ଡୁମ୍ବେରମୁଣ୍ଡାରେ ଚାଷୀ ଆତ୍ମହତ୍ୟା

ଚକଡ଼ା ସାଂଗକୁ ଋଣବୋଝ, ବିଷ ପିଇ ଜୀବନ ହାରିଲେ ରମେଶ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମର ଚାଷୀ ରମେଶ ପଧାନ (୪୦) କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର କ୍ଷେତକୁ କାମ କରିବାକୁ ଯାଇ ବିଷ ପିଇ ଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୦ଟାରେ ରମେଶଙ୍କ ପ୍ର୍ରାଣବାୟୁ ଉଡ଼ିିଯାଇଥିଲା।

ସ୍ୱର୍ଗତ ଚାଷୀ ରମେଶ ପ୍ରଧାନଙ୍କ ୮ଏକର ୮୨ ଡିସିମିଲ ପୈତୃକ ଜମି(ରମେଶଙ୍କ ପିତା ସ୍ୱର୍ଗତ ଟୁମ୍ପାଲ ପଧାନ ନାମରେ ଖତିୟାନ ନଂ ୬ରେ) ରହିଛି। ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବାରୁ ଚାଷକାମରେ ବି ଡେରି ହୋଇଥିଲା। ବିଳମ୍ବରେ ହେଲ ମଧ୍ୟ ଧାନ ଫସଲ ଭଲ ହୋଇଥିଲା। ମାତ୍ର ବଣୁଆ ହାତୀ କ୍ଷେତକୁ ଆସି ଧାନ ଖାଇଗଲେ। ଅଧା ଫସଲ ନଷ୍ଟ ମଧ୍ୟ କରିଥିଲେ। ବାକି ଜମିରେ ଚକଡା ପୋକ ଲାଗି ଯାଇଥିଲା। ଭଲ ଧାନ ଅମଳ ହେଲା ନ ହେବାରୁ ସେ ଚିନ୍ତିତ ଥିଲେ। ବିଭିନ୍ନ ଲୋକଙ୍କଠାରୁ ୩୦ ହଜାର ଟଙ୍କା ଧାର କରଜ କରିଥିଲେ।

ଗତ ପାଞ୍ଚ ବର୍ଷ ତଳେ ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ(ପିଏନବିଢ)ରୁ ପ୍ରାୟ ୫୦ ହଜାର ଟଙ୍କା ଋଣ ଉଠାଇଥିଲେ। ମାତ୍ର ଏପର୍ଯ୍ୟନ୍ତ ଶୁଝି ପାରିନଥିଲେ। ତେଣୁ ହାତ ଉଧାରି ସାଂଗକୁ ବ୍ୟାଙ୍କ ଋଣ କିଭଳି ଶୁଝିବେ, ବନ୍ଧକ ଦେଇଥିବା ଜମିପଟ୍ଟା କିଭଳି ଫେରି ପାଇବେ ସେ ନେଇ ସବୁବେଳେ ସେ ଚିନ୍ତାରେ ବୁଡ଼ି ରହୁଥିଲେ। ପରିବାରର ଭରଣ ପୋଷଣ ଚିନ୍ତାରେ ବି ହତାଶ ହୋଇ ପଡ଼ିଥିଲେ। ଏପରିକି ଗତ ଗତ ୪/୫ ଦିନ ହେଲା ଭଲ କରି ଖିଆପିଆ କରୁନଥିଲେ। ଶୁକ୍ରବାର ମଧ୍ୟାହ୍ନରେ ପରିବାର ଲୋକଙ୍କ କଟା ହୋଇଥିବା ଧାନ ଆଣିବା ପାଇଁ କ୍ଷେତକୁ ଯାଇଥିଲେ। ତେବେ ପରିବାର ଲୋକଙ୍କ ଅଜାଣତରେ କୁସୁନାରେ କୀଟନାଶକ ଔଷଧ ମିଶାଇ ପିଇ ଦେଇ ଘରକୁ ଚାଲି ଆସିଥିଲେ।

ଅସୁସ୍ଥ ହେବା ପରେ ସେ ପଡ଼ିଶା ଲୋକଙ୍କୁ ଏ ସଂକାନ୍ତରେ ଅବଗତ କରାଇଥିଲେ। ଏହା ଜାଣିବା ପରେ ସଂଗେ ସଂଗେ ବଡ଼ ଭଉଣୀ ବିମଳା ଓ ଭିଣୋଇ ସନ୍ତୋଷ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ନେଇଥିଲେ। ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେ ତାଙ୍କ ପଛରେ ବିଧବା ପତ୍ନୀ ଜଣେ ଅବିବାହିତା ଝିଅ ଓ ୨ପୁଅକୁ ଛାଡ଼ି ଯାଇ ରହିଛନ୍ତି। ବଡ଼ ଝିଅର ବାହା ସରିଛି। ଏ ସଂକ୍ରାନ୍ତରେ ବୁର୍ଲା ମେଡିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶନିବାର ଅପରାହଣରେ ଡୁମେରମୁଣ୍ଡାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର