ଧର୍ମଶାଳା : ଋଣଭାର ସହିନପାରି ଜୀବନ ହାରିଲେ ଚାଷୀ

ଧର୍ମଶାଳା : ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତ ମୁଣ୍ଡମାଳ ଗ୍ରାମର ଋଣଗ୍ରସ୍ତ ଚାଷୀ ଦାମୋଦର ବାରିକ(୫୪) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିବା ଦାମୋଦରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି।

ପରିବାର ଲୋକଙ୍କ ଅଭିଯୋଗରୁ ପ୍ରକାଶ, ଝିଅ ବାହାଘର କରଜ ଶୁଝି ନଥିବା ‌ବେଳେ ବୋଝ ଉପରେ ନଳିତ ବିଡ଼ା ଭଳି ଚାଷରେ କ୍ଷତି ତାଙ୍କ ପାଇଁ ଅସହ୍ୟ ହୋଇଥିଲା। ଋଣ ବୋଝରେ ମାନସିକ ଭାରସାମ୍ୟ ହରାଇ ଗତ ୬ ତାରିଖ ବିଳମ୍ବିତ ରାତିରେ ଘର ନିକଟ ଗୁହାଳ ଶେଣିରେ ବେକରେ ଲୁଙ୍ଗି ବାନ୍ଧି ଦାମୋଦର ଝୁଲି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୋଟିଏ ଦିନ ଚିକିତ୍ସା ପରେ ତାଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାକାର ଦୈନିକ ଚିକିତ୍ସା ଖର୍ଚ୍ଚ ସହ ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ହେଲା। ହେଲେ ପରିବାର ପକ୍ଷରୁ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ହୋଇନଥିଲା। ବାଧ୍ୟହୋଇ ପରିବାର ଲୋକ ଦାମୋଦରଙ୍କୁ ଆଜି ଅପରାହ୍‌ଣରେ ଘରକୁ ନେଇ ଆସିଥିଲେ। ଘରେ ପହଞ୍ଚିବାର ଘଣ୍ଟାଏ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସନ୍ଧ୍ୟାରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ଦାମୋଦରଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର