ବିଷ ପିଇ ଜୀବନ ହାରିଲେ ଚାଷୀ

ବାଲିକୁଦା : ଯାଜପୁର ଜିଲ୍ଲାର ଅର୍ଥକାରୀ ଫସଲ ଚିନାବାଦାମ ଚାଷ ବର୍ଷା ଅଭାବରୁ ଉଜୁଡ଼ିଯିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଏହାକୁ ନେଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟାପକ ଫସଲହାନି ପରେ ଋଣଯନ୍ତାରେ ପଡି ଅତିଷ୍ଠ ହୋଇପଡିଥିବା ବଡ଼ଚଣା ବ୍ଲକ ବଡ଼ବାଲିକୁଦା ଗ୍ରାମର ସରୋଜ ସ୍ବାଇଁ(୫୫) ବିଷ ପିଇ ଜୀବନ ହାରିଛନ୍ତି।

ପରିବାର ଲୋକଙ୍କ କହିବାନୁଯାୟୀ, ଝିଅ ବିବାହ ପାଇଁ ସରୋଜ କ‌ରଜ କରିଥିଲେ। ଏହା ସୁଝିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଅନ୍ୟପଟେ ଚଳିତବର୍ଷ ରୋଗପୋକ ସହ ବର୍ଷା ଅଭାବରୁ ତାଙ୍କର ଚିନାବାଦାମ ଫସଲ ଉଜୁଡ଼ି ଯାଇଥିଲା। ଗତ ୧ତାରିଖ ସନ୍ଧ୍ୟାରେ ବିଲରୁ ଫେରି ସେ ଚାପଗ୍ରସ୍ତ ଥିଲେ। ୨ ତାରିଖ ସକାଳୁ ସେ ବିଷ ପିଇ ଦେଇଥିବାର ପରିବାର ଲୋକେ କହିଛନ୍ତି। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ମେଡିକାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମଙ୍ଗଳାବାଗ ଥାନା ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଘରେ ପତ୍ନୀ ସହ ଦୁଇ ନାବାଳକ ପୁଅଙ୍କୁ ନେଇ ତାଙ୍କର ସଂସାର। ତାଙ୍କ ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଅପରପକ୍ଷେ, ଚିନାବାଦାମ ଚାଷ ଉଜୁଡ଼ି ଯିବାରୁ ସମ୍ପୃକ୍ତ ଅଞ୍ଚଳର ବହୁ ଚାଷୀ ଏବେ ଚିନ୍ତ‌ାରେ ରହିଛନ୍ତି।

ସମ୍ବନ୍ଧିତ ଖବର