ବାଲେଶ୍ୱର/ଭୁବନେଶ୍ୱର: ରାଜ୍ୟରେ ଚାଷୀ ଦୁର୍ଦିନରେ ଅଛନ୍ତି। ଏମିତି ସମୟରେ ପାରାଦୀପ-ହଳଦିଆ ପାଇପ ଲାଇନ୍ ବିଛା ପ୍ରକଳ୍ପ ଏବେ ସେମାନଙ୍କ ସ୍ଥିତିକୁ ଅଧିକ ସଙ୍ଗିନ କରିଦେଇଥିବା ଅଭିଯୋଗ ହୋଇଛି। କିଛି ଜମି ମାଲିକ ଏ ସଂପର୍କରେ ସାଂଘାତିକ ଅଭିଯୋଗ କରିବା ଆରମ୍ଭ କଲେଣି। ଗୋଟିଏ ପଟେ କର୍ତ୍ତୃପକ୍ଷ ବିନା ପଲ୍ଲୀ ସଭାରେ ଅନେକ ଲୋକଙ୍କ ଜମି ଉପରେ ପାଇପ୍ ବିଛାଉଥିବା ବେଳେ ଅନ୍ୟପଟରେ ଜମି ମାଲିକଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ। କେବଳ ସେତିକି ନୁହେଁ, ପାଇପ ଲାଇନ୍ ବିଛାଇବା ଉଦ୍ଦେଶ୍ୟରେ ଜମି ଖୋଳି ଦିଆଯିବା ପରେ ଜମିଟି ଏକ ପ୍ରକାର ନଷ୍ଟ ହୋଇ ଆଉ ଚାଷୋପଯୋଗୀ ହୋଇ ରହୁନାହିଁ। ସେହିପରି ସଂପୃକ୍ତ ଜମି ମାଲିକଙ୍କ ଠାରୁ ଜମିଟି ସମ୍ପୂର୍ଣ୍ଣ କିଣି ନିଆଯିବ ଓ ୩ ଗୁଣା ମୂଲ୍ୟ ପ୍ରଦାନ କରାଯିବ ବୋଲି ଦିଆଯାଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି।
ଅଭିଯୋଗ ଅନୁସାରେ, ଏହି ପାଇପ ଲାଇନ୍ ବିଛାଇବା ପାଇଁ ଅଳ୍ପ କିଛି ଜମି ନେବା କଥା କୁହାଯାଇଥିଲା। ଏବେ କିନ୍ତୁ ଡିଜେଲ, ଗ୍ୟାସ,କିରାସିନି ପାଇଁ ଜମି ମାଲିକଙ୍କ ଅଗୋଚରରେ ବି ଜମି ଦଖଲ ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ଠାରୁ ଲେଖାଇ ନିଆଯାଇଥିଲା ଯେ ଜମିର ପ୍ରକୃତ ମାଲିକାନା ବଦଳିବ ନାହିଁ ଓ ପ୍ରକୃତ ମାଲିକ ଚାଷ କରିପାରିବେ। ହେଲେ ଘର କରିପାରିବେ ନାହିଁ କିମ୍ବା ବଡ଼ ଗଛ ଲଗାଇ ପାରିବେ ନାହିଁ। ହେଲେ ଏହି ଜମିକୁ ଥରେ ଖୋଳି ଦିଆଯିବା ପରେ ପୂର୍ବ ସ୍ଥିତିକୁ ଆଉ ଫେରିପାରୁନାହିଁ। ଏଣୁ ଫସଲ ସମ୍ଭବ ହେଉନାହିଁ। ସେପଟେ କ୍ଷତିପୂରଣ ଦେବା ବେଳେ ଜମିର ମୂଲ୍ୟ କମାଇ ଦିଆଯିବା ଭଳି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଉଠିଛି। ଏ ନେଇ ଜମି ମାଲିକମାନେ ବାରମ୍ବାର ଅସନ୍ତୋଷ ପ୍ରକଟ କରୁଥିଲେ ହେଁ, ସେମାନଙ୍କ ଅଭିଯୋଗ ପ୍ରତି କାହାର ନିଘା ନାହିଁ। ନା ଭାରତୀୟ ତୈଳ ନିଗମ ଏହାକୁ ଗୁରୁତ୍ୱ ଦେଉଛନ୍ତି ନା ରାଜ୍ୟ ସରକାର।
ପାରଦୀପ-ହଳଦିଆ ଏଲ୍ପିଜି ପାଇପ୍ ଲାଇନ୍ ବିଛା ସରିଲାଣି
କ୍ଷତିଗ୍ରସ୍ତଙ୍କୁ ଏଯାଏଁ ମିଳିନି ସମ୍ପୂର୍ଣ୍ଣ କ୍ଷତିପୂରଣ
ଉଲ୍ଲେଖଯୋଗ୍ୟ, ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍ ଲାଇନ୍ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଇତିମଧ୍ୟରେ ୨୧୮ କିଲୋମିଟରର ପାଇପ୍ ଲାଇନ୍ ବିଛା ସରିଲାଣି। କିଛି ଦିନ ତଳେ ଏହି ପ୍ରକଳ୍ପର ଉଦ୍ଘାଟନ କରିଥିଲେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାତ୍ର ଯେଉଁମାନଙ୍କ ଜମିରେ ଏହି ପାଇପଲାଇନ୍ ବିଛାଯାଉଛି, ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହୋଇଛି। ୧୯୬୨ ଆଇନ୍ ଅନୁସାରେ ଆଇଓସିଏଲ୍ ପକ୍ଷରୁ ଯେଉଁ କ୍ଷତିପୂରଣ ଦିଆଯାଇଛି, ତାହାକୁ ନେଇ ଅଧିକାଂଶ ଜମି ମାଲିକ ଅସନ୍ତୁଷ୍ଟ। ୨୧୮ କିମିର ଏହି ପାଇପଲାଇନ୍ ପାଇଁ ୩ଟି ଜିଲ୍ଲାର ୨୪୮ ଗାଁ ପ୍ରଭାବିତ ହୋଇଥିବାବେଳେ ଅଧିକାଂଶ ଜମି ମାଲିକଙ୍କୁ ନାଁକୁ ମାତ୍ର କ୍ଷତିପୂରଣ ଦେଇ କମ୍ପାନି କର୍ତୃପକ୍ଷ ଭୁଆଁ ବୁଲାଇ ଦେଇଥିବା ଅଭିଯୋଗ ଜୋର ଧରିଲାଣି। ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏ ପ୍ରକଳ୍ପ ଅଧୀନରେ ୨୦୧୮ ମାର୍ଚ୍ଚ ସୁଦ୍ଧା ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲର ବାଗଧଡ଼ାସ ପର୍ଯ୍ୟନ୍ତ ଏଲପିଜି ପାଇପ୍ ଲାଇନ୍ ବିଛା ସରିଛି। ଏଥିରେ କୌଣସି ବ୍ୟକ୍ତିଙ୍କର ଜମି ଅଧିଗ୍ରହଣ ହୋଇନଥିବା ବେଳେ, ପେଟ୍ରୋଲିୟମ୍ ଓ ମିନେରାଲ୍ସ ପାଇପ୍ ଲାଇନ୍ ଆଇନ୍ ୧୯୬୨ର ବ୍ୟବହାର ଅଧିକାର ଅନୁସାରେ ଏ ସବୁ ଜମିରେ ପାଇପ୍ ଲାଇନ୍ ବିଛା ସରିଛି। ଯେଉଁ ଲୋକଙ୍କ ଜମିରେ ପାଇପ୍ ଲାଇନ୍ ବିଛାଯାଇଛି ସେମାନଙ୍କୁ ୧୯୬୨ ଆଇନ୍ ଅନୁସାରେ ଆଇଓସିଏଲ୍ ପକ୍ଷରୁ କ୍ଷତିପୂରଣ ଦିଆଯାଇଥିବା କର୍ପୋରେସନର କମ୍ପିଟାଣ୍ଟ ଅଥରିଟି ବିଷ୍ଣୁମୋହନ ଭଞ୍ଜ ସୂଚନା ଦେଇଛନ୍ତି। ଶ୍ରୀ ଭଞ୍ଜ କହିଛନ୍ତି, ସମସ୍ତଙ୍କଠାରୁ ୧୮ ମିଟରର ଜମି ନିଆଯାଇଥିବା ବେଳେ, ପାଞ୍ଚଫୁଟ୍ ତଳକୁ ଖୋଳାଯାଇ ପାଇପ୍ ବିଛାଯାଇଛି। ଏହି ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରାପଡ଼ାର କୁଜଙ୍ଗ ତହସିଲଠାରୁ ଆରମ୍ଭ କରି, ଭଦ୍ରକ ଓ ବାଲେଶ୍ୱରର ମୋଟ୍ ୧୬ ତହସିଲର ୧୭ ହଜାର ୩୫୨ ଜମି ମାଲିକଙ୍କୁ ଚେକ୍ ବଣ୍ଟନ କରାଯାଇଛି। ତେବେ ଏବେବି ହଜାରେରୁ ଅଧିକ କ୍ଷତିଗ୍ରସ୍ତଙ୍କୁ ତାଙ୍କ ଅନୁପସ୍ଥିତି ଓ କିଛିସ୍ଥାନରେ ବିବାଦ କାରଣରୁ ସେମାନଙ୍କୁ ଅର୍ଥପ୍ରଦାନ କରାଯାଇପାରିନଥିବା ସେ ସ୍ୱୀକାର କରିଛନ୍ତି। ମୋଟ୍ ଅଧିଗ୍ରହଣର ୪ ପ୍ରତିଶତ ଲୋକଙ୍କୁ ଚେକ୍ ପ୍ରଦାନ କରାଯାଇ ନଥିବା କହିଛନ୍ତି।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ୮ଟି ତହସିଲ୍ ମଧ୍ୟରୁ ସୋରର ଗୋଟିଏ, ବାହାନଗାର ୧୯, ରେମୁଣାର ୭, ବାଲେଶ୍ୱରର ୪୬, ବସ୍ତାର ୨୭, ବାଲିଆପାଳର ୬, ଜଳେଶ୍ୱରର ୧୦ ଓ ଭୋଗରାଇର ୧୯ଟି ଗାଁ ଦେଇ ଏହି ପାଇପ୍ ଲାଇନ୍ ଯାଇଛି। ଯେଉଁଥିରେ ହଜାର ହଜାର ଲୋକଙ୍କର ଜମି କ୍ଷତିଗ୍ରସ୍ତ ହୋଇଛି। ତେବେ ସେମାନଙ୍କୁ ସେମାନଙ୍କର ଚାଷ ଅନୁପାତରେ ଭିନ୍ନ ଭିନ୍ନ କିସମ ଅନୁସାରେ କର୍ପୋରେସନ୍ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା କର୍ତ୍ତୃପକ୍ଷ କହୁଛନ୍ତି। କେଉଁ କେଉଁ ସମୟରେ ସେମାନେ କି ପ୍ରକାର ଚାଷ କରନ୍ତି ତାର ତାଲିକା ହିତାଧିକାରୀମାନେ ପ୍ରଦାନ କରିବା ପରେ ଏହାର ସବିଶେଷ ମୂୂଲ୍ୟ କୃଷି ଓ ଉଦ୍ୟାନ କୃଷି ବିଭାଗଠାରୁ ଆଇଓସିଏଲ୍ ଆଣିଥାଏ। ପରେ ରେଗୁଲେସନ୍ ଅଫ୍ ମାର୍କେଟ କମିଟି ବଜାର ଦର ପ୍ରଦାନ କରିବା ପରେ ସେହି ଅନୁୁପାତରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିଥାଏ। ସମତଳ ହେବା ପରେ ଜମି ଉପରେ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ସେମାନଙ୍କୁ ଡେସିମିଲ୍ ପ୍ରତି ଅଧିକ ୫୦ ଟଙ୍କା ଦିଆଯାଉଥିବା ଅଧିକାରୀମାନଙ୍କ ଠାରୁ ପ୍ରକାଶ। କଂପାନି ଦାବି କରିଛି, ଯେଉଁଠି ବିଦ୍ୟୁତ ଖୁଣ୍ଟ ନିର୍ମାଣ କରାଯାଇଛି ପ୍ରତି ଖୁଣ୍ଟ ପିଛା ୩ ହଜାର ଅଧିକ ଟଙ୍କା ଦିଆଯାଇଛି। ହେଲେ ଥରେ ଟେଷ୍ଟିଂ ସାରି ସମତଳ ହେବା ପରେ ଜମି ମାଲିକମାନେ ସେଥିରେ ଚାଷ କରିପାରିବେ ବୋଲି ଯଦିଓ କୁହାଯାଉଛି, ବାସ୍ତବରେ କିନ୍ତୁ ଖୁବ୍ କମ୍ ଲୋକ ପାଇପ୍ ଲାଇନ୍ ଯାଉଥିବା ସ୍ଥାନ ଉପରେ ଚାଷ କରିପାରୁଛନ୍ତି। ବଡ଼କଥା ହେଲା ପୂର୍ବରୁ ୨୦୦୫ରେ ଅଶୋଧିତ ତୈଳ ପରିବହନ ପାଇଁ ପାରାଦୀପରୁ ଯେଉଁ ପାଇପ୍ ଲାଇନ୍ ବିଛାଯାଇଥିଲା ତା ପାଖ ଦେଇ ନୂଆ ପାଇପ୍ ଲାଇନ୍ ବିଛାଯାଇଛି। ଉଭୟ ପାଇପ୍ ଲାଇନ୍ ମଧ୍ୟରେ ୬ ଫୁଟର ଦୂରତା ରହିଛି। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଚାନ୍ଦିପୁର ରୋଡ୍ ସ୍ଥିତ ସାରଗାଁରେ ଆଇଓସିଏଲର କଣ୍ଟ୍ରୋଲିଂ ୟୁନିଟ୍ ପାଇଁ ୩୦ ଜଣଙ୍କର ୧୬ ଏକର ୨୮୫ ଡେସିମିଲ୍ ଜମି ଅଧିଗ୍ରହଣ କରାଯାଇଥିଲା। ଏମାନଙ୍କୁ ଗତ ବର୍ଷ ଶେଷ ସୁଦ୍ଧା ସମସ୍ତ କ୍ଷତିପୂରଣ ପ୍ରଦାନ କରାଯାଇଛି। ଯେଉଁମାନେ ଅଭିଯୋଗ କରିଥିଲେ ସେମାନଙ୍କ ଅଭିଯୋଗପତ୍ରକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇ ଦେଇଥିଲେ ତତ୍କାଳୀନ ଭୂଅର୍ଜନ ଅଧିକାରୀ। ତେବେ ପାଇପ୍ ଲାଇନ ନିଜ ଜମିରେ ଯାଇଥିବା ବେଳେ କ୍ଷତିପୂରଣ ମିଳିନଥିବାରୁ ୨୦୧୬ରେ ଏକ ସିଭିଲ୍ ମକଦ୍ଦମା ଦାୟର କରିଥିଲେ ବାଲେଶ୍ୱର ସୁନହଟର ନବକୁମାର ରାୟ। ୪୨୨/୨୦୧୬ରେ ମାମଲା କୋର୍ଟରେ ହୋଇଥିଲା। ପରବର୍ତ୍ତୀ ସମୟରେ ସିଭିଲ୍ ଜଜ୍ ଜୁନିୟରଙ୍କ କୋର୍ଟରେ ମାମଲାର ଆପୋଷ ସମାଧାନ ହୋଇଥିଲା।