦୭ ଟଙ୍କା। କେବଳ ପଶ୍ଚିମବଙ୍ଗକୁ ବାଦ୍‌ ଦେଲେ ଅନ୍ୟ ରାଜ୍ୟଗୁଡ଼ିକରେ ଏହି ପରିମାଣ ଢେର୍‌ ଅଧିକ। ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ତଥ୍ୟରୁ ଏପରି ସୂଚନା ମିଳିଛି। ଜାତୀୟ ନମୁନା ସର୍ଭେର ରିପୋର୍ଟ ଅନୁଯାୟୀ ୨୦୧୨-୧୩ କୃଷି ବର୍ଷରେ ଓଡ଼ିଶା କୃଷକ ପରିବାରର ମାସିକ ହାରାହାରି ଆୟ କେବଳ ଚାଷରୁ ୧୪୦୭ ଟଙ୍କା ଥିଲା ବେଳେ ପଞ୍ଜାବରେ ଏହି ପରିମାଣ ରହିଛି ୧୦,୮୬୨ ଟଙ୍କା। ହରିଆନାରେ ଏହା ୭,୮୬୭ ଟଙ୍କା, କର୍ଣ୍ଣାଟକରେ ୪,୯୩୦, ଛତିଶଗଡ଼ରେ ୩,୩୪୭, ମହାରାଷ୍ଟ୍ରରେ ୩,୮୫୬, କେରଳରେ ୩,୫୩୧, ରାଜସ୍ଥାନରେ ୩,୧୩୮ ଓ ଆସାମରେ ୪,୨୧୧ ଟଙ୍କା ରହିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କୃଷି ସମେତ ଅନ୍ୟାନ୍ୟ ସୂତ୍ରକୁ ମିଶାଇ ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ପରିମାଣ ୪,୯୭୬ ଟଙ୍କା ହୋଇଥିବା ବେଳେ ପଞ୍ଜାବରେ ଏହା ୧୮,୦୫୯ ଟଙ୍କା ରହିଛି। ହରିଆନାରେ ଚାଷୀ ପରିବାରର ସାମଗ୍ରିକ ମାସିକ ହାରାହାରି ଆୟ ପରିମାଣ ୧୪,୪୩୪ ଟଙ୍କା ଥିଲା ବେଳେ କେରଳରେ ୧୧,୮୮୮, କର୍ଣ୍ଣାଟକରେ ୮,୮୩୨, ମହାରାଷ୍ଟ୍ରରେ ୭,୩୮୬, ରାଜସ୍ଥାନରେ ୭,୩୫୦, ଗୁଜୁରାଟରେ ୭,୯୨୬ ଟଙ୍କା ରହିଛି। ଉତ୍ତରପ୍ରଦେଶ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଚାଷୀ ପରିବାରଙ୍କ ମାସିକ ହାରାହାରି ସାମଗ୍ରିକ ଆୟ ପରିମାଣ ଓଡ଼ିଶା ଅପେକ୍ଷା ଢେର୍‌ ଅଧିକ।

ସମ୍ବନ୍ଧିତ ଖବର