ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ରବିଧାନ ସଂଗ୍ରହକୁ ନେଇ ଉପୁଜିଥିବା ସମସ୍ୟା ପ୍ରତିବାଦରେ ମଙ୍ଗଳବାର ବହୁ ସଂଖ୍ୟାରେ ଚାଷୀ ଗୋଡ଼ଭଗା ମାର୍କେଟ୍ ୟାର୍ଡ ସାମ୍ନାରେ ଧାନ ରଖି ବରଗଡ଼-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ସାଢ଼େ ୩ ଘଣ୍ଟା ଧରି ରାସ୍ତା ଅବରୋଧ ଫଳରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଦିନ ହଠାତ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ୍ରେ ଥିବା ଧାନର ପରିମାଣରୁ ୩୦ ପ୍ରତିଶତ କାଟି ଧାନ ସଂଗ୍ରହ କରାଯିବ ବୋଲି ଚାଷୀମାନେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଗୋଡ଼ଭଗା ମାର୍କେଟ୍ ୟାର୍ଡରେ ଚାଷୀମାନଙ୍କର ଏକ ବୈଠକ ବସି ସରକାରଙ୍କ ପଦକ୍ଷେପକୁ ବିରୋଧ କରି ରାସ୍ତାରୋକ କରିବାକୁ ନିଷ୍ପତ୍ତି ହୋଇଥିଲା।
ଗୋଡ଼ଭଗାରେ ଚାଷୀ ଉତ୍ତେଜନା
ସାଢ଼େ ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ
ଚଳିତ ରବି ଋତୁରେ ଅଦିନିଆ ଲଗାଣ ବର୍ଷା ଯୋଗୁ ଚାଷୀମାନେ ଧାନ ଅମଳ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚାଷୀଙ୍କ ଅମଳ ଧାନ ଖଳା ଓ ଜମିରେ ଗଜା ହୋଇଯିବା ସହ କ୍ଷେତରେ ପଡ଼ିଥିବା ଧାନ ବି କ୍ଷତିଗ୍ରସ୍ତ ହୋଇଥିଲା। ଏହାସତ୍ତ୍ବେ ଧାନକିଣାରେ ସରକାର ଓ ପ୍ରଶାସନର ଅବହେଳା ଯୋଗୁ ଧାନବିକ୍ରି ପାଇଁ ଚାଷୀକୁ ଦହଗଞ୍ଜ ହେବାକୁ ପଡ଼ୁଛି। ଏପରି ସ୍ଥିତିରେ ପୁଣି ସରକାରଙ୍କ ଧାନକିଣା ନୀତିର ପରିବର୍ତ୍ତନ ଚାଷୀଙ୍କୁ ଉତ୍ତ୍ୟକ୍ତ କରିଥିଲା। ଉପଜିଲ୍ଲାପାଳ ଆସନ୍ତା ୩୦ ତାରିଖ ମଧ୍ୟରେ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ସମସ୍ତ ମାର୍କେଟ୍ ୟାର୍ଡର ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କୌଣସି ଚାଷୀଙ୍କ ଟୋକନ୍ ଅବଧି ଶେଷ ହେବନାହିଁ ବୋଲି କହିଥିଲେ। ଫଳରେ ସନ୍ଧ୍ୟା ସାଢ଼େ ୭ଟାରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/25/dagdadgazvvc-2025-06-25-02-41-17.jpg)