ଭୁବନେଶ୍ବର: ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଫସଲ ଅମଳ, ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ କଟକଣାମୁକ୍ତ କରିଛନ୍ତି। ‘ଆମ କୃଷି’ ଓ ଏମ୍‌-କିଷାନ ମାଧ୍ୟମରେ କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ମାର୍ଗଦର୍ଶିକାରୁ ଚାଷୀମାନେ ଲାଭ ଉଠାଇ ପାରିବେ। ଚାଷୀମାନେ ୦୬୭୪-୬୬୬୭୧୭୧କୁ ମିସ୍ କଲ ଦେଇ ‘ଆମ କୃଷି’ ସେବାରେ ପଞ୍ଜୀକୃତ ହୋଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କହିଲେ, କୃଷି କ୍ଷେତ୍ରରେ ଭଡ଼ାସୂତ୍ରରେ ବ୍ୟବାହାର ହେଉଥିବା ଯନ୍ତ୍ରପାତିର ବ୍ୟବହାରକୁ କଟକଣାମୁକ୍ତ କରାଯାଇଛି। ରବି ଫସଲ ଯଥା ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦିର ସଂଗ୍ରହ ପାଇଁ କେନ୍ଦ୍ର ଖୋଲାଯିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଏଥିପାଇଁ ନାଫେଡର ଇ-ସମୃଦ୍ଧି ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି। କୃଷି ଉତ୍ପାଦନକାରୀ ସଂସ୍ଥା, ଗୋଦାମ ଗୃହ, ହୋଲସେଲ/ଖୁଚୁରା ‌ଦୋକାନ କିମ୍ବା ଡିଲର ପ୍ରତିଷ୍ଠାନଗୁଡ଼ିକ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ଭିତରେ ଓ ବାହାରେ ଜରୁରୀ କୃଷି ଉପକରଣ ଓ କୃଷି ଉତ୍ପାଦ ପରିବହନ କରୁଥିବା ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି। ଉତ୍ପାଦିତ କୃଷି ଦ୍ରବ୍ୟର ଅବାଧ ପରିବହନ ପାଇଁ ଉତ୍ପାଦନକାରୀ ଓ ଗାଡ଼ିଗୁଡ଼ିକ ପାଇଁ ପାସ୍‌ର କୌଣସି ଆବଶ୍ୟକତା ନାହିଁ। ବିଶେଷ ଅସୁବିଧା କ୍ଷେତ୍ରରେ ସ୍ଥାନୀୟ ଉଦ୍ୟାନବିତଙ୍କ ପରାମର୍ଶ କ୍ରମେ ପରିବା ଚାଷୀ ବିଶେଷକରି ତରଭୁଜ, ବିଲାତି ବାଇଗଣ ଓ ବାଇଗଣ ଆଦିର ବିକ୍ରୟ କରୁଥିବା ଚାଷୀ ସ୍ଥାନୀୟ ବଜାରରେ ବିକ୍ରି କରିବା ପାଇଁ ପରାମର୍ଶ ଦିଆଯାଇଛି। କୃଷି ଶ୍ରମିକଙ୍କ ସମସ୍ୟାକୁ ଏଡ଼ାଇବା ପାଇଁ ବିହନ ପ୍ରସ୍ତୁତ କରୁଥିବା ପଞ୍ଜୀକୃତ କୃଷକଙ୍କ ବ୍ୟତୀତ ଅନ୍ୟ ଚାଷୀମାନଙ୍କୁ କମ୍ବାଇନ୍‌ଡ ହାର୍ବେଷ୍ଟର ବ୍ୟବହାର କରି ଠିକ୍ ସମୟରେ ଧାନ ଅମଳ କରିବାକୁ ପରାମର୍ଶ ଦିଆଯାଇଥିବା ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି।