ଅଧିକ ଋଣ ଭାର ହେଲା କାଳ, ଯାଜପୁରରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ବ୍ୟାଙ୍କ ଋଣ ଓ ଲୋକଙ୍କ ଠାରୁ ଆଣିଥିବା ଉଧାରି ଟଙ୍କା ସୁଝି ନ ପାରିବାରୁ ଯାଜପୁର ଜିଲ୍ଲାରେ ବୁଧବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଧର୍ମଶାଳା ତହସିଲ ଅନ୍ତର୍ଗତ କଣ୍ଟିଗଡ଼ିଆର ଚାଷୀ ସୁବ୍ରତ ଦାସ(୪୧) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭଲ ଫସଲ ଅମଲ ହୋଇ ନଥିବାରୁ କିଛି ଦିନ ହେବ ମାନସିକ ଚାପରେ ଥିଲେ ବୋଲି ସୁବ୍ରତଙ୍କ ପତ୍ନୀ କହିଛନ୍ତି।

ସୁବ୍ରତ ୫ ଗୁଣ୍ଠ ଜମିରେ ଚାଷ କରିଥିଲେ। ସେ ନିଜର ୨ ଗୁଣ୍ଠ ଜମି ଓ ୩ ଗୁଣ୍ଠ ଜମିରେ ଭାଗୁଆଳି ଭାଗ ଚାଷ କରିଥିଲେ। ଏଥି ପାଇଁ ସେ ବ୍ୟାଙ୍କ ଓ ଲୋକଙ୍କ ଠାରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଋଣ ଓ ଉଧାରି ଆଣିଥିଲେ।

ଭଲ ଫସଲ ଆମଦାନୀ ହୋଇ ନଥିବା ସତ୍ତ୍ୱେ ଲୋକମାନେ ସୁବ୍ରତଙ୍କ ଠାରୁ ଟଙ୍କା ଉଧାରି ଦେଇଥିବା ଟଙ୍କା ନେବା ପାଇଁ ବାରମ୍ବାର ଆସୁଥିଲେ। ଯାହା ଫଳରେ ସେ ମାନସିକ ଚାପରେ ବୁଡ଼ି ରହିଥିଲେ। ଆଜି ଭୋର ସାଢ଼େ ୫ଟାରେ ସେ ଅନ୍ୟ ଉପାୟ ନ ପାଇ ଶେଷରେ ଘର ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ତହସିଲଦାର ପ୍ରଭାସ ବେଉରା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୁବ୍ରତଙ୍କ ଘରେ ପତ୍ନୀ ଓ ୨ଜଣ ନାବାଳକ ଅଛନ୍ତି।

ସମ୍ବନ୍ଧିତ ଖବର