ଋଣ ଚିନ୍ତାରେ ଜୀବନ ହାରିଲେ ଚାଷୀ

ପଟାଙ୍ଗୀ/କୋରାପୁଟ : କୋରାପୁଣ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ପୁକାଲି ପଞ୍ଚାୟତ ମାଳିଗୁଡା ଗ୍ରାମର ଚାଷୀ ଲୋକନାଥ ପାଙ୍ଗୀ (୫୭ବର୍ଷ) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଋଣ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ କହିବାନୁସାରେ, ଲୋକନାଥ ଗତକାଲି ସନ୍ଧ୍ୟାରେ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇଥିଲେ। ସାନପୁଅ ଦେଖିଲା ବେଳକୁ ଲୋକନାଥ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏଥିନେଇ ପୁଅ ପଚାରିବାରୁ ସେ କୀଟନାଶକ ପିଇ ଦେଇଥିବା କହିଥିଲେ। ପରେ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ପଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଓ ଗ୍ରାମବାସୀଙ୍କ କହିବାନୁଯାୟୀ, ଲୋକନାଥ ପ୍ରାୟ ୨ ଏକର ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। କିଛି ବର୍ଷ ହେଲା ଅଦା ଓ ପନିପରିବା ଚାଷ ନଷ୍ଟ ହେବାରୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡୁଥିଲା। ତଥାପି ବ୍ୟାଙ୍କ, ଲ୍ୟାମ୍ପସରୁ ଋଣ ଆଣି ଚାଷରେ ଲଗାଇଥିଲେ। ଏହା ବି ନିଅଣ୍ଟ ହେବାରୁ କିଛି ହାତ ଉଧାରି ଆଣିଥିଲେ। କିନ୍ତୁ ଚଳିତବର୍ଷ ମଧ୍ୟ ଚାଷ ଭଲ ହୋଇ ନ ଥିଲା। ଫଳରେ, ଋଣ ଶୁଝିବା ନେଇ ସେ ଚିନ୍ତାରେ ରହିଥିଲେ। ସେଥିପାଇଁ ସେ କୀଟନାଶକ ପିଇଦେଇ ଆତ୍ମହତ୍ୟା କରିଛନ୍ତି। ଚାଷୀ ଆତ୍ମହତ୍ୟା ଅଭିଯୋଗ ହେବା ପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର