ଜୈବପୁଞ୍ଜ କୁଣ୍ଡରେ ଚାଷ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି

ଭୁବନେଶ୍ବର : କମ୍ ଜାଗାରେ ଓ କମ୍ ପାଣି ଆବଶ୍ୟକ କରୁଥିବା ଜୈବପୁଞ୍ଜ ବା ବାୟୋଫ୍ଲକ୍ କୁଣ୍ଡରେ ପୋଖରୀ ତୁଳନାରେ ପ୍ରାୟ ୨୦ଗୁଣ ଅଧିକ ମାଛ ଉତ୍ପାଦନ ହୋଇପାରୁଛି। ଚାଷୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଛନ୍ତି ଯେ ରାଜ୍ୟରେ ମଧୁର ଓ ଖାରିପାଣି ମାଛ ଓ ଚିଙ୍ଗୁଡ଼ି ଚାଷ ପାଇଁ ନୂତନ ପୋଖରୀ ଖୋଳା ସହିତ ଯାଁଆଳ, ଖାଦ୍ୟ ଓ ଆନୁସାଙ୍ଗିକ ସାମଗ୍ରୀ କ୍ରୟ ପାଇଁ ରିହାତି ଯୋଗାଇ ଦିଆଯାଉଛି। ଗ୍ରାମ ପଞ୍ଚାୟତ ‌ପୋଖରୀଗୁଡ଼ିକୁ ଦୀର୍ଘ ମିଆଦି ସୂତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଲିଜ୍ ପ୍ରଦାନ ଦିଆଯାଇ ସେଥିରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମାଛର ଆଗୁଆ ପ୍ରଜନନ କରାଯାଇ ମାଛ ଚାଷୀମାନଙ୍କୁ ଜୁନ୍ ଓ ଜୁଲାଇ ମାସରେ ଅଙ୍ଗୁଳିକା ଯାଆଁଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ରୋହି, ଭାକୁଡ଼, ମିରିକାଳୀ ଇତ୍ୟାଦି ମାଛ ବ୍ୟତୀତ ଅଳ୍ପ ସମୟ ମଧ୍ୟରେ ବଢ଼ି ପାରୁଥିବା ମାଛ ମଧ୍ୟରେ ଜଳଙ୍ଗ, ଟିଲାପିଆ, ମାଗୁର ଓ ଅମୁର କାର୍ପ ଯାଆଁଳ ଚାଷୀମାନଙ୍କୁ ଯୋଗାଇଦେବା ସହିତ ମାଛ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି।

ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ପାଇଁ ପାଣିରେ ଅମ୍ଲଜାନ ବୃଦ୍ଧି ଆବଶ୍ୟକ ପଡ଼ୁଥିବାରୁ ଚାଷୀମାନଙ୍କୁ ବାୟୁ ସଂଚାଳନ ଯନ୍ତ୍ର ଉପକରଣ ଉପରେ ରିହାତି ଦିଆଯାଉଛି। ଦୂର ସମୁଦ୍ର ମଧ୍ୟମରେ ମାଛ ଧରିବା ପାଇଁ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କୁ ଦେଶୀ ଡଙ୍ଗାର ଯାନ୍ତ୍ରିକୀକରଣ ପାଇଁ ଇଞ୍ଜିନ, ଡଙ୍ଗା ଓ ଜାଲ ପାଇଁ ସହାୟତା ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ମାଛ ମାରିବା ପାଇଁ ମଧ୍ୟ ଉନ୍ନତମାନର ମାଛଧରା ପୋତ ବ୍ୟବହାର ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ମାଛର ଗୁଣବତ୍ତା ବଜାୟ ରଖିବା ପାଇଁ ବିଭାଗ ପକ୍ଷରୁ ନୂତନ ବରଫକଳ ଓ ଶୀତଳ ଭଣ୍ଡାର ନିର୍ମାଣ, ପୁରଣା ବରଫ କଳର ପୁନରୁଦ୍ଧାର ସହିତ ଥଣ୍ଡା ଶୃଙ୍ଖଳ ରଖିବା ପାଇଁ ମୋଟରସାଇକେଲ, ଅଟୋରିକ୍ସା ସହିତ ବରଫ ବାକ୍ସ ଓ ଶୀତତାପ ନିୟନ୍ତ୍ରିତ ଗାଡ଼ି କ୍ରମ ପାଇଁ ରିହାତି ଦିଆଯାଉଛି। ଏହାବାଦ୍ ସ୍ବାସ୍ଥ୍ୟକର ବଜାର ଓ କିଓସ୍କ ନିର୍ମାଣ ପାଇଁ ବିଭାଗରୁ ପ୍ରୋତ୍ସାହନ ରହିଛି। ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ବୀମାଭୁକ୍ତ କରିବା ସହିତ ସାମୁଦ୍ରିକ କଇଁଛ ସୁରକ୍ଷା ପାଇଁ ମାଛଧାରା ନିଷିଦ୍ଧ ସମୟରେ ପ୍ରଭାବିତ ମତ୍ସ୍ୟଜୀବୀମାନଙ୍କୁ ଜୀବିକା ସହାୟତା ପ୍ରଦାନ କରାଯାଉଛି। ମାଛଧରା ନିଷିଦ୍ଧ ସମୟରେ ମଧ୍ୟ ସଂଚୟ ଓ ସହାୟତା ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉଥିବା ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର