କୀଟନାଶକ ପ୍ରଭାବରେ ଦୁଇ ଚାଷୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବୁର୍ଲା/ଅତାବିରା/ଥୁଆପାଲି : ଜମିରେ ସିଂଚନ କରୁଥିବା ବେଳେ ଦୁଇଟି ପୃଥକ ଘଟଣାରେ ଦୁର୍ଭାଗ୍ୟ ବଶତଃ କୀଟନାଶକ ଔଷଧ ସଂସ୍ପର୍ଶରେ ଆସିବା ଫଳରେ ଦୁଇ ଜଣ ଚାଷୀଙ୍କ ଶନିବାର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରଥମ ଘଟଣାଟି ହେଉଛି ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଝିଲିମିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୁର୍ଖାପାଲି ଗାଁର। ଗାଁର କେ. ଭେଙ୍କଟରାଓଙ୍କ ପୁଅ କେ. ଶିବଶଙ୍କର (୨୦) ଗତ ୨୯ ତାରିଖ ଦିନ ତାଙ୍କ ପାଖରେ କାର୍ଯ୍ୟ କରୁଥିବା କୃଷି ଶ୍ରମିକ କାଳିଆ ମାଝୀଙ୍କୁ ନେଇ ଚକଡ଼ା ପୋକ ଦମନ ପାଇଁ ନିଜ ଜମିରେ କୀଟନାଶକ ସିଂଚନ କରୁଥିଲେ। ଏହି ସମୟରେ ବିଷକ୍ରିୟା ଯୋଗୁଁ ଉଭୟେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ରେମଣ୍ଡାର ଏକ କ୍ଲିନିକ୍‌କୁ ନେଇଥିଲେ। ଦିନେ ରଖିବା ପରେ ଅବସ୍ଥାରେ କୌଣସି ଉନ୍ନତି ନ ହେବାରୁ ୩୦ ତାରିଖରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳ ୮ଟାରେ କେ. ଶିବଶଙ୍କରଙ୍କ ଶନିବାର ମୃତ୍ୟୁ ହୋଇଯାଇଛି। କାଳିଆ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ସେହିପରି ଦ୍ୱିତୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଗାଁରେ। ଗାଁର ଚାଷୀ ଗିରିଧାରୀ ପ୍ରଧାନଙ୍କ ପୁଅ ଧର୍ମେନ୍ଦ୍ର ପ୍ରଧାନ (୨୫) ମଧ୍ୟ ନିଜ ଜମିରେ କୀଟନାଶକ ସିଞ୍ଚନ ବେଳେ ତା’ ପ୍ରଭାବରେ ଆସି ଯାଇଥିଲେ। ଗତ ଦୁଇ ଦିନ ତଳେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ୍‌ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶନିବାର ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଛି।

ଋଣଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅତାବିରା : ଅତାବିରା ଥାନା ନୂଆ ଖଇରପାଲି ଗାଁର ପି. ନବୀନ କୁମାର (୩୦) ଶନିବାର ସକାଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁବର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ନବୀନ କୁମାର ନିଜ ୩ ଏକର ଜମି ସହ ଭାଗ ସୂତ୍ରକୁ ମିଶାଇ ମୋଟ ୧୫ ଏକର ଜମିରେ ଚାଷ କରିଛନ୍ତି। ଚାଷ ପାଇଁ ସେ ବହୁ ମାତ୍ରାରେ ଋଣ ବି ନେଇଛନ୍ତି। ମାତ୍ର ଚଳିତ ବର୍ଷ ରୋଗ ପୋକ ଯୋଗୁଁ ଫସଲ ସ୍ଥିତି ଭଲ ନଥିବା ବେଳେ ଋଣ ସୁଝିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ଏପରିକି କିଛି ଦିନ ହେଲେ ସେ ଚିନ୍ତା ଯୋଗୁଁ ଅନ୍ୟମନସ୍କ ରହି ଆସୁଥିଲେ। ପରିବାର ଲୋକଙ୍କ କହିବାନୁସାରେ ଶନିବାର ସକାଳେ କେତେକ ଋଣଦାତା ତାଙ୍କ ଘରକୁ ଆସିଥିଲେ। ତେବେ ସେମାନେ ଯିବା ପରେ ନବୀନ କୁମାର ନିଜ ଜମିକୁ ଯାଇ ସେଠାରେ ବିଷ ପିଇ ଦେଇଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବୁର୍ଲା ମେଡିକାଲ୍‌କୁ ନେଇଥିବା ଜଣାପଡ଼ିଛି।

ଗଞ୍ଜାମରେ କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

ବ୍ରହ୍ମପୁର/ପାଟପୁର : ଗଂଜାମ ଜିଲ୍ଲାକୁ ଗ୍ରାସିଛି ଚକଡ଼ା ପୋକ ଚଡ଼କ। ଏ ବର୍ଷ ପ୍ରଥମ ଚାଷୀ ମୁଣ୍ଡ ନେଇଛି। ଫସଲହାନି ଯୋଗୁଁ ସାନଖେଖମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗ୍ରାମର ଅଳୟ ଜେନା(୩୮) ନାମକ ଜଣେ ଚାଷୀ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଅଜୟ ଜମିରେ କୀଟନାଶକ ପିଇ ଦେଇ ଘରକୁ ଆସିଥିଲେ। ବାନ୍ତି କରିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣା ଯାଇଥିଲା। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଘଟଣା ପଦାକୁ ଆସିବା ପରେ ଏରେଣ୍ଡ୍ରା ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି।

ଏରେଣ୍ଡ୍ରା ଗ୍ରାମର ନାରାୟଣ ଜେନାଙ୍କ ବଡ଼ ପୁଅ ଅଳୟ ପ୍ରାୟ ୧୦/୧୨ଭରଣ ଜମିରେ ଧାନଚାଷ କରିଥିଲେ। ଏଥିପାଇଁ ସେ ଖଲିଙ୍ଗି ସେବା ସମବାୟ ସମିତିରୁ ୩୦ହଜାର ଟଙ୍କା ଧାର ଆଣିବା ସହ ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା କରଜ କରିଥିଲେ। ତେବେ ଜମିରେ ଚକଡ଼ା ପୋକ ଲାଗି ଯାଇଥିବାରୁ ସେ ଚିନ୍ତିତ ଥିଲେ ବୋଲି ସାନଭାଇ ପିଣ୍ଟୁ କହିଛନ୍ତି। ଅଳୟ ଏହି ସମସ୍ୟା ନେଇ ପରିବାରବର୍ଗଙ୍କ ସହିତ ଆଲୋଚନା କରି ଗତ ୫ଦିନ ତଳେ ଜମିରେ ପୋକମରା ଔଷଧ ସିଞ୍ଚନ କରିଥିଲେ। ଗତ ୨ଦିନ ତଳେ ବିଲକୁ ଯାଇ ଦେଖିବା ବେଳେ ପୋକ ମରି ନଥିଲା। ବରଂ ଫସଲ ପୂରାପୂରି ଉଜୁଡ଼ିଯାଇଥିଲା। ଫଳରେ ଋଣ ପରିଶୋଧ ଚିନ୍ତା ଘାରିବା ସହ ବହୁ ସମୟରେ ଏହାକୁ ନେଇ ପରିବାରରେ ଅଶାନ୍ତି ମଧ୍ୟ ଲାଗି ରହିଥିଲା। ଯାହା ଫଳରେ ଅଳୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

ଗତକାଲି ସେ ବିଲକୁ ଯାଇ ସଂଧ୍ୟାରେ ଘରକୁ ଫେରିଥିଲେ। ସେ କାହାରି ସହିତ କଥା ହୋଇ ନଥିଲେ। ପତ୍ନୀ କୁନି ଜେନା ରୋଷେଇ କରୁଥିଲେ। ଏହି ସମୟରେ ସାନଭାଇ ପିଣ୍ଟୁ ରାଜେଶ ଘରକୁ ଆସି ଦେଖିବା ବେଳେ ଅଳୟ ଚଟାଣରେ ପଡ଼ିଥିଲେ। ତାଙ୍କର ପାଟିରୁ ଫେଣ ବାହାରୁଥିଲା। କୀଟନାଶକ ପିଇ ଦେଇଥିବା ସନ୍ଦେହ କରି ତୁରନ୍ତ ତାଙ୍କୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ରାତାରାତି ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ରାତିି ପ୍ରାୟ ୧୧ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର