ତରଭୁଜ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ଚାଷୀ

ପଦ୍ମପୁର: ଖରାଦିନରେ ତରଭୁଜ ଏକ ଲାଭଜନକ ଫସଲ। ଧାନ କିମ୍ବା ଅନ୍ୟ ପନିପରିବା ଚାଷ ଅପେକ୍ଷା ତରଭୁଜରେ ଅଧିକ ଲାଭ ହୋଇଥାଏ ବୋଲି ଚାଷୀମାନେ ଆକଳନ କରିଛନ୍ତି। ଅପ୍ରେଲ ଓ ମେ ମାସରେ ଅମଳ ହେଉଥିବାରୁ କୁଆପଥର ମାଡ଼ ଓ ଅଦିନିଆ ବର୍ଷାର ଭୟ ଥାଏ। ଫଳରେ ସମସ୍ତ ଫସଲ ନଷ୍ଟ ପ୍ରାୟ ହୋଇଯାଏ। ଯାହାକି ମୂଳଧନ ବୁଡ଼ି ଯିବାର ସମ୍ଭାବନା ଥାଏ। ଏଥିପାଇଁ ସରକାରୀ ପ୍ରୋତ୍ସାହନ କିମ୍ବା ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ମଧ୍ୟ ମିଳୁନାହିଁ। ସେଥିପାଇଁ ଚାଷୀମାନେ ତରଭୁଜ ଚାଷ ପାଇଁ ଆଗ୍ରହ ନ ଦେଖାଇ ବିକଳ୍ପ ଚାଷ ଖୋଜୁଛନ୍ତି‌ ବୋଲି କୁହନ୍ତି ପଦ୍ମପୁର ବ୍ଲକ୍‌ ଅନ୍ତର୍ଗତ ଦର୍ଲିଗୁଡ଼ା ଗ୍ରାମର ଚାଷୀ ଜୟନ୍ତ ସାହୁ। ସେ ପ୍ରାୟ ଦୁଇ ଏକର ତରଭୁଜ ଚାଷ  କରିଛନ୍ତି। ଡିଜେଲ ପାଣି ମୋଟର ସାହାଯ୍ୟରେ ନଦୀରୁ ପାଣି ଆଣି ଫସଲ ବଞ୍ଚାଇ ଥିଲେ। ଅମଳ ପୂର୍ବରୁ କୁଆପଥର ମାଡ଼ ସହିତ ସମ୍ଭାବ୍ୟ ବାତ୍ୟାରେ ଆତଙ୍କିତ ହୋଇ ଖୁବ୍‌ କମ୍‌ ମୂଲ୍ୟରେ ବେପାରୀଙ୍କୁ ବିକ୍ରି କରିବା ପାଇଁ ବାଧ୍ୟ ହେଲେ। ୨୦୧୬ରେ ପ୍ରଣିତ ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ମଧ୍ୟ ତରଭୁଜ ଚାଷ ବାଦ ପଡିଥିବା ଜଣାପଡିଛି। ବିହନ, ସାର, କୀଟନାଶକ ଔଷଧ, ଜଳସେଚନ, ଶ୍ରମିକର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଚାଷୀ ତାର ମୂଳ ମଧ୍ୟ ପାଇପାରୁ ନାହିଁ। ଏ ସଂପର୍କରେ ପଦ୍ମପୁର ସହକାରୀ କୃଷି ଅଧିକାରୀ ଶିବାନୀ ଭୋଇ କୁହନ୍ତି, କେବଳ ପନିପରିବା ଚାଷରେ ସରକାର ୧.୨୫ ଏକର ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଥାନ୍ତି। ତରଭୁଜ ଚାଷରେ ବୀମା କିମ୍ବା କୌଣସି ଆର୍ଥିକ ସାହାଯ୍ୟର ବ୍ୟବସ୍ଥା ନାହିଁ।

ସମ୍ବନ୍ଧିତ ଖବର