ଯାଜପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଯାଜପୁରସଦର : ଯାଜପୁର ବ୍ଲକ୍‌ ସିମିଳିଆ ପଞ୍ଚାୟତ ଗୌଡ଼ସାହି ଗୋବିନ୍ଦପୁର ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦାରିଦ୍ର୍ୟ ଓ ଋଣଭାର ଚାପରେ ଚାଷୀ ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଯାଜପୁର ବ୍ଲକ୍‌ ସିମିଳିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଗଜେନ୍ଦ୍ର ଜେନା(୫୫)ଙ୍କର ଆଜି କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ଋଣଭାର ଓ ଦାରିଦ୍ର୍ୟ କାରଣରୁ ଗଜେନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଗତ ୧ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତ ୧ ତାରିଖ ଦିନ ଗଜେନ୍ଦ୍ର ବିଲରେ ବିଷ ପିଇଦେଇଥିଲେ। ସନ୍ଧ୍ୟାରେ ଘରକୁ ନଫେରିବାରୁ ପରିବାର ଲୋ‌କେ ଖୋଜାଖୋଜି କରିଥିଲେ। ଗୁରୁତର ଅବସ୍ଥାରେ ବିଲରୁ ଗଜେନ୍ଦ୍ରଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ଗଜେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି। ଗାଁ ଶଶ୍ମାନରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ‌ବେଳେ ବହୁ ରାଜନେତା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର