ଧାନବିଲରେ ଟଳିପଡ଼ିଲେ ଚାଷୀ

କାଶୀନଗର : ଗଜପତି ଜିଲ୍ଲା କାଶୀନଗର ଥାନା ଖୁରିଗାଁରେ ଚାଷୀ ବି.ଗୋପାଳ ରାଓ ନିଜ ଚାଷଜମିରେ ଟଳି ପଡ଼ିଛନ୍ତି। ହୃହଘାତରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଖୁରିଗାଁ ନିକଟରେ ଥିବା ତାଙ୍କ ଜମିରେ ହୋଇଥିବା ଫସଲର କିଛି ଅଂଶରେ ମାଟିଆ ଗୁଣ୍ଡି ପୋକ ଆକ୍ରାନ୍ତ ହୋଇଥିବା ବେଳେ କିଛି ଦିନ ତଳେ ଫସଲ ଅମଳ କରି ସେ ବିଲରେ ରଖିଥିଲେ। ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ପହଞ୍ଚିଥିଲେ ସେହି ବିଲ ନିକଟରେ। ତାଙ୍କ ସହ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଉଦ୍ଦେଶ୍ୟ ଥିଲା କଟା ହୋଇଥିବା ଧାନ ଖଳାକୁ ବୋହି ଆଣିବେ। ମାତ୍ର ହଠାତ୍‌ ସେଠାରେ ହିଁ ସେ ଟଳି ପଡ଼ିଥିଲେ। ଉପସ୍ଥିତ ପରିବାର ସଦସ୍ୟ ଓ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶବ ସତ୍କାର କରାଯାଇଛି ।

ଗୋରିବନ୍ଧା ପଞ୍ଚାୟତ ଅନ୍ତର୍ଗତ ଖୁରିଗାଁ ଗ୍ରାମ ନିକଟରେ ଗୋପାଳ ରାଓଙ୍କ ପ୍ରାୟ ୪ ଏକର ଜମି ରହିଛି। ଯେଉଁ ଜମିରେ ସେ ଟଳି ପଡ଼ିଲେ ତାହା ପାଖାପାଖି ଏକରଟେ ଜମି ହେବ। ଏହି ଜମିର କିଛି ଅଂଶ ମାଟିଆଗୁଣ୍ଡି ପୋକ ଦ୍ୱାରା ଆକ୍ରାନ୍ତ ହୋଇଥିଲା। ରାଜସ୍ୱ ବିଭାଗ ଓ କୃଷି ବିଭାଗର କର୍ମଚାରୀମାନେ ଆସି ଅନୁଧ୍ୟାନ କରି ଫେରିଥିଲେ। ଦୁଇ ଦିନ ତଳେ ଏହି ବିଲର ଧାନ କଟାଯାଇଥିଲା। ରବିବାର ଅପରାହ୍ନରେ ସେଗଡ଼ିକୁ ଖଳାକୁ ଆଣିବା ପାଇଁ ଜମିକୁ ଯାଇଥିଲେ। କିନ୍ତୁ ସେଠାରୁ ଶବ ହୋଇ ଫେରିଲେ।

ସମ୍ବନ୍ଧିତ ଖବର