ଚାନ୍ଦବାଲି: ‘କାଳିଆ’ ଯୋଜନା ଯୋଗୁଁ ଚାଷୀମାନେ ବିଶେଷ ଉପକୃତ ହେଉଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି ବୋଲି ଶନିବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଗସ୍ତ ଅବସରରେ ସେଠାରେ ଆୟୋଜିତ ସାଧାରଣ ସଭାରେ କହିଛନ୍ତି।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଦ୍ରକ-ଚାନ୍ଦବାଲି ଉନ୍ନତିକୃତ ରାସ୍ତା, ପାଇକରାପୁର ୧୩୨/୩୩ କେ. ଭି. ଗ୍ରିଡ୍‌ ସବ୍‌ଷ୍ଟେସନ୍‌, ଗଦି ଏବଂ ମତୋ ୩୩/୧୧ କେ. ଭି. ସବ୍‌ଷ୍ଟେସନ୍‌, ଚାନ୍ଦବାଲି ପାଓ୍ଵାର୍‌ ଗ୍ରିଡ୍‌, ଧାମରା ମତ୍ସ୍ୟ ପ୍ରାକ୍‌-ପ୍ରକ୍ରିୟାକରଣ କେନ୍ଦ୍ର, ଧାମରା ଦକ୍ଷତା ବିକାଶ କେନ୍ଦ୍ର, ଚାନ୍ଦବାଲି ମିନିଷ୍ଟାଡିୟମ୍‌, ନବନିର୍ମିତ ଭଦ୍ରକ ପାନ୍ଥନିବାସ ଓ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ନବନିର୍ମିତ ଭଦ୍ରକ ସରକାରୀ ପଲିଟେକ୍‌ନିକ୍‌ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପ୍ରଭୃତି ୩୯୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ଏହା ବ୍ୟତିରେକେ, ସେ ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି ଏବଂ ଧାମନଗର ବ୍ଲକ୍‌ର ଲୁଣିପାଣି ପ୍ରଭାବିତ ଅଞ୍ଚଳ ପାଇଁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ, ଜାମୁଝାଡ଼ି-ବାସୁଦେବପୁର-ଧାମରା ରାସ୍ତା, ଗୋବିନ୍ଦପୁର-ନନ୍ଦପୁର ରାସ୍ତାରେ ଗେଙ୍ଗୁଟି ନଦୀ ସେତୁ, ବାରସର-ହେଙ୍ଗୁପତି ରାସ୍ତାରେ ସାଳନ୍ଦୀ ସେତୁ, ୮ଟି ସଡ଼କ ନିର୍ମାଣ ପ୍ରକଳ୍ପ, ରାଇପୁର ଏବଂ ମହୁଲିଆ ପାନୀୟ ଜଳଯୋଗାଣ ପ୍ରକଳ୍ପ, ନବନିର୍ମିତ ଚାନ୍ଦବାଲି ତହସିଲ୍‌ କାର୍ଯ୍ୟାଳୟ, ଭଦ୍ରକ ସର୍କିଟ୍‌ ହାଉସ୍‌ ଆଦି ୧୧୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।