ଭୁବନେଶ୍ବର : ଚାଷୀଙ୍କଠୁ ଧାନ କିଣାରେ ପୂର୍ଣ୍ଣ ସ୍ବଚ୍ଛତା ପାଇଁ ସମବାୟ ବିଭାଗ ଉଦ୍ୟମ ଚଳାଇଛି। ଏବେ ଆଧାର ସଂଯୋଗ ପରେ ବି ୩ ଲକ୍ଷ ୨୭ ହଜାର ଚାଷୀଙ୍କ ତଥ୍ୟ ମେଳ ଖାଉନି। ଏପରି ସାଂଘାତିକ ତଥ୍ୟ ଏବେ ସରକାରଙ୍କ ମୁଣ୍ଡବିନ୍ଧା ବଢ଼ାଇଦେଇଛି। ସମବାୟ ନିବନ୍ଧକ ଏପରି ତ୍ରୁଟିକୁ ୩ ଦିନ ଭିତରେ ସଜା଼ଡ଼ିବାକୁ ସବୁ ଜିଲ୍ଲାର ସମବାୟ ଉପନିବନ୍ଧକ ଓ ସର୍କଲ ସହକାରୀ ସମବାୟ ନିବନ୍ଧକଙ୍କୁ ଚିଠି ଲେଖିଛନ୍ତି।

Advertisment

୨୦୧୯-୨୦ ବର୍ଷ ଖରିଫ ପାଇଁ ଚାଷୀଙ୍କୁ ଶସ୍ୟଋଣ ପ୍ରଦାନ ପାଇଁ ଆଧାର ସଂଯୋଗକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଏହାସହିତ ଧାନ ବିକ୍ରି କରିବାକୁ ବିଭିନ୍ନ ପ୍ରାଥମିକ ସମବାୟ ସମିତି ଓ ବହୁମୁଖୀ ବୃହଦକାୟ ସମବାୟ ସମିତିଗୁଡ଼ିକରେ ଚାଷୀ ପଞ୍ଜୀକରଣ ସହିତ ସେମାନଙ୍କ ଜମି ପଟ୍ଟା, ଆଧାର ସଂଯୋଗକୁ ମଧ୍ୟ କଡ଼ାକଡ଼ି ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଖାଲି ସେତିକିନୁହେଁ, ଧାନ କିଣା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିବାକୁ ସମବାୟ ବିଭାଗ ଚଳିତଥର ସବୁ ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକ ଅନଲାଇନ ଯୋଗେ ଗୋଟିଏ ନେଟଵାର୍କରେ ଯୋଡ଼ିହେବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି। ଫଳରେ ଧାନ କିଣା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଏପରି ବ୍ୟବସ୍ଥା ସାରା ଦେଶରେ ଉଦାହରଣ ବୋଲି ଖୋଦ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ କହିଥିଲେ। ଏବେ ଯେଉଁ ତଥ୍ୟ ସାମନାକୁ ଆସିଛି ତାକୁ କିପରି ସଜାଡ଼ିବେ ତାକୁ ନେଇ ଅଡୁଆରେ ପଡିଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ଗତ ୩ ତାରିଖ ସୁଦ୍ଧା ୧୨ ଲକ୍ଷ ୩୫ ହଜାର ୭୫୮ ଜଣ ଚାଷୀଙ୍କ ଆଧାର ସଂଯୋଗ ପାଇଁ ପଠାଯାଇଥିଲା। ସେଥିରୁ ୩ ଲକ୍ଷ ୨୭ ହଜାର ୮୯ ଜଣ ଚାଷୀଙ୍କ ଆଧାର ତଥ୍ୟ ମେଳ ଖାଉନଥିବା ବେଳେ ୨୩୮ ଜଣ ଚାଷୀଙ୍କ ଆଧାର ସଂଯୋଗ ଆଦୌ ହୋଇପାରିନଥିଲା। ସେହିପରି ୪ ହଜାର ୬୬୧ ଜଣ ଚାଷୀଙ୍କ ଆଧାର ସକ୍ରିୟ ନଥିବାବେଳେ ୮୧୪ ଜଣ ଚାଷୀଙ୍କ ଆଧାରନମ୍ବର ସଂଯୋଗ ବେଳେ ରଦ୍ଦ ହୋଇଯାଇଛି। ବୈଷୟିକ ତ୍ରୁଟି ଯୋଗୁଁ ୪୭୬ଟି ଆଧାର ସଂଯୋଗ ହୋଇପାରିନାହିଁ। ଏତେ ପରିମାଣରେ ଆଧାର ସଂଯୋଗ ଅସମାନତାକୁ ଦୂର କରିବାକୁ ସମବାୟ ନିବନ୍ଧକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେଳ ଖାଉ ନ ଥିବା ଚାଷୀଙ୍କ ଆଧର ସଂଯୋଗ ପାଇଁ କିଏ ଦାୟୀ ? ପଞ୍ଜୀକରଣ କରିଥିବା ସମ୍ପୃକ୍ତ ପ୍ୟାକ୍ସ, ଲ୍ୟାମ୍ପ୍ସ କିମ୍ବା ସମ୍ପୃକ୍ତି ଜିଲ୍ଲାରେ କାର୍ଯ୍ୟକରୁଥିବା ସମବାୟ ବିଭାଗ। ୩ ଦିନ ଭିତରେ ଏହି ତ୍ରୁଟିକୁ ସଜାଡ଼ିବାକୁ ସମବାୟ ନିବନ୍ଧକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।