କୃଷି ଆଇନ ପ୍ରତ୍ୟାହାର ଦାବି, ଆରମ୍ଭ ହେଲା କୃଷକ ଅଧିକାର ଯାତ୍ରା

ଭୁବନେଶ୍ୱର : କେନ୍ଦ୍ର ପ୍ରଣୀତ କଳା କୃଷି ଆଇନର ପ୍ରତ୍ୟାହାର ନିମନ୍ତେ ଏକ ଜନଆନ୍ଦୋଳନ ତିଆରି କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜିଠାରୁ କୃଷକ ଅଧିକାର ଯାତ୍ରାର ଆରମ୍ଭ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ଐତିହାସିକ ଦାଣ୍ଡିଯାତ୍ରା ଦିବସ ଉପଲକ୍ଷେ ଭୁବନେଶ୍ୱର ଗାନ୍ଧୀ ପାର୍କଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ରାଜ୍ୟବ୍ୟାପୀ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇବ। ଲୋହିଆ ଏକାଡେମିଠାରୁ ଏକ ସୁସଜ୍ଜିତ ବସ୍ ଯୋଗେ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଂଶୀଦାର କୃଷକ ସଂଗଠନମାନଙ୍କ ମିଳିତ ମଞ୍ଚର ସଦସ୍ୟମାନେ ଏହି ଅଭିଯାନରେ ବାହାରିଛନ୍ତି। ଆଜି ସକାଳେ ବସ୍‌ଟି ଭୁବନେଶ୍ୱରରୁ ବାହାରିଛି। ଏହା ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଏବଂ ପୁରୀ ପ୍ରଭୃତି ଜିଲ୍ଲାରେ କୃଷକ ଅଧିକାର ସଭା, ସମିତି ଇତ୍ୟାଦିରେ କେନ୍ଦ୍ର ସରକାରଙ୍କ କୃଷକମାରଣ ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରିବ। ୨୩ ମାର୍ଚ୍ଚ ସହିଦ ଭଗବତ୍ ସିଂହଙ୍କ ବଳିଦାନ ଦିବସରେ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ କୃଷକ ଅଧିକାର ମହାସମାବେଶରେ ଏହି ଅଧିକାର ଯାତ୍ରା ପହଞ୍ଚିବ।

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ସୁରେଶ ପାଣିଗ୍ରାହୀ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, କୃଷକ ସ୍ୱାର୍ଥ ବିରୋଧୀ କଳା କୃଷି ଆଇନ ଯଥା କୃଷକ ସଶକ୍ତୀକରଣ ଏବଂ ମୂଲ୍ୟ ସୁରକ୍ଷା ସଂକ୍ରାନ୍ତ ରାଜିନାମା ଓ କୃଷି ସେବା ଆଇନ ୨୦୨୦ (କମ୍ପାନିମାନଙ୍କ କଣ୍ଟ୍ରାକ୍ଟ ଫାର୍ମିଂ ଆଇନ), କୃଷିଜାତ ସାମଗ୍ରୀ ବିପଣନ, ପ୍ରୋତ୍ସାହନ ଓ ସଶକ୍ତୀକରଣ ଆଇନ ୨୦୨୦ (ଘରୋଇ ମଣ୍ଡି ଆଇନ), ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ର ସଂଶୋଧନ ଆଇନ ଓ ବିଦ୍ୟୁତ୍ ସଂଶୋଧନ ଆଇନ ୨୦୨୦ ବିରୋଧରେ ଏହି କୃଷକ ଅଧିକାର ଯାତ୍ରା ସଚେନତନା ସୃଷ୍ଟି କରିବ। ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ୨୬ ମାର୍ଚ୍ଚ ଭାରତ ବନ୍ଦ ସଫଳତା ପାଇଁ ତଥା କଳା କୃଷି ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ଏହି କୃଷକ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ ରୂପ ଦେବା ପାଇଁ ଏହି ଯାତ୍ରା ଆରମ୍ଭ ହୋଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଏହି ଅଭିଯାନରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ କମିଟି ପକ୍ଷରୁ ଅଖିଳ ଭାରତ କୃଷକ ସଭା, ଓଡ଼ିଶା କୃଷକ ସଭା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି, ଅଖିଳ ଭାରତ କୃଷକ ମହାସଭା, ଅଲ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭା, ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ, ନ୍ୟାସ୍‌ନାଲ୍ ଆଲାଏନ୍ସ ଫର ପିପୁଲ୍ସ ମୋଭ୍‌ମେଣ୍ଟ, ଇଣ୍ଡିଆନ୍ ସୋସିଆଲ୍ ଆକ୍ସନ୍ ଫୋରମ ଇତ୍ୟାଦି ସଂଗଠନ ସାମିଲ ଅଛନ୍ତି।

ଲିଙ୍ଗରାଜ ପ୍ରଧାନ, ସୁରେଶ ପାଣିଗ୍ରାହୀ, ଶଶିଭୂଷଣ ସ୍ୱାଇଁ, ପ୍ରଫୁଲ୍ଲ ସାମନ୍ତରାୟ, ଅଶୋକ ପ୍ରଧାନ, ଶ୍ରୀକାନ୍ତ ମହାନ୍ତି, କ୍ଷୀରୋଦ ପ୍ରସାଦ ସିଂହଦେଓ, ଜମେଶ୍ୱର ସାମନ୍ତରାୟ, ଦେବପ୍ରସାଦ ପରିଜା, କିସନ୍ ପଟ୍ଟନାୟକ, ଜ୍ୟୋତିରଞ୍ଜନ ମହାପାତ୍ର, ନରେନ୍ଦ୍ର ମହାନ୍ତି, ଜିତେନ୍ଦ୍ରିୟ ବେହୁରା, ଭାଲଚନ୍ଦ୍ର ଷଡ଼ଙ୍ଗୀ, ପ୍ରତାପ ପ୍ରଧାନ, ବାସୁଦେବ ଦାସ, ରଘୁନାଥ ଦାସ, ନିରଞ୍ଜନ ମହାନ୍ତି, ଶଙ୍କର ସାହୁ, ରାକେଶ ପାତ୍ର, ବଳଭଦ୍ର ମଲ୍ଲିକ, ବିଜୟ ସ୍ୱାଇଁ, ଅମୀୟ ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ଜୟନ୍ତ ଦାସ, ଅରୁଣ ଜେନା, ସୁଦର୍ଶନ ପ୍ରଧାନ, ସର୍ବେଶ୍ୱର ଭାରତୀ, ଶାଲ ମାର୍ଣ୍ଡି, ରାମଚନ୍ଦ୍ର ମୁଦୁଲି, ନୃସିଂହ ବେହେରା ଓ ପ୍ରଦୀପ ସାହୁ ପ୍ରମୁଖ ଏହି କୃଷକ ଅଧିକାର ଯାତ୍ରାର ନେତୃତ୍ୱ ନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର