ବିଷକ୍ରିୟାରେ ମହିଳା ଚାଷୀ ମୃତ

ସମ୍ବଲପୁର : ଦିନକ ବ୍ୟବଧାନରେ ଚକଡ଼ା ଆଉ ଜଣେ ଚାଷୀଙ୍କ ଜୀବନ ନେଇଛି। ବୁଧବାର ବରଗଡ଼ ଜିଲ୍ଲା କଳାପାଣିର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା କରିଥିବା ବେଳେ ଗୁରୁବାର ସମ୍ବଲପୁର ଜିଲ୍ଲା ହୀରାକୁଦର ଜଣେ ମହିଳା ଚାଷୀ ଜୟନ୍ତୀ ଗୁରୁ(୩୨)ଙ୍କ ବିଷକ୍ରିୟାରେ ମୃତ୍ୟୁ ଘଟିଛି। ହୀରାକୁଦ ସହର ଲରପଙ୍କ ଖଡ଼ିଆପଡ଼ା ନିବାସୀ ପ୍ରଫୁଲ୍ଲ ଗୁରୁ ଗାଡ଼ି ଚାଳକ ଭାବେ କାମ କରୁଥିବା ବେଳେ ପତ୍ନୀ ଜୟନ୍ତୀ ଜଣେ ଭାଗଚାଷୀ। ସେ ଅନ୍ୟ ଜଣେ ଚାଷୀଙ୍କ ଅଧ ଏକର ଜମିରେ ଧାନ ଚାଷ କରିଥିଲେ। ଧାନ ଫସଲରେ ଚକଡ଼ା ପୋକ ଲାଗିବାରୁ ପ୍ରଫୁଲ୍ଲ ହାତରେ କୀଟନାଶକ ମଗାଇ ଥିଲେ। ଗତ ୨୪ ଅକ୍ଟୋବର ଦିନେ ନିଜେ କୀଟନାଶକ ସିଂଚନ କରିଥିଲେ। ବିଷକ୍ରିୟା ଯୋଗୁଁ କ୍ଷେତରୁ ଘରକୁ ଫେରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ୨୫ ତାରିଖ ଦିନ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେ ମହିଳା ଭେଷଜ ବିଭାଗର ୨୦୨ ନମ୍ବର ଶଯ୍ୟାରେ ଚିକିିତ୍ସିତ ହେଉଥିଲେ। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଛି।

ବିଷପିଇ ମହିଳା ଚାଷୀ ଗୁରୁତର

ସୋର : ଧାରଉଧାର କରି ଚାଷ କରିଥିଲେ। ପୋକ ଯୋଗୁ ଫସଲ ଉଜୁଡ଼ି ଗଲା। ପରିବାର ଚିନ୍ତା ତଥା ଧାର ଦେଇଥିବା ଲୋକଙ୍କ ତାଗିଦାରେ ଅତିଷ୍ଠ ହୋଇ ଶେଷରେ ବିଷ ପିଇ ଗୁରୁତର ହୋଇଛନ୍ତି ଜଣେ ମହିଳା ଚାଷୀ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତି କରିଛନ୍ତି। ସେ ହେଉଛନ୍ତି ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗ୍ରାମର ସୁରେନ୍ଦ୍ର ପାତ୍ରଙ୍କ ପତ୍ନୀ ସରସ୍ୱତୀ(୪୦)। ସୂଚନା ଅନୁସାରେ, ସରସ୍ୱତୀ ହାତଉଧାରି କରି ପ୍ରାୟ ୩୦/୪୦ ହଜାର ଟଙ୍କା ଖର୍ଚ୍ଚକରି ଧାନଚାଷ କରିଥିଲେ। ବର୍ତ୍ତମାନ ଧାନ ଥୋଡ଼ ବାହାରିବା ବେଳ। ମାତ୍ର ସରସ୍ୱତୀ ଚାଷ କରିଥିବା ଅଢ଼େଇ ଏକର ଜମିରେ ପୋକ ଲାଗି ଫସଲ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଫସଲ ଉଜୁଡ଼ି ଯିବା ଦୁଃଖ ସାଙ୍ଗକୁ ମହାଜନଙ୍କ ତାଗିଦାରେ ସରସ୍ୱତୀ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ଅନ୍ୟ ଉପାୟ ନପାଇ ଆଜି ରାତି ପ୍ରାୟ ୧୦ଟା ବେଳେ ସେ ବିଷ ପିଇ ଦେଇଥିଲେ।

ବରଗଡ଼ରେ ବିଶେଷଜ୍ଞ ଦଳର ତଦନ୍ତ

ବରଗଡ଼ : କଳାପାଣିର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଘୋଷଣାକ୍ରମେ ଭୁବନେଶ୍ୱରରୁ ୩ ଜଣିଆ ବିଶେଷଜ୍ଞ ଦଳ ବରଗଡ଼ ଗସ୍ତରେ ଆସି ପ୍ରଥମେ ବିଭିନ୍ନ କୀଟନାଶକ ଦୋକାନ ଉପରେ ଚଢଉ କରିଛନ୍ତି। ଏହି ଟିମ୍‌ରେ କୃଷି ବିଭାଗର ଉପ ନିର୍ଦ୍ଦେଶକ ପ୍ରମୋଦ ମହାନ୍ତି, ଶସ୍ୟ ସଂରକ୍ଷଣ ଅଧିକାରୀ ସଚ୍ଚିଦାନନ୍ଦ ପଣ୍ଡା, କୃଷି ବୈଜ୍ଞାନିକ ବସନ୍ତ ପଣ୍ଡା ସାମିଲ ଅଛନ୍ତି। ଏହି ଟିମ୍‌ ବରଗଡ଼ ସହର ସମେତ ସହଁରାଟିକ୍ରା ଏବଂ ଆଖପାଖ ଅଂଚଳରେ ଥିବା କୀଟନାଶକ ଦୋକାନ ଉପରେ ଅଚାନକ ଚଢ଼ଉ କରିଥିଲେ। ବିଭିନ୍ନ ଦୋକାନରୁ କୀଟନାଶକର ନମୁନା ସଂଗ୍ରହ କରାଯାଇଛି। ଏହା ଭୁବନେଶ୍ୱର ଏବଂ ଫରିଦାବାଦ୍‌ସ୍ଥିତ ଲାବ୍‌କୁ ପଠାଯିବ। ସେଠାରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ବିଶେଷଜ୍ଞ ଦଳ କହିଛି। ଏହି ଅତର୍କିତ ଚଢ଼ଉ ଭୟରେ ସହର ଏବଂ ଉପକଣ୍ଠ ଅଂଚଳରେ କୀଟନାଶକ ଦୋକାନ ଖୋଲିଥିବା ବେପାରୀମାନେ ଦୋକାନ ବନ୍ଦ କରି ଚମ୍ପଟ୍‌ ମାରିଥିଲେ। ଆଗାମୀ ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚଢଉ ଜାରି ରହିବ ବୋଲି ସୂଚନା ମିଳିଛି। ଚଢ଼ଉ ସହ ଏହି ଟିମ୍‌ ବିଭିନ୍ନ ଚାଷ ଜମିକୁ ଚକଡ଼ା ପୋକର ସ୍ଥିତି ସମୀକ୍ଷା କରିଥିଲେ। ସୂଚନା ଅନୁଯାୟୀ ବରଗଡ଼ର ବିଜୟ ଟ୍ରେଡର୍ସ, ସହଁରାଟିକ୍ରାର ସାଇ ଫର୍ଟିଲାଇଜର ଏବଂ ରେଙ୍ଗାଲିକ୍ୟାମ୍ପର ଚୌଧୁରୀ ଟ୍ରେଡର୍ସ ଉପରେ ଚଢ଼ଉ ହୋଇଥିଲା।

୧୫ ଘଣ୍ଟା ପରେ ଉଠିଲା ଶବ

ବରଗଡ଼/କଳାପାଣି : ବରଗଡ଼ ସଦର ବ୍ଲକ କଳାପାଣି ଗ୍ରାମର ଭାଗଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଘଟଣା ରାଜ୍ୟବ୍ୟାପୀ ଚହଳ ପକାଇ ଦେଇଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଏବଂ ଚାଷୀ ଆତ୍ମହତ୍ୟା ଘଟଣା ସଂପର୍କରେ ସଠିକ୍‌ ରିପୋର୍ଟ ଦାବିରେ ସ୍ଥାନୀୟ ଲୋକେ ଏବଂ ଚାଷୀମାନେ କଳାପାଣି ଛକରେ ବୁଧବାର ଦିନ ୧୨ଟାରୁ ଶବ ରଖି ରାଜପଥ ଅବରୋଧ କରିଥିଲେ। ଫଳରେ ଏନ୍‌ଏଚ୍‌-୫୩ରେ ଯାତାୟାତ ସଂପୂର୍ଣ୍ଣ ଠପ୍‌ ରହିଥିଲା। ଦୀର୍ଘ ୧୫ ଘଣ୍ଟା ଧରି ହଜାର ହଜାର ଯାନବାହନ ଅଟକି ରହିଥିଲେ। ମୃତ ଚାଷୀଙ୍କ ପରିବାରବର୍ଗ ବି ଶୀଘ୍ର ଶବ ଦାହ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଜନ ପ୍ରତିନିଧି ଓ ପ୍ରଶାସନଠାରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ଗୁରୁବାର ଭୋର ୩ଟା ୪୫ରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପରେ ସକାଳ ୬ଟା ବେଳେ ଗାଁ ମଶାଣିରେ ବୃନ୍ଦାବନଙ୍କ ଶେଷକୃତ୍ୟ କରାଯାଇଥିଲା।

ଦାମଙ୍କ ନାଁରେ ଥାନାରେ ଏତଲା

ବରଗଡ଼ : କୃଷିମନ୍ତ୍ରୀ ଦାମୋଦର ରାଉତ ରାଜ୍ୟର ଚାଷୀଙ୍କ ଉପରେ ଦେଇଥିବା ଟିପ୍ପଣୀକୁ କଂଗ୍ରେସ ଘୋର ନିନ୍ଦା କରିଛି। କୃଷିମନ୍ତ୍ରୀ ଏଭଳି ଟିପ୍ପଣୀ ଭାଗଚାଷୀ ବୃନ୍ଦାବନଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଛି ବୋଲି ଦଳ ଅଭିଯୋଗ କରିଛି। ଫସଲ ପୋଡୁଥିବା ଚାଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଡା. ଦାମୋଦର ରାଉତ ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ। ଏହି ଚେତାବନୀ ପରେ ଭୟଭୀତ ହୋଇ ବୃନ୍ଦାବନ ବିଷ ପିଇ ଦେଇଥିଲେ ବୋଲି କଂଗ୍ରେସ ବରଗଡ଼ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛି। ଜିଲ୍ଲା କଂଗ୍ରେସ ସଭାପତି ଅନନ୍ତ ଶୟନ ପାଢୀ, ପୂର୍ବତନ ବିଧାୟକ ସାଧୁ ନେପାକ, ନିହାର ମହାନନ୍ଦ ପ୍ରମୁଖ କୃଷି ମନ୍ତ୍ରୀଙ୍କ ବିରୋଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର