ଚାଷୀଙ୍କ ଧମକ: ସରକାର ଧାନ ନକିଣିଲେ ଆତ୍ମହତ୍ୟା କରିବୁ

ଯାଜପୁରସଦର: ପ୍ରଶାସନ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହିଲା। ପ୍ୟାକ୍ସରେ ଧାନକିଣାକୁ ଗୁରୁତ୍ବ ଦିଆଗଲାନି। ଚାଷୀ ଟୋକନ୍‌ ପାଇ ମଧ୍ୟ ମଣ୍ଡିରେ ଧାନ ବିକି ପାରିଲାନି। ଏହାର ସୁଯୋଗ ନେଇ ମିଲରଙ୍କ ଦଲାଲମାନେ ଗାଁଗାଁରେ ମାତିଲେ। କମ୍‌ ଦରରେ ଚାଷୀଙ୍କ ଠାରୁ ଧାନ ଉଠାଇଲେ। ଜିଲ୍ଲାରେ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୧୦ ହଜାର ୯୯୨ ଜଣ ଧାନ ବିକିପାରି ନଥିଲେ ମଧ୍ୟ ସେମାନଙ୍କ ସମସ୍ୟାଙ୍କୁ ଗୁରୁତ୍ବ ଦିଆଯାଉନି। ସବୁଆଡୁ ନିରାଶ ହୋଇ ଚାଷୀମାନେ ଜିଲ୍ଲାପାଳଙ୍କୁ ଗୁହାରି କରିବା ସହ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ଯାଜପୁର ଜିଲ୍ଲା ସୁକିନ୍ଦା ସମବାୟ ସମିତିର ଶହଶହ ଚାଷୀ ଧାନ ଦେବାରୁ ବଞ୍ଚିତ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ଜଣାଇଛନ୍ତି। ବାରମ୍ବାର ସମବାୟ ସମିତିକୁ ‌ଦୌଡିଦୌଡି ଚାଷୀମାନେ ନୟାନ୍ତ ହେଉଥିବା ବେଳେ ଟାର୍ଗେଟ ନଥିବାରୁ  ଧାନ କିଣା ଯିବନି ବୋଲି ଉତ୍ତର ପାଉଛନ୍ତି। ଜାନୁଆରି ମାସ ଶେଷ ସୁଦ୍ଧା ଚାଷୀମାନେ ସମସ୍ତ ଧାନ ବିକି ଦେଉଥିଲେ। ହେଲେ ଏଥର ମାର୍ଚ୍ଚ ମାସ ହେଲାଣି ଧାନ ଉଠିପାରିଲା ନାହିଁ।  ବର୍ଷକ ଯାକର ପରିଶ୍ରମର ଫଳ ପଡ଼ି ରହି ନଷ୍ଟ ହେବାକୁ ବସିଲାଣି। ଚାଳଛପର ଘରେ ଥିବା ଧାନ  ନଷ୍ଟ ହେବାର ଭୟ ରହିଛି। ଅନେକ ଚାଷୀଙ୍କ ଟୋକନ ଅବଧି ମଧ୍ୟ ଶେଷ ହୋଇଯାଇଛି। ସୁକିନ୍ଦା ପ୍ୟାକ୍ସ ଅଧୀନରେ ଆହୁରି ୨ଶହ ଚାଷୀ ଧାନ ଦେବାକୁ ଅପେକ୍ଷା କରି ରହିଛନ୍ତି।  ନିର୍ବାଚନ ଆଳରେ ଚାଷୀଙ୍କ ଜୀବିକାକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହେଉଥିବା ବେଳେ  ସରକାରୀ ବ୍ୟବସ୍ଥା ଫେଲ ଯୋଗୁ ଚାଷୀ ବାଧ୍ୟ ହୋଇ କ୍ଷତି ସହି ବ୍ୟବସାୟୀଙ୍କୁ ଧାନ ବିକୁଛି। ଏହି କାରଣରୁ ଚାଷରୁ ମୁହଁ ଫେରାଉଛନ୍ତି। ଏଭଳି ସରକାରୀ ଷଡ଼୍‌ଯନ୍ତ୍ର ଯୋଗୁଁ ଚାଷ ଛାଡିବା ସହ ଧାର ଉଧାର ସୁଝି ନପାରିଲେ ଆତ୍ମହତ୍ୟାର ବାଟ ବାଛିବେ ବୋଲି ଚେତାବନୀ ଦେଇଛନ୍ତି।  ଚାଷୀଙ୍କ ସମସ୍ୟା ଶୁଣିବା ପରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ  ସିଂ ରାଠୋର ଏନେଇ କଣ ବ୍ୟବସ୍ଥା କରିହେବ ସେ ଦିଗରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।  ଆଜି ଚାଷୀ ସନ୍ତୋଷ କୁମାର ମୁଦୁଲି, ବିମ୍ବାଧର ପୃଷ୍ଟି, ପ୍ରମୋଦ ସାହୁଙ୍କ ସମେତ ଶତାଧିକ ଚା‌ଷୀ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ।  ତେବେ ଖାଲି ସୁକିନ୍ଦା ନୁହଁ ଜିଲ୍ଲାର ସବୁ ଅଞ୍ଚଳରେ ସମାନ ସମସ୍ୟା ରହିଛି।

ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାରେ ୪୫ହଜାର ୮୨୪ଚା‌ଷୀ ଧାନ ଦେବାକୁ ପଞ୍ଜିକୃତ ‌ହୋଇଥିଲେ। ମୋଟ ୧୩ଲକ୍ଷ ୯୨ହଜାର ୯୧କୁଇଣ୍ଟାଲ ଧାନ କ୍ରିୟ ହୋଇଥିବା ବେଳେ ୧୦ହଜାର ୯୯୨ଜଣ ଚାଷୀ ଧାନ ଦେଇପାରି ନାହାନ୍ତି। ଏଭଳି ଅବ୍ୟବସ୍ଥାର ତଦନ୍ତ ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ କମିସନଙ୍କ ନିର୍ଦ୍ଦେଶ ବଳରେ ୫ଜଣିଆ ଟିମ୍ ବିଭିନ୍ନ ବ୍ଲକ୍ ପରିଦର୍ଶନ କରି ତଦନ୍ତ କରି ଫେରିଯାଇଛନ୍ତି। ଏହି ଟିମ୍‌ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଚାଷୀଙ୍କଠାରୁ ଧାନକିଣା ନେଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର