ନାକଟିଦେଉଳ : ବାପାଙ୍କ ମୃତ୍ୟୁକୁ ୬ ଦିନ ହେଇନି ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

ନାକଟିଦେଉଳ/ସମ୍ବଲପୁର : ଫସଲ କ୍ଷତି ଯୋଗୁଁ ସମ୍ବଲପୁର ଜିଲ୍ଲାରେ ଜଣେ ଚାଷୀ ନରେନ୍ଦ୍ର ସାହୁ(୫୦) ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜ ବାପାଙ୍କ ମୃତ୍ୟୁର ମାତ୍ର ୫ ଦିନ ପରେ ପୁଅ ଆତ୍ମହତ୍ୟା କରିବା ଭଳି ଦୁଃଖଦ ଘଟଣା ଘଟିଛି ନାକଟିଦେଉଳ ଥାନା କୁଞ୍ଜାମରା ଗ୍ରାମରେ।

ବାପାଙ୍କ ମୃତ୍ୟୁ ପାଇଁ ୪ ଦିନ ହେବ କ୍ଷେତକୁ ଯାଇନଥିବା ନରେନ୍ଦ୍ର ଶନିବାର ସକାଳେ ଧାନର ସ୍ଥିତି ଦେଖିବାକୁ ଯାଇଥିଲେ। କିନ୍ତୁ କ୍ଷେତସାରା ପୋକ ଲାଗିଯାଇଥିବା ଦେଖି ସେ ବିଚଳିତ ହୋଇପଡ଼ିଥିଲେ। ଧାର କରଜ କିଭଳି ସୁଝିବେ ଓ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଟଙ୍କା କେଉଁଠୁ ସଂଗ୍ରହ କରିବେ ଭାବି କ୍ଷେତରେ ହିଁ ବିଷ ପିଇ ଦେଇ ଘରକୁ ଫେରିଥିଲେ। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଥମେ ତାଙ୍କୁ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନରେନ୍ଦ୍ରଙ୍କର ମୃତ୍ୟୁ ଘଟିଛି। ଏସମ୍ପର୍କରେ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେପଟେ, ବାପ ମୃତ୍ୟୁର ଷଷ୍ଠ ଦିନରେ ସାନପୁଅର ମୃତ୍ୟୁକୁ ନେଇ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନାଙ୍କୁ ପଚାରିବାରେ ଏଭଳି କିଛି ଅଭିଯୋଗ ତାଙ୍କର ହସ୍ତଗତ ହୋଇନାହିଁ ବୋଲି କହିଛନ୍ତି। କୁଞ୍ଜାମରା ଗ୍ରାମର ସନାତନ ସାହୁଙ୍କର ଗତ ୨୦ ତାରିଖରେ ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସାନପୁଅ ନରେନ୍ଦ୍ର ଆଉ ତାଙ୍କ କ୍ଷେତକୁ ଯାଇପାରିନଥିଲେ। ସେ ଧାର ଉଧାର କରି ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏହାସାଙ୍ଗକୁ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଭାଇ ଭାଗ ୪୦ ହଜାର ଟଙ୍କା ପଡ଼ିଥିଲା। ତେବେ ଧାନ କ୍ଷେତ ଦେଖାଇ ପୁଣି କାହାଠୁ ଋଣ ଆଣି ପରିସ୍ଥିତି ସମ୍ଭାଳି ନେବେ ବୋଲି ସେ ଚିନ୍ତା କରିଥିଲେ। ପୋକ ଲାଗି ସବୁ ଫସଲ ନଷ୍ଟ ହୋଇଯାଇଥିବା ନରେନ୍ଦ୍ର ଦେଖିବା ପରେ କିଭଳି ଟଙ୍କା ଯୋଗାଡ଼ କରିବେ ସେନେଇ ଚିନ୍ତାରେ ପଡ଼ିଯାଇଥିଲେ। ଫଳରେ ମାନସିକ ଭାରସାମ୍ୟ ହରାଇ କ୍ଷେତରେ ହିଁ ବିଷ ପିଇ ଦେଇଥିଲେ।

ସମ୍ବନ୍ଧିତ ଖବର