ମିଲର ଆସିଲେନି, ପଳାଇଗଲେ ପ୍ୟାକ୍ସ କର୍ମଚାରୀ : ଅନ୍ଧାର, ଶୀତକାକରରେ ଧାନ ଜଗିଛନ୍ତି ଚାଷୀ

କଟକ : ମଣ୍ଡି‌େର ବି‌କିବେ ଧାନ। ଏଥିପାଇଁ ରାତି ୪ଟାରୁ ଧାନ ଧରି ଅପେକ୍ଷା କରିଛନ୍ତି ଚାଷୀ। କିନ୍ତୁ ମିଲର ଦେଖା ନାହିଁ କି ଧାନକୁ ରଖିବା ପାଇଁ ପ୍ୟାକ୍ସ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା‌ କରି ନାହାନ୍ତି। ଫଳରେ ଶୀତକାକରରେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ଧରି ଜଗି ବସିଛନ୍ତି ଚାଷୀ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ବଡମ୍ବା ବ୍ଲକ୍‌ ଅନ୍ତର୍ଗତ କଙ୍କଡାଯୋଡି ପ୍ୟାକ୍ସରେ। ଧାନ ମଣ୍ଡିରୁ ଉଠିବା ପର୍ଯ୍ୟନ୍ତ ଏମିତି ଶୀତକାକରରେ ପଡିଥିବୁ ବୋଲି ଜିଦ୍‌ ଧରି ଧାନ ବସ୍ତା ଉପରେ ଗାମୁଛା ଖଣ୍ଡିଏ ଲେଖାଏଁ ପକାଇ ଶୋଇଛନ୍ତି ଚାଷୀ।

କଟକ ଜିଲ୍ଲାରେ ଧାନ କିଣାରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା। ବଡମ୍ବା କଙ୍କଠାଯୋଡି ସେବା ସମବାୟ ସମିତିରେ ପୂର୍ବରୁ ଦୁଇଥର ଧାନ ମଣ୍ଡିରୁ ଉଠିସାରିଲାଣି। ଆଜି ଥିଲା ତୃତୀୟ ମଣ୍ଡି ପାଳି। ସେଥିପାଇଁ ସକାଳୁ ତାଳମୁଣ୍ଡଳୀ ଗାଁର ସରୋଜ କୁମାର ନାୟକ, ରବିନ୍ଦ୍ର ରାଉତ୍‌ଙ୍କ ସମେତ ୧୬ଜଣ ଚାଷୀ ଧାନ ଧରି ସମିତିରେ ପହଞ୍ଚିଥିଲେ। କିନ୍ତୁ ମିଲର ଆସିଲେନି। ସଂଧ୍ୟା ପରେ ପ୍ୟାକ୍ସ କର୍ମଚାରୀ ମଧ୍ୟ ପଳାଇ ଗଲେ। ଯେ ହେତୁ ୫ଶହ ଟଙ୍କା ଖର୍ଚ୍ଚ କରି ମଣ୍ଡିକୁ ଧାନ ଧରି ଚାଷୀ ଆସିଛନ୍ତି, ତେଣୁ ଘରକୁ ଫେରିବା ପାଇଁ ହାତରେ ଟଙ୍କା ନାହିଁ। ପୁଣି ଗାଡି ଭଡା କରି ଘରକୁ ଧାନ ନେଇ ପୁଣି ଆର ପାଳିରେ ଧାନ ବିକ୍ରି ପାଇଁ ଆସିବା ମଧ୍ୟ ସେମାନଙ୍କ ପାଇଁ ଅସମ୍ଭବ। ତେଣୁ ଚାଷୀ ବାଧ୍ୟ ହୋଇ ରାତି ତମାମ୍‌ ଧାନ ମଣ୍ଡିରେ ବସିଛନ୍ତି। ମଣ୍ଡିରେ ନା ଅଛି ତାରପୋଲିନ୍, ନାଁ ଅଛି ଗୋଦାମ ଘର। ‌ଫଳରେ ନିଜେ ଟର୍ଚ୍ଚ ଧରି ନିଜ ଧାନକୁ ଜଗି ବସିଛନ୍ତି ଚାଷୀ। ଜିଲ୍ଲାରେ ଅନେକ ମଣ୍ଡିରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ପ୍ୟାକ୍ସ କର୍ତ୍ତୃପକ୍ଷ ମଧ୍ୟ ଚାଷୀ ବଦଳରେ ବେପାରୀଙ୍କ ଧାନକୁ ଅଗ୍ରାଧିକାର ଦେଇ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର