ତାତୁଛି ଚାଷୀ ରାଜନୀତି : ସମାଧାନ ହେଉନି, କଳି ବଢ଼ୁଛି

୭୨ ଘଣ୍ଟା ମହଲତ ଦେଲା ବିଜେପି, ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ବିଜେଡି

ଦଲାଲଙ୍କ ପାଇଁ ଲଢ଼ୁଛି ବିଜେପି: ଶ୍ରୀମୟୀ
ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ନିରବ

ଭୁବନେଶ୍ବର : ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ସହିତ ଆଲୋଚନା ପରେ ଧାନ କିଣା ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ୭୨ ଘଣ୍ଟାର ମହଲତ ଦେଇଛି ରାଜ୍ୟ ବିଜେପି। ମଣ୍ଡିରେ ଧାନ ଉଠାଣ ସମସ୍ୟା ପ୍ରସଙ୍ଗରେ ଗତକାଲିଠାରୁ ବିଜେପି ନେତାମାନେ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇ ରହିଥିଲେ। ଆଜି ଅଧିକ ସଂଖ୍ୟାରେ ଏକାଠି ହୋଇ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଠେଲାପେଲା ହୋଇଥିଲା। ପରେ ଅପରାହ୍ନରେ ଏକ ପ୍ରତିନିଧି ଦଳ ଆର୍‌ଡିସିଙ୍କ ସହିତ ବିଶଦ ଆଲୋଚନା କରିଥିଲେ।

ଏପଟେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କିଛି ଦିନ ବ୍ୟବଧାନରେ ଗୋଟିଏ ଲେଖାଏ ଟ୍ବିଟ୍ କରି କେତେ ଧାନ କିଣାଗଲା, ସେ ତଥ୍ୟ ଦେଉଛନ୍ତି। ହେଲେ ଏ ନେଇ ସାଧାରଣରେ ଯେଉଁ ଅସନ୍ତୋଷ ଉଠୁଛି, ବାଜ୍ୟାପ୍ତି ଟୋକନ୍ ପୁଣି କାର୍ଯ୍ୟକ୍ଷମ ହେବ ନା ନାହିଁ, କୋଟା ବଢ଼ିବ ନା ନାହିଁ, ଏସବୁ ପ୍ରସଙ୍ଗର ସମାଧାନ ନେଇ କୌଣସି ଠୋସ୍ ନିଷ୍ପତ୍ତି ଶୁଣାଇନାହାନ୍ତି।

ଏସବୁ ଭିତରେ କିନ୍ତୁ ଚାଷୀମାନଙ୍କ ମଧ୍ୟରେ ଧାନ କିଣା ପ୍ରସଙ୍ଗକୁ ନେଇ ଯେତିକି ଅସନ୍ତୋଷ ବଢୁଛି, ରାଜ୍ୟ ରାଜନୀତିରେ ଏହାର ଅନୁରୂପ ପ୍ରଭାବ ପଡୁଛି। ଧାନ କିଣାକୁ ନେଇ ବିଜେଡି-ବିଜେପି ମଧ୍ୟରେ ବିବୃତି ଯୁଦ୍ଧ ଓ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ ଏବଂ ଧମକ ଜାରି ରହିଛି। ବିଜେପି ନେତାମାନେ ଆର୍‌ଡିସିଙ୍କ ସହିତ ଆଲୋଚନାକୁ ଗୋଟିଏ ପଟେ ସକାରାତ୍ମକ ବୋଲି କହୁଥିଲେ ହେଁ, ଅନ୍ୟପଟରେ ସରକାରଙ୍କ ଧାନ କିଣା ବିରୋଧରେ ଆଜି ବିଷୋଦ୍‌ଗାର କରିବାକୁ ଭୁଲିନାହାନ୍ତି। ଦଳ ରାଜ୍ୟ ସରକାରଙ୍କୁ ୭୨ ଘଣ୍ଟା ସମୟ ଦେଇ ପରୋକ୍ଷରେ ଧମକାଇଛି ଏହି ସମୟ ଭିତରେ ଯଦି ଧାନ କିଣା ସମସ୍ୟାରେ ସମାଧାନ ନହୁଏ, ସବୁ ଧାନ ନ ଉଠେ, ବିଜେପି ଯେତେ ସବୁ ପ୍ରସଙ୍ଗ ଉଠାଇଛି, ତାହାକୁ ସରକାର ପୂରଣ ନ କରନ୍ତି, ତେବେ ଦଳ ନିର୍ଣ୍ଣାୟକ େମାଡ଼ ପର୍ଯ୍ୟନ୍ତ ଯିବ। ଆଉ ଥରେ ସଭା କରି କି ପଦକ୍ଷେପ ନେବ, ତାହା ସ୍ଥିର କରିବ।

ବିଜେପିର ଏହି ଆଭିମୁଖ୍ୟ ଉପରେ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖିନଥିଲେ ହେଁ, ବିଜେଡି କିନ୍ତୁ ଏହାକୁ ହଜମ କରିବା ସ୍ଥିତିରେ ନାହିଁ। ଆଜି ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବା ବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ଓଡିଶା ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି। ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି। ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବା ବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି।

ପରିସଂଖ୍ୟାନ ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ହୋଇଥିଲା। ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା। ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ଲକ୍ଷ ମେଟ୍ରିକ ଟନ୍‍ ଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଥିଲା। ଏହା ହିଁ ସୂଚାଇ ଦେଉଛି ଯେ ଓଡିଶାର ଚାଷୀ କେତେ ଉପକୃତ ହେଉଛନ୍ତି। ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଅଖା ଧାନକୁ ମଧ୍ୟ ସଂଗ୍ରହ କରିବାପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଜେଡି କହିଛି।

ବିଜେଡି ମୁଖପାତ୍ର କହିଛନ୍ତି ଯେ, ଦିଲ୍ଲୀରେ କୃଷକମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଚଳାଉଥିବା ପ୍ରଦର୍ଶନରୁ ନଜର ହଟାଇବାପାଇଁ ଓଡିଶା ବିଜେପି ଏଭଳି ଡ୍ରାମା କରୁଛି। ଓଡିଶାବାସୀ ଏକଥା ଭଲଭାବେ ବୁଝି ସାରିଲେଣି। ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି। ହେଲେ ବିଜେପି ସାଂସଦମାନେ ଓଡିଶା ପାଇଁ କରିଛନ୍ତି କ’ଣ? ଶସ୍ତା ରାଜନୀତି ନ କରି ଓଡିଶା ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ଭଳି ସେମାନେ ପଦକ୍ଷେପ ନେବା ଉଚିତ୍‍ ବୋଲି ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି। ଗତବର୍ଷ ତୁଳନାରେ ଏବର୍ଷ ଅଧିକ ଧାନ କିଣାଯାଇଥିଲେ ହେଁ, କିଛି ଜିଲ୍ଲାରେ ଦେଖାଦେଇଥିବା ଟୋକନ୍ ସମସ୍ୟା ଓ ପ୍ରଚୁର ଉତ୍ପାଦନ ହୋଇଥିବା ଯୋଗୁଁ କୋଟା ସରିଯିବା କାରଣରୁ ଚାଷୀ ମହଲରେ ଅସନ୍ତୋଷ ବଢ଼ିଛି।

ସମ୍ବନ୍ଧିତ ଖବର