ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ସଙ୍କୁଲେଇ ପଞ୍ଚାୟତ ପଦାମାଲ ଗ୍ରାମର ନବୀନ ମହାକୁଡ଼ଙ୍କ ନିକଟକୁ ଖରିଫ ଧାନ ବିକ୍ରି କରିବା ପାଇଁ ମୋବାଇଲ୍‌ ନମ୍ବରକୁ ଅନ୍‌ଲାଇନ୍‌ ମେସେଜ୍‌ ଗତ ଡିସେମ୍ବର ୨ତାରିଖରେ ଆସିଥିଲା। ଟୋକନ୍‌ ନଂ ୧୯୧ରେ ଫେବ୍ରୁଆରି ୧ତାରିଖ ଦିନ ୭୦ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ମେସେଜ୍‌ ଆସିଥିଲା। ଫଳରେ ସେ ପୁଅର ବାର୍ଷିକ ଫିସ୍‌ ଦାଖଲ ଆଶାରେ ଜାନୁଆରି ୩୧ ତାରିଖରେ ସଙ୍କୁଲେଇ ସେବା ସମବାୟ ସମିତିର ଦାୟିତ୍ବରେ ଥିବା ସମ୍ପାଦକଙ୍କୁ ଭେଟି ଟୋକାନ୍‌ ରସିଦ୍‌ ମାଗିଥିଲେ। ହେଲେ ସମ୍ପାଦକ ସଞ୍ଜୟ ଗାଇଗରିଆ ତାଙ୍କୁ ଏବେ ରସିଦ୍‌ ଦେଇହେବ ନାହିଁ କହି ଫେରାଇ ଦେଇଥିଲେ।

Advertisment

ଅନ୍ୟପଟେ ନବୀନ ମେସେଜ୍‌କୁ ଭରସା କରି ଏକ ଗାଡ଼ିରେ ୭୦ କୁଇଣ୍ଟାଲ ଧାନ ଆଣି ଛତ୍ରଙ୍ଗ ସ୍ଥିତ ମାର୍କେଟ୍‌ ୟାର୍ଡରେ ପହଞ୍ଚିଥିଲେ। କିନ୍ତୁ ଗେଟ୍‌ରେ ତାଲା ପଡ଼ିଥିବାରୁ ଗେଟ୍‌ ତଳେ ଧାନ ଅନଲୋଡ୍‌ କରି ସମ୍ପାଦକଙ୍କ ଆସିବା ସମୟକୁ ଅପେକ୍ଷା କରିଥିଲେ। ହେଲେ ଅନେକ ସମୟ ପର୍ଯ୍ୟନ୍ତ ସେ ନଆସିବାରୁ ନିଜ ପୁଅକୁ ଧାନ ଜଗାଇଥିଲେ। ପରେ ବୌଦ୍ଧ ଜିଲ୍ଲାପାଳଙ୍କୁ ନିଜ ଅସୁବିଧା ଲିଖିତ ଭାବେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ। ଏହାର ନକଲ ବୌଦ୍ଧ ସିଏସ୍‌ଓ, ଏଆରସିଏସ୍‌, ଉପଜିଲ୍ଲାପାଳ, ୫ଟି ସଚିବ, ଆରକ୍ଷୀ ଅଧୀକ୍ଷକ ବୌଦ୍ଧ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଯୋଗାଣ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଥିବା ସୂଚନା ମିଳିଛି। ସେ ବୌଦ୍ଧରୁ ଛତ୍ରଙ୍ଗ ମାର୍କେଟ୍‌ ୟାର୍ଡକୁ ଫେରି ଗେଟ୍‌ ବାହାରେ ପଡ଼ି ରହିଥିବା ଧାନବସ୍ତାକୁ ରାତିରେ ଜଗିରହିଥିବା ଦେଖିବାକୁ ମିଳିଛି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁପ୍ରସାଦ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, ସମ୍ପାଦକଙ୍କଠାରୁ ସେ ଟୋକନ୍‌ ରସିଦ୍‌ ନେଇ ଧାନ ଆଣିବା କଥା। ଯଦି ବି ସେ ଧାନ ଆଣିଛନ୍ତି ପ୍ରକୃତ ଘଟଣା କଣ ଯାଞ୍ଚ୍‌ କରି ମଙ୍ଗଳବାର ତାହାର ବ୍ୟବସ୍ଥା କରିଦେବା ବୋଲି କହିଥିଲେ।