ଗୃହରେ ଚାଷୀ ତାତି, ବାରମ୍ବାର ମୁଲତବୀ

ବିରୋଧୀଙ୍କ ଜିଦ୍‌ ରହିଲା, ସୋମବାର ୨ ଘଣ୍ଟା ଆଲୋଚନା

ମନ୍ତ୍ରୀଙ୍କ ବିବୃତିକୁ ଚିରିଦେଲେ ବିରୋଧୀ ଦଳ ନେତା
ନରସିଂହଙ୍କ ନୋଟିସରେ ସ୍ବର ବଦଳାଇଲେ ବାଚସ୍ପତି
ସର୍ବଦଳୀୟ ବୈଠକ ପରେ ଗୃହ ସ୍ବାଭାବିକ

ଭୁବନେଶ୍ବର : ‘ଚାଷୀର ଦୁଃଖକୁ ଶୁଣୁନାହଁ। ଆଲୋଚନା କରିବାକୁ ପଛାଉଛ। ବିଧାନସଭାରେ କିଛି ଗୋଟିଏ ନିଷ୍ପତ୍ତି ହେବ ବୋଲି ଚାଷୀମାନେ ଚାହିଁ ବସିଛନ୍ତି। ଏଠି ଯଦି ନିଷ୍ପତ୍ତି ହେବନାହିଁ, ତାହେଲେ ଏ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାର ଯଥାର୍ଥ କଣ? ଚାଷୀ ପ୍ରସଙ୍ଗରେ ଆଲୋଚନା ନ ହେବା ଯାଏ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେବୁ ନାହିଁ କି ଗୃହ କାର୍ଯ୍ୟରେ ସହଯୋଗ କରିବୁନାହିଁ।’ ଗୃହ ମଧ୍ୟଭାଗରେ ନାରାବାଜି କରିବା ସହିତ ଧାନ କିଣା ଦୁର୍ନୀତି ନେଇ ଆଜି ବିରୋଧୀ ଏପରି ସରକାରଙ୍କୁ ଅକଳରେ ପକାଇ ଦେଇଥିଲେ ଯେ ଦୁଇଦିନ ଧରି ଆଲୋଚନାକୁ ଅମଙ୍ଗ ହେଉଥିବା ସରକାର ବାଧ୍ୟ ହୋଇ ବିରୋଧୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଅପରାହ୍ନରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକି ପୁଣି ଆଲୋଚନା କରିଥିଲେ। ନିଷ୍ପତ୍ତି ହେଲା, ଗୃହ ଉଦ୍‌ବେଗକୁ ଦେଖି ଆସନ୍ତା ସୋମବାର ପ୍ରଶ୍ନକାଳ ପରେ ଦୁଇ ଘଣ୍ଟା ଧରି ଆଲୋଚନ ହେବ। ବାଚସ୍ପତିଙ୍କ ରୁଲିଂ ପରେ ଦୁଇଦିନ ଅଚଳାବସ୍ଥା ଦୂର ହୋଇ ଗୃହ ସ୍ବାଭାବିକ ହେଲା। ତେବେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରଖିଥିବା ବିବୃତିକୁ ବିରୋଧୀ ଗ୍ରହଣ କରିନଥିଲେ। ଏପରିକି ମନ୍ତ୍ରୀଙ୍କ ବିବୃତିକୁ ଗୃହରେ ଚିରି ଫୋପାଡ଼ି ଦେଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଗତକାଲିର ସର୍ବଦଳୀୟ ବୈଠକ ସମ୍ପର୍କରେ ବାଚସ୍ପତି ଗୃହକୁ ବିଭ୍ରାନ୍ତି କରିବା ଗୃହର ମର୍ଯ୍ୟାଦା ହାନି କରିଛି। ଏ ନେଇ ତାଙ୍କ ବିରୋଧରେ କାହିଁକି ସ୍ବାଧିକାର ଭଙ୍ଗ ନୋଟିସ ଅଣାଯାଇପାରିବନି ବୋଲି ଲିଖିତ ଭାବେ ଜଣାଇବାପରେ ବାଚସ୍ପତି ସ୍ବର ବଦଳାଇଥିଲେ।

ବିଜେପି ସଦସ୍ୟଙ୍କ ହାତରେ ଥିଲା ଚାଷୀ କାନ୍ଦୁଛି ଲେଖାଥିବା ବ୍ୟାନର୍‌। କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା। ଶନିବାର ଚାଷୀ ପ୍ରସଙ୍ଗରେ ଆଲୋଚନା ଦାବିରେ ବିରୋଧୀ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବା ସହ ଗୃହକୁ ଅଚଳ କରିଦେଇଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ପ୍ରଥମେ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପରେ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିବୃତି ରଖିବାକୁ ଡାକିଥିଲେ। ହୋହଲ୍ଲା ମଧ୍ୟରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିବୃତି ରଖିଥିଲେ ବି ତାଙ୍କ ବିବୃତିକୁ ବିରୋଧୀ କର୍ଣ୍ଣପାତ କରିନଥିଲେ। ମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୁଲତବୀ ରଖିଲେ। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ନେତା ଶ୍ରୀ ନାଏକ ମନ୍ତ୍ରୀଙ୍କ ବିବୃତି ହାତରେ ଧରି କହିଥିଲେ, ଚାଷୀଙ୍କ ବାସ୍ତବ ସମସ୍ୟା ନେଇ ବିରୋଧୀ ଯାହା ଦାବି କରିଛନ୍ତି ସେ ସମ୍ପର୍କରେ ମନ୍ତ୍ରୀ କିଛି ବି କହିନାହାନ୍ତି। କେନ୍ଦ୍ରର ଅର୍ଥରେ ଚାଷୀଙ୍କ ଠାରୁ ଧାନ କିଣାଯାଉଛି। କେବଳ ଏଜେଣ୍ଟ୍‌ ଭଳି କାମ କରିବା କଥା। କିନ୍ତୁ ସେତକ ବି ଠିକ୍‌ ଭାବେ କରିପାରୁନାହାନ୍ତି। ଚଳିତ ବର୍ଷ ଧାନ କିଣା ବାବଦରେ କେନ୍ଦ୍ର ସରକାର ୧୩ ହଜାର କୋଟି ଟଙ୍କା ରାଜ୍ୟକୁ ଦେଇଛନ୍ତି। କିନ୍ତୁ ଏବେ ବି ୫ ଲକ୍ଷ ଚାଷୀଙ୍କର ପ୍ରାୟ ୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ପଡ଼ିରହିଛି। ଟୋକନ୍‌ ସମସ୍ୟା ନେଇ ମନ୍ତ୍ରୀ କିଛି ବି କହିନାହାନ୍ତି। ଧାନ ମଣ୍ଡିରେ ସ୍ଥାନ ନଥିବାରୁ ଚାଷୀମାନେ ସେମାନଙ୍କ ଧାନକୁ ବାହାରେ ପକାଇ ରଖିଛନ୍ତି। ଗତ ଦୁଇଦିନ ଧରି ପଶ୍ଚିମ ଓଡ଼ିଶାରେ ବର୍ଷା ଚାଲିଛି। ଯେଉଁ ଚାଷୀମାନଙ୍କ ଧାନ ଓଦା ହେଲା ସେଥିପାଇଁ ଦାୟୀ କିଏ ରହିବ। ସେସବୁ ଧାନକୁ କିଏ କିଣିବ? କାହିଁକି ମନ୍ତ୍ରୀଙ୍କ ବିବୃତିରେ ଏହାର ସମାଧାନ ସମ୍ପର୍କରେ କିଛି ବି କୁହାଯାଇନି। କେବଳ ଫମ୍ପା ପ୍ରତିଶ୍ରୁତି ଦିଆଯାଇଛି। ଚାଷୀର ସମସ୍ୟା ପ୍ରସଙ୍ଗରେ ଆଲୋଚନା କରାଯାଉ। ନଚେତ ଏଭଳି ବିବୃତିର କିଛି ଅର୍ଥ ନାହିଁ ବୋଲି କହି ଶ୍ରୀ ନାଏକ ମନ୍ତ୍ରୀଙ୍କ ବିବୃତି କାଗଜକୁ ଗୃହରେ ଚିରି ଫୋପାଡ଼ି ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ନିତି ଆୟୋଗ ବୈଠକରେ ଗଣତନ୍ତ୍ରର ମୂଲ୍ୟବୋଧ ନେଇ ମୁଖ୍ୟମନ୍ତ୍ରୀ ଭାଷଣ ମାରୁଛନ୍ତି। ଅଥଚ ପ୍ରତିଦିନ ଏ ଗୃହରେ ଗାଣତନ୍ତ୍ରିକ ବ୍ୟବସ୍ଥାର ବୁଲଡୋଜିଂ ହେଉଛି। ଏ କଥା କଣ ମୁଖ୍ୟମନ୍ତ୍ରୀଙ୍କୁ ଦିଶୁନାହିଁ? ବିରୋଧୀ ଚାଷୀ ପ୍ରସଙ୍ଗରେ ଆଲୋଚନା ଚାହୁଁଛନ୍ତି। କିନ୍ତୁ ଏ ପବିତ୍ର ଗୃହରେ ବିରୋଧୀଙ୍କୁ ପ୍ରତିବାଦ କରିବାର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି। ଏହା କିଭଳି ବ୍ୟବସ୍ଥା? ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି ସମ୍ପର୍କରେ ବାଚସ୍ପତି ଯେଭଳି ବିଭ୍ରାନ୍ତ କଲାଭଳି ଘୋଷଣା କଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ନେଇ ସେ ବାଚସ୍ପତିଙ୍କୁ ସ୍ପଷ୍ଟୀକରଣ ଦେବା ପାଇଁ ଅନୁରୋଧ କରିଥିବା କହିଥିଲେ। ଚାଷୀ ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଥିଲେ ଯେ ଗତକାଲି ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ସେ ଦେଇଥିବା ମୁଲତବୀ ଆଲୋଚନା ଯେପରି ନ ହୋଇପାରିବ ସେଥିପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଛି। ଚାଷୀକୁ ଟୋକନ୍‌ ମିଳିନାହିଁ। ମିଳିଥିବା ଟୋକନ୍‌ର ଅବଧି ସରିଗଲା ବୋଲି ଧାନ ନେଇଥିବା ଚାଷୀକୁ ପ୍ୟାକ୍‌ସ୍‌ ଓ ଲ୍ୟାମ୍ପସ୍‌ ଅଧିକାରୀ ଫେରେଇ ଦେଉଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା କଲେ କାଳେ ମହାଦୁର୍ନୀତି ଧରାପଡ଼ିଯିବ ସେଥିପାଇଁ ସରକାର ଡରୁଛନ୍ତି। ପ୍ରତ୍ୟେକ ଚାଷୀଙ୍କ ଧାନରୁ କ୍ବିଣ୍ଟାଲ ପିଛା ଯେଉଁ ୫ରୁ ୧୫ କେଜି ପର୍ଯ୍ୟନ୍ତ କଟ୍‌ନି ଛଟ୍‌ନି ହେଉଛି ତାହା କଣ ବିଭାଗୀୟ ଜଣେ ଅଧିକାରୀ ଖାଉଛି। ନିଶ୍ଚିତ ଉପର ସ୍ତରରୁ ଏହି ଦୁର୍ନୀତି ପଛରେ ହାତ ରହିଥିବ। ପୂର୍ବରୁ ଚାଷୀଙ୍କ ସବୁ ଧାନ କିଣିବାକୁ ବାହାସ୍ଫୋଟ ମାରୁଥିଲ କିନ୍ତୁ ଦାନ କିଣୁନ କାହିଁକି? ବର୍ଷାରେ ଓଦା ହୋଇଥିବା ଚାଷୀଙ୍କ ଧାନକୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଗ୍ୟାରେଣ୍ଟି ଦେବେ କି? ହାଇକୋର୍ଟଙ୍କ ରାୟ ଅନୁସାରେ ଏଫ୍‌ସିଆଇ ଚାଷୀଙ୍କର ସବୁ ଧାନ କିଣିବାକୁ ବାଧ୍ୟ। ଗୋଟିଏ କ୍ବିଣ୍ଟାଲ ଧାନ ଉତ୍ପାଦନ ପାଇଁ ୧୮୩୧ ଟଙ୍କା ଖର୍ଚ୍ଚ ହେଉଛି ବୋଲି ସରକାର ହିସାବ କରିଛନ୍ତି। ଏମ୍‌ଏସ୍‌ପି ଦର ଅନୁଯାୟୀ ଚାଷୀ ପାଉଛି ୧୮୬୮ ଟଙ୍କା। ଅର୍ଥାତ୍‌ ମାତ୍ର ୩୭ ଟଙ୍କା ଚାଷୀକୁ ମିଳୁଛି। ଅଥଚ ସରକାର ଜଳସେଚିତ ଜମିରୁ ଏକର ପ୍ରତି ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିରୁ ମାତ୍ର ୧୩ କ୍ବିଣ୍ଟାଲ ହିସାବରେ କିଣିବାକୁ ନୀତି କରିଛନ୍ତି। ଶ୍ରୀପଦ୍ଧତିରେ ଚାଷ ଓ ଆଧୁନିକ ଜ୍ଞାନ କୌଶଳରେ ଚାଷୀ ଏକର ପିଛା ୨୦ କ୍ବିଣ୍ଟାଲରୁ ୪୦ କ୍ବିଣ୍ଟାଲ ଧାନ ଅମଳ କରୁଛି। ଚାଷୀର ବଳକା ଧାନ ଯଦି କିଣାନଯିବା ତାହେଲେ ଚାଷୀ ସେଥିରେ ବଡ଼ କ୍ଷତି ସହୁଛି। ମନ୍ତ୍ରୀଙ୍କୁ ୭ ଦିନ ମହଲତ ଦେବାକୁ ଯଦି ବାଚସ୍ପତି କହୁଛନ୍ତି ତାହେଲେ ୭ ଦିନ କାଳ ଚାଷୀର କ୍ଷତି ହେବ ତାକୁ ଭରଣା କରିବ କିଏ? କଥା ବି ଉଠିପାରେ ବିଧାୟକମାନେ ପିସି ନେଇ ୭ ଦିନ ମହଲତ ଦେଇଦେଲେ। ଏସବୁର ଉତ୍ତର ପାଇବାକୁ ହେଲେ ଏ ଗୃହରେ ଆଲୋଚନା ହେବା ଦରକାର। ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବା ଆରମ୍ଭ କଲେଣି। ଏପରି ହେଲେ ସରକାର ଦାୟୀ ରହିବେ ବୋଲି ଶ୍ରୀ ମିଶ୍ର ରୋକଠୋକ ଶୁଣାଇଥିଲେ।

ଶ୍ରୀ ମିଶ୍ରଙ୍କ ନୋଟିସରେ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, ଗତକାଲି ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ସେ ସର୍ବଦଳୀୟ ବୈଠକ ଡାକିଥିଲେ। ସେଥିରେ ଗୃହର ଉଦବେଗକୁ ଦେଖି ମନ୍ତ୍ରୀଙ୍କୁ ବିବୃତି ରଖିବାକୁ କହିଥିଲେ। ପ୍ରାୟ ଅଧିକାଂଶ ସଦସ୍ୟ ଏଥିରେ ରାଜି ହୋଇଥିଲେ। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ରାଜି ହୋଇନଥିବା ନେଇ ଯାହା ଦାବି କରିଛନ୍ତି ତାହା ଠିକ୍‌। ବାଚସ୍ପତି ଏତିକି କହିବା ପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ବାଚସ୍ପତି ମହୋଦୟ ଆପଣ ଗତକାଲି ସର୍ବଦଳୀୟ ବୈଠକ ପରେ ମନ୍ତ୍ରୀ ବିବୃତି ଦେବା ନେଇ ସର୍ବସହମତି ହୋଇଥିଲା ବୋଲି କହିଥିଲେ। କିନ୍ତୁ ଆଜି ଆପଣ ତାକୁ ବଦଳାଇ ଅଧିକାଂଶ ସଦସ୍ୟଙ୍କ ସହମତି ଥିବା କଥା କହୁଛନ୍ତି। କୋଉଟା ଠିକ୍‌ ଯଦି ଆଜି ଯାହା ଆପଣ କହୁଛନ୍ତି ତାହେଲେ ଗତକାଲିର ରୁଲିଂକୁ ସଂଶୋଧନ କରନ୍ତୁ ବୋଲି ଶ୍ରୀ ସାଲୁଜା ଦାବି କରିଥିଲେ। ଶ୍ରୀ ସାଲୁଜାଙ୍କୁ ଉତ୍ତର ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଗତକାଲି ସେ ଦେଇଥିବା ରୁଲିଂରେ ସଂଶୋଧନ କରାଯାଇଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଚାଷୀ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହଜାର ହଜାର ଚାଷୀ ଧାନ ଧରି ବସିଛନ୍ତି। ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକନ୍ତୁ ଓ ଆଲୋଚନା ପାଇଁ ନିଷ୍ପତ୍ତି ନିଅନ୍ତୁ। ନ ହେଲେ ଆମକୁ ଚାଷୀ କେବେ ବି କ୍ଷମା ଦେବେନାହିଁ। ଏହା କହି କାନ୍ଦି ପକାଇ ଶ୍ରୀ ବାହିନୀପତି ବାଚସ୍ପତିଙ୍କୁ ହାତ ଯୋଡ଼ିଥିଲେ। ପରେ ଚାଷୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସମାନ ଦାବି କରିଥିଲେ। ଗୃହରେ ସଦସ୍ୟମାନଙ୍କ ଉଦବେଗକୁ ଦେଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଅପରାହ୍ନ ୪ଟା ୫୭ରେ ଗୃହକୁ ମୁଲତବୀ ରଖିଥିଲେ। ସର୍ବଦଳୀୟ ବୈଠକ ସନ୍ଧ୍ୟା ୫ଟା ୫୧ ମିନିଟ୍‌ ପର୍ଯ୍ୟନ୍ତ ଚାଲିବାରୁ ଗୃହକୁ ୫ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ସନ୍ଧ୍ୟା ୫ଟା ୫୧ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସର୍ବଦଳୀୟ ବୈଠକ ଅନୁଯାୟୀ ଆସନ୍ତା ସୋମବାର ପ୍ରଶ୍ନକାଳ ପରେ ଚାଷୀ ପ୍ରସଙ୍ଗରେ ୨ ଘଣ୍ଟା ଆଲୋଚନା କରିବାକୁ ସ୍ଥିର କରାଯାଇଥିବା ନେଇ ଗୃହରେ ଘୋଷଣା କରିଥିଲେ। ଏହାପରେ ଦୁଇ ଦିନର ଅଚଳାବସ୍ଥା ଦୂର ହୋଇ ଗୃହ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର