ବିଚାରବିଭାଗୀୟ ତଦନ୍ତ, କ୍ଷତିପୂରଣ ପାଇଁ ଜନସ୍ୱାର୍ଥ ମାମଲା

ଚାଷୀ ଆତ୍ମହତ୍ୟା ପ୍ରସଂଗ

କଟକ : ରାଜ୍ୟରେ ଚାଷୀ ଆତ୍ମହତ୍ୟା, କୀଟନାଶକ ଔଷଧ ଯୋଗାଣ କ୍ଷେତ୍ରରେ କେଳେଙ୍କାରୀ ଓ ଅନ୍ୟାନ୍ୟ ପ୍ରସଂଗର ବିଚାରବିଭାଗୀୟ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ ରାଜ୍ୟରେ ଧାନ ଫସଲରେ ପୋକ ଲାଗି ଯିବା ଫଳରେ ଅନେକ ଜିଲ୍ଲାର ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଏପରି କ୍ଷତିକୁ ସହ୍ୟ କରିନପାରି ଚାଷୀ ଆତ୍ମହତ୍ୟା କରୁଥିବା ଘଟଣା ପଦାକୁ ଆସିଛି। ତେଣୁ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସହ ଋଣ ଛାଡ଼ କରାଯିବା ଉଚିତ। ଦେଶରେ କୃଷି ଉପରେ ବହୁ ପରିବାର ନିର୍ଭର କରୁଥିବା ବେଳେ ଚାଷୀଙ୍କ ପାଇଁ କିନ୍ତୁ କୌଣସି ସ୍ୱତନ୍ତ୍ର ଯୋଜନା ନାହିଁ। ଚାଷ କାମରେ ନିୟୋଜିତ ଶ୍ରମିକଙ୍କୁ ପ୍ରତିଦିନ ଅତି କମ୍‌ରେ ୩ଶହ ଟଙ୍କା ପ୍ରଦାନ କରିବାକୁ ପଡୁଥିବା ବେଳେ ମଞ୍ଜି, ସାର ଓ କୀଟନାଶକ ଔଷଧର ଦର ବୃଦ୍ଧି ପାଇଛି। କିନ୍ତୁ କୃଷିଜାତ ଉତ୍ପାଦର ମୂଲ୍ୟ ସେହି ଅନୁସାରେ ବୃଦ୍ଧି ପାଇ ନାହିଁ। ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇ ପାରୁ ନାହିଁ। କୃଷିଜାତ ଦ୍ରବ୍ୟର ଉପଯୁକ୍ତ ବଜାର ନାହିଁ। ସରକାରଙ୍କ ପକ୍ଷରୁ ମଧ୍ୟ ଏ କ୍ଷେତ୍ରରେ ବିଶେଷ କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଉପରେ ଚାଷ ନିର୍ଭର କରୁଥିବା ବେଳେ କୃଷିଜାତ ଉତ୍ପାଦ ପାଇଁ ଉପଯୁକ୍ତ ବୀମା ବ୍ୟବସ୍ଥା ନାହିଁ। ଏପରି ପରିସ୍ଥିତିରେ ଚାଷୀଙ୍କ ପାଇଁ ସରକାର ବିଭିନ୍ନ ପରିସ୍ଥିତିର ମୁକାବିଲା ଲାଗି ସ୍ୱତନ୍ତ୍ର ଯୋଜନା କରିବା ଜରୁରି। କୃଷିଜାତ ଦ୍ରବ୍ୟର ଉପଯୁକ୍ତ ବଜାର ଦର ସରକାର ଧାର୍ଯ୍ୟ କରିବା ଜରୁରି। ଋଣ ନେଇ ଚାଷରେ କ୍ଷତି ସହିଥିବା ଚାଷୀଙ୍କ କଥା ମଧ୍ୟ ସରକାର ବିଚାର କରିବା ସହିତ ସେମାନଙ୍କ ଆର୍ଥିକ ପରିସ୍ଥିତି କିପରି ସୁଧୁରିବ ସେଥି ପାଇଁ ପଦକ୍ଷେପ ନେଲେ ପରିସ୍ଥିତିରେ ପରିବର୍ତ୍ତନ ହେବ। ଚାଷୀ ଆତ୍ମହତ୍ୟା ଓ କୃଷି କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟା ବର୍ତ୍ତମାନ ଚିନ୍ତାର କାରଣ। ଏପରି ଘଟଣାର ତଦନ୍ତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ, କେନ୍ଦ୍ର ଓ ରାଜ୍ୟ କୃଷି ବିଭାଗ ସଚିବ, ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର