ତିତ୍‌ଲି ଉଜାଡ଼ିଲା ଫସଲ : କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

କ୍ଷତିପୂରଣ ପାଇଁ ୪ଘଣ୍ଟା ଧରି ରାସ୍ତାରୋକ

ପାରଳାଖେମୁଣ୍ତି/ବ୍ରହ୍ମପୁର/ଗୋଷାଣୀ : ତିତ୍‌ଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜଣେ ଚାଷୀ ଆଜି କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପ୍ରତିବାଦରେ ମୃତ ଚାଷୀଙ୍କ ପରିବାର ଲୋକେ ୪ ଘଣ୍ଟା ଧରି ରାସ୍ତାରୋକ କରିଛନ୍ତି।

ମୃତ ଚାଷୀ ହେଲେ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏମ୍‌.ପୁର ପଞ୍ଚାୟତ ତୋଟାଗୁମୁଡ଼ା ଗ୍ରାମର ଚାଷୀ କେ. ଶ୍ରୀନୁ(୪୫)। ଶ୍ରୀନୁଙ୍କ ପରିବାର ‌େଲାକଙ୍କ କହିବାନୁସାରେ, ତାଙ୍କର ପ୍ରାୟ ୧ ଏକର ଜମି ରହିଛି। ମାଛମରା ଗ୍ରାମରେ ଥିବା ଅନ୍ୟ ୪ଏକର ଜମିରେ ସେ ଭାଗଚାଷ କରୁଥିଲେ। ସେ ପ୍ରାୟ ୩ ଲକ୍ଷ ଟଙ୍କା ହାତ ଉଧାରି ଆଣି ଚାଷ କରିଥିଲେ। ତିତ୍‌ଲ ବାତ୍ୟା ପରେ ବନ୍ୟା ଯୋଗୁଁ ତାଙ୍କର ଜମିରେ ପାଣି ମାଡ଼ି ଯାଇଥିଲା। ପାଣି ଶୁଖିବା ପରେ ଯାହା କିଛି ଫସଲ ରହିଥିଲା ସେଥିରେ ପୋକ ଲାଗି ଯାଇଥିଲା। ଫସଲ ରକ୍ଷା କରିବା ପାଇଁ ଧାରକରଜ କରି ସେ କୀଟନାଶକ ଔଷଧ କ୍ରୟ କରି ଜମିରେ ସିଞ୍ଚନ କରିଥିଲେ। ତଥାପି କିଛି କାମ ଦେଇନଥିଲା। ସବୁ ଫସଲ ନଷ୍ଟ ହୋଇ ଯାଇଥିଲା। ଋଣ କିପରି ପରିଶୋଧ କରିବେ ସେ ଚିନ୍ତାରେ ରହୁଥିଲେ ଶ୍ରୀନୁ। ଗତକାଲି ସେ ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାର ପ୍ରତିବାଦରେ ଶ୍ରୀନୁଙ୍କ ପରିବାର ଲୋକେ ଦୀର୍ଘ ୩ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ପ୍ରଶାସନ ସହିତ ଆଲୋଚନା ପରେ ସ˚ଧୢା ୬ଟାରେ ରାସ୍ତାରୋକ୍‌ ହଟିଥିଲା। ଏହାପରେ ଶ୍ରୀନୁଙ୍କ ଶବ ସତ୍କାର କରାଯାଇଥିଲା। ଚାଷୀ ଶ୍ରୀନୁଙ୍କ ପରିବାର ବର୍ଗଙ୍କୁ ୨୦ହଜାର ଟଙ୍କା ସହାୟତା ଦିଆଯାଇଛି ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି। ଶ୍ରୀନୁ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ତାଙ୍କର ଦୁଇଟି ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର