ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ

ସାନସିଂହାରୀ ଗାଁରେ ଚାଷୀ ଆତ୍ମହତ୍ୟା 

ଚକଡ଼ା ପୋକ ଓ ଋଣ ଚିନ୍ତା

ଧନକଉଡ଼ା : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଓ୍ଵାର୍ଡ ନଂ ୨ ବୈଜାମୁଣ୍ଡା ସାନସିଂହାରୀ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପ୍ରଥମେ ଗୋଶାଳା ଫାଣ୍ଡି ଅଧିକାରୀ ଅଜିତ ଧଳସାମନ୍ତଙ୍କ ଜରିଆରେ ଏହି ଖବର ହସ୍ତଗତ ହୋଇଛି।

ଗତ ୨ ତାରିଖରେ ଚାଷୀ ନିତେଇ ଭୋସାଗର (୨୮) ବିଷ ପିଇ ଦେଇଥିଲେ। ସେ ଚକଡ଼ା ପୋକ ଓ ଋଣ ପରିଶୋଧ ଚିନ୍ତାରେ ଥିଲେ। ସାନସିଂହାରୀ ଗାଁର ସତ୍ୟାନନ୍ଦ ସାହୁଙ୍କ ଜମିକୁ ନାଥ ଭୋସାଗର ଭାଗ ଚାଷ ପାଇଁ ନେଇଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ଏ ବର୍ଷ ଗାଁର ପ୍ରସନ୍ନ ଭୋସାଗରଙ୍କ ପୁଅ ନିତେଇ ୧.୬ ଏକର ଜମିରେ ଚାଷ କରିଥିଲେ। ଚକଡ଼ା ପୋକ ଯୋଗୁଁ ୫୦ ଭାଗ ଫସଲ ନଷ୍ଟ ହୋଇଯାଇଥିଲା। ଚାଷ ବାବଦକୁ ଯଥେଷ୍ଟ ଖର୍ଚ କରିଥିଲେ ନିତେଇ। ଘଟଣା ଦିନ ଜମିରେ ଫସଲ ଦେଖିଲା ପରେ ବିଷ ପିଇ ଦେଇଥିଲେ ନିତେଇ। ଏନେଇ ସେ ସ୍ତ୍ରୀଙ୍କୁ କହିବା ପରେ ତାଙ୍କୁ ତୁରନ୍ତ ବୁର୍ଲା ନିଆଯାଇଥିଲା। ସେଠାରୁ ପୁଣି ସମଲେଶ୍ୱରୀ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ବୁଧବାର ସଂଧ୍ୟାରେ ନିତେଇ ଆଖି ବୁଜି ଦେଇଥିଲେ। ପରିବାରରେ ୫ ବର୍ଷର ପୁଅ ଓ ୩ ବର୍ଷର ଝିଅ ଅଛନ୍ତି।

ଗୁରୁବାର ସମ୍ବଲପୁର ସଦର ତହସିଲ୍‌ଦାର ଦେବେନ୍ଦ୍ର ନନ୍ଦ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।  ସେହିପରି ଜିଲ୍ଲା ଉପ କୃଷି ଅଧିକାରୀ ରବିନାରାୟଣ ନାୟକ, ହୀରାକୁଦ ଏସଡିପିଓ ଅବକାଶ ରାଉତରାୟ, ବୁର୍ଲା ଥାନାଧିକାରୀ ମାନସ ରଂଜନ ପ୍ରଧାନ, ସମଲେଶ୍ୱରୀ କୃଷକ ସଂଗଠନ ତଥା ଚାଉଁରପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଜି କାଶି ବିଶ୍ୱନାଥ, ଆ କଟାପାଲି ଆରଆଇ ଡିଲେଶ୍ୱର ରଣା, ସମାଜସେବୀ ଲବ ବଗର୍ତ୍ତୀ, ସଂଜୀବ ପଣ୍ଡା ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଫସଲ କ୍ଷୟକ୍ଷତି ସଂପର୍କରେ ବୁଝିଥିଲେ। ଏହି ଘଟଣା ଅଂଚଳରେ ଭାଗ ଚାଷୀଙ୍କ ସଂଗୀନ ସ୍ଥିତିକୁ ପଦାରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର