ଚାଷୀ ପରିବାରର ମହାନତା: ନଷ୍ଟ ନ କରି ବାଣ୍ଟିଦେଲେ ପନିପରିବା ଓ କ୍ଷୀର

ବାଲେଶ୍ୱର: କରୋନା କଟକଣା ପାଇଁ ଚାରିଆଡ଼େ ଦୋକାନବଜାର ବନ୍ଦ। ଲୋକଙ୍କୁ ବାହାରକୁ ବାହାରିବାକୁ ପାଇଁ ମନା କରାଯାଇଛି। ସେପଟେ ଘର ଚଳାଇବା ପାଇଁ ଗରିବ ଓ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିଲେଣି। ଆଉ ଏଭଳି ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ପାଇଁ ବିପଦର ବନ୍ଧୁ ସାଜିଛନ୍ତି ଏକ ସାଧାରଣ ଚାଷୀ ପରିବାର। ଭଦ୍ରକ ଜିଲ୍ଲା ବାସୁଦେବପୁର ଲୁଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁଦା ଗ୍ରାମର ଚାଷୀ ସର୍ବେଶ୍ବର ସାହୁଙ୍କ ପରିବାର ନିଜ ଘରବାଡ଼ିରୁ ଅମଳ କରିଥିବା ପନିପରିବା ସହରାଞ୍ଚଳ‌ର ଗରିବଲୋକଙ୍କୁ ଦାନ କରି ଅନନ୍ୟ ଉଦାହରଣ ପାଲଟିଛନ୍ତି।
ଗତକାଲି ସକାଳେ ଚାଷୀ ଦମ୍ପତି ସର୍ବେଶ୍ୱର ଏବଂ ଛାୟା ତାଙ୍କ ପୁଅ ସନ୍ତୋଷ ଓ ମାନସଙ୍କୁ ଘରବାଡ଼ିରେ ହୋଇଥିବା ପନିପରିବା କ୍ଷେତରୁ ପ୍ରାୟ ୫ରୁ ୬ କ୍ୟୁଣ୍ଟାଲ ବାଇଗଣ, ଜହ୍ନି, ଟମାଟୋ, କାକୁଡ଼ି, କଲରା, ବୋଇତାଳୁ ଆଦି ତୋଳିଥିଲେ। ସେଗୁଡ଼ିକୁ ଏକ ଡାଲାଅଟୋରେ ଭର୍ତ୍ତି କରି ଘରଠାରୁ ପ୍ରାୟ ୧୦ କିମି ଦୂର ବାସୁଦେବପୁର ବଜାରକୁ ଯାଇଥିଲେ। ସେଠାରେ ସଂଜୟ ପାତ୍ର, ମୁକ୍ତିକାନ୍ତ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ, ସୁବ୍ରତ ଧଳ, ସମ୍ବିତ୍‌ ମହାନ୍ତି, ଶୈଳେନ୍ଦ୍ର ବାରିକଙ୍କ ସମେତ କିଛି ସାମାଜିକ କର୍ମୀଙ୍କ ସହଯୋଗରେ ଭୈରବପୁର, ବଂଶୀପାଟଣା ଓ ଉଚ୍ଚଡିହା ଅଞ୍ଚଳରେ ରହୁଥିବା ଗରିବ ଓ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିଥିଲେ। ଶ୍ରୀ ସାହୁ ଓ ତାଙ୍କ ପରିବାର ପ୍ରତି ପରିବାରକୁ ୨ରୁ ୩ କିଲୋ ଲେଖାଏଁ ପନିପରିବା ଯୋଗାଇ ଦେଇଥିଲେ। ଏଭଳି ଦୁର୍ଦିନ ସମୟରେ ସେମାନଙ୍କ ନିକଟରେ ପହଞ୍ଚିଥିବାରୁ ଏହି ଚାଷୀ ପରିବାରଙ୍କ ପ୍ରତି ଅଞ୍ଚଳବାସିନ୍ଦା ସମ୍ମାନ ଅଜାଡ଼ି ଦେଇଥିଲେ।

ଖାଲି ଏତିକି ନୁହେଁ, ପନିପରିବା ବାଣ୍ଟିସାରିବା ପରେ ସାଙ୍ଗରେ ଆଣିଥିବା ପ୍ରାୟ ୨୦ ଲିଟର କ୍ଷୀର ସ୍ଥାନୀୟ ଥାନାରେ ଦେଇଥିଲେ। କରୋନା ଯୁଦ୍ଧରେ ଯେଉଁ ପୁଲିସ ଓ ସୁରକ୍ଷାକର୍ମୀମାନେ ଦିନରାତି ଅନିଦ୍ରା ହୋଇ ଅହରହ ଆମ ପାଇଁ ରାସ୍ତା ଉପରେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି ଏହି କ୍ଷୀର ସେମାନଙ୍କୁ ଦେଇ ନିଜକୁ ଧନ୍ୟ ମଣିଥିବା ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବିପଦ ସମୟରେ ବହୁ ତଥାକଥିତ ସଂଗଠନ, ସମାଜସେବୀ, ନିର୍ବାଚିତ ଲୋକ ପ୍ରତିନିଧିମାନେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରି ବାଃ ବାଃ ନେବାରେ ବ୍ୟସ୍ତ ଥିବାବେଳେ ସାଧାରଣ ଚାଷୀ ପରିବାରର ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର