ଚାଷଜମିରେ ନିଆଁ ଲଗାଇ ଦେଲେ ଚାଷୀ : ନିମ୍ନମାନର କୀଟନାଶକ ଯୋଗାଣ ଯୋଗୁଁ ବାରମ୍ବାର ନଷ୍ଟ ହେଉଛି ଫସଲ 

ବରଗଡ଼ : ବରଗଡ ଜିଲ୍ଲାର କଳାପାଣି ପଞ୍ଚାୟତରେ ଦେଖବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦଶରୁ ପନ୍ଦର ଜଣ ଚାଷୀ ଏକର ଏକର ଜମିରେ ଚାଷୀ ନିଆଁ ଲଗାଇଦେଇଛନ୍ତି । ପୋକ ଲାଗି ଫସଲ ନଷ୍ଟ ହୋଇଯିବାରୁ ହତାଶ ହୋଇ ଏଭଳି ପଦକ୍ଷେପ  ନେଇଛନ୍ତି  ଚାଷୀ।

ପୋକ ଲାଗି ଫସଲ ନଷ୍ଟ ସମସ୍ୟାକୁ ନେଇ ଅକ୍ଟୋବର ୪ ତାରିଖ ଓ ଗତକାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ ଚାଷୀ । ଚାଷୀମାନେ ଅଭିଯୋଗ କରିଥିଲେ କି  ସରକାରଙ୍କ ପକ୍ଷରୁ ଯୋଗା ଯାଉଥିବା କୀଟନାଶକ ନିମ୍ନମାନର ହୋଇଥିବାରୁ ଏହାର ପ୍ରୟୋଗ ପରେ ମଧ୍ୟ ଫସଲ ପୋକଙ୍କ ଶିକାର ହେଉଛି। ଏହାର ଦଶଦିନ ଆଗରୁ ସ୍ଥାନୀୟ ଆରଆଇ ଘଟଣାର ସରଜମିନ ତଦନ୍ତ କରିବା ସହ ଚାଷୀଙ୍କ ସହ କଥା ହୋଇଥିଲେ । ଆରଆଇଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟାନେଇ ସମସ୍ତେ ଅବଗତ ଥିଲେ ବି କେହି ଚାଷୀଙ୍କୁ ସାହାଯ୍ୟ ଲାଗି କେହି ଆଗେଇ ଆସି ନ ଥଲେ।

କଳାପାଣି ଅଂଚଳର ଚାଷୀଙ୍କ ଅଭିଯୋଗ ଅନୁଯାୟୀ,  ସରକାରଙ୍କ ଦ୍ୱାରା ବିକ୍ରି କରାଯାଉଥିବା ପୋକମରା ଔଷଧ ନିମ୍ନମାନର । ସାଧାରଣ ଭାବେ ଏକ ଏକର ଜମିରେ ଏକ ଲିଟର ଔଷଧ ପକା ଯାଇଥାଏ । କିନ୍ତୁ ସରକାର ଦେଉଥିବା ଔଷଧ ଏକ ଲିଟର ପକାଇଲେ ବି ଫସଲରେ ପୋକ ଲାଗୁଛନ୍ତି। ତେବେ ଚାଷୀଙ୍କ ଦାବି ପ୍ରତି କେହି କର୍ଣ୍ଣପାତ ନକରିବାରୁ ବାଧ୍ୟହୋଇ ସେମାନେ ଚାଷଜମିରେ ନିଆଁ ଲଗାଇ ଦେଲେ ବୋଲି ଚାଷୀମାନେ କହିଛନ୍ତି ।

ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଷୀମାନେ ଗର୍ଜନ କରୁଥିଲେ ବି ପ୍ରକୃତରେ ତାଙ୍କ ଦାବି ପ୍ରତି ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଓଡିଶାରୁ ଅନେକ ଚାଷୀ ନିଜ ହକ ପାଇଁ ଦିଲ୍ଲୀରେ ଆନ୍ଦୋଳନ କରିଥିଲେ । ଅନେକ ସମୟରେ ଭୋଟବ୍ୟାଙ୍କ ଆଶାରେ ନେତାମାନେ ଚାଷୀଙ୍କର ବିଭିନ୍ନ ପ୍ରସଙ୍ଗ ଉଠାଇଥାଆନ୍ତି । କିନ୍ତୁ ବାସ୍ତବତା ଅଲଗା ।

ତେବେ ଜିଲ୍ଲାପାଳ ଚାଷୀଙ୍କ ଆଭିମୁଖ୍ୟ ପ୍ରତି ଏପରି ମନୋଭାବ ପୋଷଣ କଲେ କାହିଁକି ? ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ସହ ଜିଲ୍ଲାପାଳ ଓ କିମ୍ବା କୌଣସି ସରକାରୀ ଅଧିକାରୀ ତାଙ୍କ ସହ କଥା ହୋଇଥିଲେ କି ? ଚାଷୀମାନେ କରିଥିବା ନିମ୍ନମାନର ଔଷଧ ବିକ୍ରି ଅଭିଯୋଗ ପ୍ରତି ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କି ? ତେବେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସମସ୍ୟା ଜାଣିଥିଲେ ସୁଦ୍ଧା କିପରି ଚାଷୀଙ୍କ ପ୍ରତି କୌଣସି ସହାୟତା ପ୍ରଦାନ କରିନଥିଲେ ତାହା ସନ୍ଦେହ ସୃଷ୍ଟି କରୁଛି ।

ସମ୍ବନ୍ଧିତ ଖବର