ଜୀବନ ହାରିଲେ ଋଣଗସ୍ତ ଚାଷୀ

ରାଇଘର : ଚାଷ ପାଇଁ ଗ୍ରୁପ୍‌ ଋଣ ନେଇଥିଲେ। ତାହା ମଧ୍ୟ କମ ପଡ଼ିବାରୁ ମହଜନ ଠାରୁ ବି କିଛି ଋଣ ନେଇଥିଲେ। କିନ୍ତୁ ଠିକ୍‌ ଉତ୍ପାଦନ ପୂର୍ବରୁ ନଷ୍ଟ ହୋଇଗଲା ଫସଲ। ତେଣୁ ମାନସିକ ଭାରସାମ୍ୟ ହରାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ଛତାବେଡ଼ା (ଡିଏନ୍‌କେ) ଗାଁର ଚାଷୀ ବିଭୂତି ସରକାର (୪୫) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ବିଭୂତି ଅତ୍ୟନ୍ତ ଚାପଗ୍ରସ୍ତ ଥିଲେ ଏବଂ ସବୁବେଳେ କେମିତି ଋଣ ଶୁଝିବେ ସେହି ଚିନ୍ତାରେ ଥିଲେ। ରବିବାର ସକାଳେ ଘରେ କାହାକୁ କିଛି ନ କହି ବାହାରି ପଡ଼ିଥିଲେ ବିଭୂତି। ନିଜ ଚାଷ ଜମି ନିକଟରେ ହିଁ ଗୋଟିଏ ଆମ୍ବଗଛରେ ଦଉଡ଼ି ବାନ୍ଧି ସେଥିରେ ଝୁଲି ଯାଇଥିଲେ। ଆଖପାଖ ଜମିରେ କାମ କରୁଥିବା କିଛି ଲୋକ ବିଭୂତିଙ୍କୁ ଛଟପଟ ହେବା ଦେଖି ତୁରନ୍ତ ପହଞ୍ଚିଥିଲେ। ଗଣ୍ଠି ଖୋଲି ବିଭୂତିଙ୍କୁ ତଳକୁ ଓହ୍ଲାଇ ରାଇଘର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଖାନା ପହଞ୍ଚିବା ମାତ୍ରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପତ୍ନୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ ଅସହାୟ ଅବସ୍ଥାକୁ ଚାଲି ଆସିଛନ୍ତି। ମୁରବିଙ୍କୁ ହରାଇ ସାରିଥିବା ବେଳେ ମୁଣ୍ଡ ଉପରେ ରହିଥିବା ଋଣ ପାଇଁ ବିବ୍ରତ ରହିଛନ୍ତି।

ସମ୍ବନ୍ଧିତ ଖବର