ଜଳ ନଥାଇ କର ଆଦାୟ, କୁକୁଡା ଡ୍ୟାମରୁ ସରଫଗଡ଼ ଯାଏ ଚାଷୀ ଶୋଷିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ର କେବଳ ଧାନ ଚାଷ ହେଉଥିବା ୨ ଲକ୍ଷ ୪ ହଜାର ହେକ୍ଟର ଜମିରୁ ମାତ୍ର ୭୯ ହଜାର ୫୨୫ ହେକ୍ଟର ଜଳସେଚିତ। ତା’ ବି ଖରିଫ ଋତୁରେ। ଅବଶିଷ୍ଟ ୧ ଲକ୍ଷ ୨୪ ହଜାର ୪୭୫ ହେକ୍ଟର ଜମି ବର୍ଷା ଜଳ ଉପରେ ନିର୍ଭର କରିଥାଏ। ତେବେ ବର୍ଷା ଋତୁରେ ସ୍ବଳ୍ପ ବୃଷ୍ଟି ବା ଅନାବୃଷ୍ଟିଜନିତ ମରୁଡ଼ିରୁ ୭୯ ହଜାର ୫୨୫ ହେକ୍ଟର ଜମିର ଫସଲକୁ ରକ୍ଷା କରିବା ପାଇଁ  ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ତିଆରି ହୋଇଛି ଛୋଟବଡ଼ ଜଳସେଚନ ପ୍ରକଳ୍ପ। ତେବେ କିଛି ବର୍ଷ ହେଲା କମ୍ ବର୍ଷା ଯୋଗୁଁ ଅନେକ ଜଳସେଚନ ପ୍ରକଳ୍ପ ଶୁଖିଲା ପଡ଼ିଛି, ଜମିକୁ ପାଣି ଆସୁନି। କିନ୍ତୁ ବିଡ଼ମ୍ବନାର ବିଷୟ ଜମିକୁ ପାଣି ପହଞ୍ଚୁ ନଥିଲେ ମଧ୍ୟ ଚାଷୀଙ୍କ ଠାରୁ ଜୋର୍ କରି ଆଦାୟ ହେଉଛି ଜଳକର।

ଯାହା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଗୋଟିଏ ପଟେ ଶୁଖିଲା କ୍ଷେତ, ଅନ୍ୟପଟେ ଜଳକରର ଜୁଲୁମ। ଜିଲ୍ଲାର କୁକୁଡ଼ା ଡ୍ୟାମରୁ ସରଫଗଡ଼ ଯାଏ ସବୁଠି ସେହି ସମାନ ଚିତ୍ର।  ଲେଫ୍ରିପଡା ବ୍ଲକ ଗିରିଙ୍ଗକେଲା ପଞ୍ଚାୟତରେ ରହିଛି  ସରଫଗଡ଼ ଡ୍ୟାମ। ଖରିଫ ଋତୁରେ ଗିରିଙ୍ଗକେଲା ପଞ୍ଚାୟତର ଗିରିଙ୍ଗକେଲା, ପଟୁଆଡିହି, କରାଡେଗା, ତେଲେନଡିହି, ସାଲେଟିକିରା, ଚକ୍ରଧରପୁର, ବୈରାଗିବାହାଲ ଓ ଲେଫ୍ରିପଡା ପଞ୍ଚାୟତର କଦୋମାଲ ଓ ସୁଆରିଯୋର ଗାଁର ପ୍ରାୟ ୨୨୩୮  ହେକ୍ଟର ଜମିକୁ ଏଥିରୁ ପାଣି ମିଳିଥାଏ। ବର୍ଷରେ ୨ ଥର ଧାନ ଚାଷ  କରି ଲାଭବାନ ହୋଇଥାନ୍ତି ଚାଷୀ । କିନ୍ତୁ ୨ ବର୍ଷ ହେଲା ବନ୍ଧରେ ପାଣି ନାହିଁ।  ମୁଖ୍ୟ କେନାଲ ଓ ଶାଖା ଗୁଡ଼ିକ ଶୁଖିଲା ପଡ଼ିଛି।  ଫଳରେ ଚାଷୀଙ୍କୁ  ପାଣି ମିଳୁନି।  ହେଲେ କଳକର ପଇଠ କରିବାକୁ ବାଧ୍ୟ କରୁଛି ରାଜସ୍ବ ବିଭାଗ। ସେହିପରି ୨୫ ବର୍ଷ ହେଲା ଏପରି ଜଳକର ଜୁଲୁମ ଭୋଗୁଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ୪ଟି ଗାଁ କିଞ୍ଜିରକେଲା, ତିଲଡେଗା, ଗାଏଡେଗା ଓ ଜବଲାଡିହିର ୫ ଶହରୁ ଅଧିକ ଚାଷୀ।

ବାଲିଶଙ୍କରା ବ୍ଲକ କୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ପାଣି ଚାଷ ଜମିକୁ ପହଞ୍ଚୁ ନଥିଲେ ମଧ୍ୟ ଜଳକର ଆଦାୟ କରାଯାଉଛି।  ଚାଷୀମାନଙ୍କ ବାରମ୍ବାର ଅଭିଯୋଗ କରିବା ପରେ ବି ନା ପାଣି ମିଳୁଛି ନା ଜଳକରରୁ ରିହାତି। ୧୯୮୨-୮୩ରେ ଦେଓଭୁବନପୁର ନିକଟରେ କୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ତିଆରି ହୋଇଥିଲା। ବର୍ଷା ଜଳ ବା ଡାଇଭର୍ସନ ୱାଟରକୁ ସଂରକ୍ଷିତ କରି ବାମ କେନାଲରେ  ରଷ୍ଟି, ତିଲଡେଗା, ଗାଏଡେଗା ଓ ଜବଲାଡିହି ଗାଁ ଓ ଡାହାଣ କେନାଲ ଯୋଗେ ଦେଓଭୁବନପୁର, କିଞ୍ଜିରକେଲା ଗାଁର ୧୯୪୩ ହେକ୍ଟର ଜମିକୁ ପାଣି ଯୋଗାଇଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ରଥମେ କିଛି ବର୍ଷ ଚାଷୀ ପାଣି ପାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରାୟ ୩୦ ବର୍ଷ ହେଲା ମୁଖ୍ୟ କେନାଲ ସମ୍ମୁଖରେ ଥିବା  ରଷ୍ଟି ଓ ଦେଓଭୁବନପୁର ବ୍ୟତୀତ ଅନ୍ୟ ୪ଟି ଗାଁ କିଞ୍ଜିରକେଲା, ତିଲଡେଗା, ଗାଏଡେଗା ଓ ଜବଲାଡିହିକୁ ପାଣି ପହଞ୍ଚିଲା ନାହିଁ।

ନିର୍ମାଣ ପରଠାରୁ ଥରେଅଧେ ବନ୍ଧ ଓ କେନାଲର ଛୋଟମୋଟ ମରାମତି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏଥିପାଇଁ ଅନୁଦାନ ଦିଆ ନଯାଇ ସେମିତି ଅଣଦେଖା କରି ଛାଡ଼ି ଦିଆଯାଇଥିବାରୁ ଅନେକ ସ୍ଥାନରେ କେନାଲ ଭାଙ୍ଗି ଯାଇଥିବା ଓ ଗୋଡ଼ିମାଟିରେ ପୋତି ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ବନ୍ଧ ବି ଗଛ ଲଟାବୁଦାରେ ଭରିଯାଇଛି। ଏହା ସତ୍ତ୍ବେ ଚାଷୀଙ୍କୁ ପାଣି ମିଳୁଥିବା ଦର୍ଶାଇ ରାଜସ୍ବ ବିଭାଗ ଜୋର୍ କରି ଜଳକର ଅସୁଲ କରି ନେଉଥିବା ଅଭିଯୋଗ ହୋଇଛି। ବର୍ଷାର ଲୁଚକାଳି ଖେଳ ମଧ୍ୟରେ ଚାଷ ଜମିକୁ ଜଳ ନଦେଇ   ଜଳକର ଆଦାୟ ଚାଷୀଙ୍କୁ ଲହୁଲୁହାଣ କରିଛି। ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଜଳକର ଛାଡ଼ କରିବାକୁ ଉଭୟ ସରଫଗଡ଼ ଓ କୁକୁଡ଼ା ପ୍ରକଳ୍ପ ଅଧୀନସ୍ଥ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର