ବରୀରେ ଚାଷୀ ଆତ୍ମହତ୍ୟା

ଶବକୁ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

ସିଂହପୁର/ବରୀ ଯାଜପୁର ଜିଲ୍ଲାରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଛନ୍ତି। ଫସଲହାନି ଯୋଗୁ ଏହି ଚାଷୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ ଶବ ରଖି ରାସ୍ତାରୋକ କରିଥିଲେ। ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଏହି ଚାଷୀ ହେଲେ ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ସୁନ୍ଦରପୁର ଗ୍ରାମର ସୁରେଶ ସାହୁ(୪୮)। ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସୁରେଶ ଚଳିତବର୍ଷ ନିଜର ଓ ଭାଗ ମୋଟ୍‌ ୧୨ ଏକର ଜମିରେ ଧାନ ଓ ବିରି ଫସଲ ସେ ଚାଷ କରିଥିଲେ। ଚାଷ ବାବଦକୁ ଗାଁଲୋକଙ୍କ ଠାରୁ ୭୦ରୁ ୮୦ ହଜାର ଟଙ୍କା ଧାର କରଜ କରିଥିଲେ। ଗତମାସ ଅଦିନିଆ ବର୍ଷାରେ ତାଙ୍କର ବ୍ୟାପକ ଫସଲ କ୍ଷତି ହୋଇଥିଲା। ପୁଣି ଥରେ ଲଘୁଚାପ ବର୍ଷା ଆସୁଥିବା ଖବର ବାରମ୍ବାର ପ୍ରଚାର ହେଉଥିବା ଶୁଣିବା ପରେ ଫସଲ ଉଜୁଡି ଯିବା ଆଶଙ୍କାରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। କେମିତି ଚଳିବେ ଓ ଧାର କରଜ ଶୁଝିବେ ସେ ବିବ୍ରତ ହୋଇ ପଡିଥିଲେ। ଏହି ପରିସ୍ଥିତିରେ ଗତକାଲି ରାତିରେ ଗାଁ ନିକଟ ବିଲ ଏକ ଅଶ୍ୱତ୍‌ଥ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୁରେଶ ଅତି ଗିରବ। ଘରେ ତାଙ୍କର ବାପା ନାରଣ ସାହୁ(୮୦), ମା ସୁମା(୭୫) ପତ୍ନୀ, ଦୁଇଝିଅ ଓ ଗୋଟିଏ ପୁଅ ଅଛନ୍ତି। ଅତି ଦରିଦ୍ର ପରିବାର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଗ୍ରାମୀଣ ଆବାସ ଖଣ୍ଡେ ମିଳିପାରି ନାହିଁ। ଅନ୍ୟ କୌଣସି ସରକାର ସହାୟତା ମିଳି ନଥିବା ସୂଚନା ମିଳିଛି।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଆର୍‌ଆଇ ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲା ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ମଞ୍ଜୁର କରିଥିବା ସୂଚନା ଦେଇଥିଲେ। ମରଶରୀର ବ୍ୟବଚ୍ଛେଦ ପରେ ଆତ୍ମହତ୍ୟାର କାରଣ ତଦନ୍ତ କରାଯିବ ବୋଲି କହିଥିଲେ। ଏହି ପ୍ରତଶ୍ରୁତି ମିଳିବା ପରେ ଗ୍ରାମବାସୀଙ୍କର ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା। ଘଟଣାସ୍ଥଳରେ ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁନନ୍ଦା ଦାସ ଓ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଦେବେନ୍ଦ୍ର ଦାସଙ୍କ ସହିତ କେତେକ ଜନପ୍ରତିନିଧି ପହଞ୍ଚି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର