ଚାଷୀ ରମାକାନ୍ତ ମଳିକ ଆତ୍ମହତ୍ୟା ପ୍ରସଙ୍ଗ : ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା କଂଗ୍ରେସ

ଭୁବନେଶ୍ବର : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ ବରପଦା ଗ୍ରାମପଞ୍ଚାୟତର ଚାଷୀ ରମାକାନ୍ତ ମଳିକଙ୍କ ଆତ୍ମହତ୍ୟା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କଂଗ୍ରେସର ଏକ ପ୍ରତନିଧି ମଣ୍ଡଳୀ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସ୍ବର୍ଗତଃ ମଳିକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୧୫ ଲକ୍ଷ ଟଙ୍କା ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି।

ସ୍ମାରକ ପତ୍ରରେ ସରକାର ଓ ପ୍ରଶାସନକୁ ଦାୟୀ କରି ଉଲ୍ଲେଖ କରାଯାଇଛି ଯେ, ଘଟଣାକୁ ୭ ଦିନ ବିତିଯାଇଥିଲେ ବି କୃଷିମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର କିମ୍ବା ଆର୍‌ଡିସି କେହି ବି ଏ ପର୍ଯ୍ୟନ୍ତ ସ୍ବର୍ଗତଃ ମଳିକଙ୍କ ପରିବାରକୁ ସହାୟତା ପାଇଁ ପଦକ୍ଷେପ ନେଇନାହାନ୍ତି। ଅନ୍ୟପଟେ ଚାଷୀ ରମାକାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଭିନ୍ନ ରୂପ ଦେବାକୁ ପ୍ରଶାସନ ତତ୍ପରତାର ସହ କାର୍ଯ୍ୟ କରୁଥିବା ଦଳ ଅଭିଯୋଗ କରିଛି। ରେଡକ୍ରସ୍‌ ପାଣ୍ଠିରୁ ଏଯାବତ ଟଙ୍କାଟିଏ ବି ସ୍ବର୍ଗତଃ ମଳିକଙ୍କ ପରିବାରକୁ ପ୍ରଦାନ କରାଯାଇନି। ଏପରି ଏକ ସ୍ପର୍ଶକାତର ଘଟଣାରେ ସରକାରଙ୍କ ଉଦାସୀନତା ଏବଂ ଉଭୟ ବିଜେଡି ଓ ବିଜେପି ଚୁପ୍‌ ରହିବା ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

ଏହି ପ୍ରତିନିଧି ମଣ୍ଡଳୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପିସିସି କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ, ପୂର୍ବତନ ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦାସ, କଂଗ୍ରେସ ନେତା ବିଶ୍ବଭୂଷଣ ଦାସ, ଶିଶିର କୁମାର ନାୟକ ଓ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା କନକଲତା ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର