ଯୁଯୁମୁରାରେ ଚାଷୀ ଆତ୍ମହତ୍ୟା

ବର୍ଷା ଅଭାବରୁ ନଷ୍ଟ ହୋଇଥିଲା ପହ୍ଲା, ହତାଶ ହୋଇ ବିଷ ପିଇଥିଲେ ଯୁବ ଚାଷୀ

ସମ୍ବଲପୁର : ବର୍ଷା ଅଭାବ ଯୋଗୁଁ ପହ୍ଲା ନଷ୍ଟ ହୋଇଯାଇଥିଲା। ସେଇ ଚିନ୍ତା ଘାରିଥିବାବେଳେ ମଂଜୁରି ସତ୍ତ୍ବେ ମିଳିଲା ନାହିଁ ବ୍ୟାଙ୍କ ଋଣ। ଶେଷରେ ହତାଶ ହୋଇ ଆତ୍ମହତ୍ୟାର ବାଟ ବାଛିନେଲେ ଜଣେ ଯୁବ ଚାଷୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଖେରମାଲ ଗାଁରେ। ଗତ ୨୮ ତାରିଖ ଦିନ ବିଷ ପିଇ ଦେଇଥିବା ଖେରମାଲ ଗାଁର ଯୁବଚାଷୀ ଅବଧୋତ ପଧାନ (୪୫) ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ଆଖି ବୁଜିଛନ୍ତି।

ପରିବାର ଲୋକଙ୍କ କହିବାନୁସାରେ, ଚାଷ ପାଇଁ ଆଣିଥିବା ହାତଉଧାରି ଶୁଝିବା ପାଇଁ ଅବଧୋତ ଏଡିବି (ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ)ରେ ଜୁନ ମାସରୁ ଦେଢ଼ ଲକ୍ଷ ଟଙ୍କାର କୃଷି ଋଣ ଆବେଦନ କରିଥିଲେ। ଅଗଷ୍ଟ ମାସରେ ଏହା ମଞ୍ଜୁର ହୋଇ ଯାଇଥିଲେ ମଧ୍ୟ ଟଙ୍କା ମିଳି ପାରୁନଥିଲା। ଋଣ ଟଙ୍କା ପାଇଁ ସେ ଯେତେ ଥର ଯାଇଛନ୍ତି, କୁଆଡ଼େ ବ୍ୟାଙ୍କ ଅଧିକାରୀ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ କରିଛନ୍ତି ଅବଧୋତଙ୍କ ଝିଅ ସୀମା। ଅଗଷ୍ଟ ୨୫ ତାରିଖରେ ସେ ଟଙ୍କା ପାଇଁ ବ୍ୟାଙ୍କ ଯାଇଥିଲେ। ସେତେବେଳେ ପୁଣି ୭ ଦିନ ପରେ ଆସିବାକୁ କହିଥିଲେ ବ୍ୟାଙ୍କ ଅଧିକାରୀ। ଏହାକୁ ନେଇ ଅବଧୋତ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ଋଣ ପାଇଁ ଏହିଭଳି ବାରମ୍ବାର ହଇରାଣ କଲେ ସେ ଆତ୍ମହତ୍ୟା କରିବେ ବୋଲି ବ୍ୟାଙ୍କରେ ଧମକ ଦେଇଥିବା ତାଙ୍କ ଝିଅ ସୀମା କହିଛନ୍ତି। ଏହି ଘଟଣାର ୩ ଦିନ ପରେ ଗତ ୨୮ ତାରିଖ ସେ ବିଷ ପିଇଦେଇଥିଲେ। ୬ ଦିନ ଧରି ଜୀବନ-ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ସମ୍ବଲପୁରସ୍ଥିତ ଏକ ନର୍ସିଂହୋମରେ ଅବଧୋତଙ୍କ ମୃତ୍ୟୁ ହୋଇଥିଲା। ତେବେ ଆତ୍ମହତ୍ୟାର କାରଣ ତଦନ୍ତ ପାଇଁ ଆରଆଇଙ୍କୁ ନିର୍ଦେଶ ଦେଇଥିବା ଯୁଯୁମୁରା ତହସିଲଦାର ସୁକାନ୍ତ ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର