ବଜାର ଅଭାବ ଯୋଗୁଁ ଆଖୁ ଚାଷ ପ୍ରତି ବିମୁଖ ଚାଷୀ : ମିଳିବନି ଟେଙ୍ଗେନମାଲ ସ୍ବାଦିଷ୍ଟ ଗୁଡ଼ ଓ ପ୍ରସିଦ୍ଧ  ଶାଳ ଉଖୁଡ଼ା

ବ୍ରଜରାଜନଗର : ଝାରସୁଗୁଡ଼ା ବ୍ଲକ୍‌ ରାଜପୁର ଓ ଲୁଇସିଙ୍ଗ ପଞ୍ଚାୟତ ସହିତ ଲଖନପୁର ବ୍ଲକ୍‌ ମଚିଦା ପଞ୍ଚାୟତ ଟେଙ୍ଗେନମାଲ ଗ୍ରାମରେ ବହୁଳ ଭାବରେ ଗୁଡ଼ ଚାଷ ହୋଇଥାଏ। ମଚିଦାରେ ପ୍ରାୟ ୫୦ ଏକର, ରାଜପୁର ଓ ଲୁଇସିଙ୍ଗରେ ମଧ୍ୟ ୫୦ ଏକର ଜମିରେ ଏହି ଚାଷ ହୋଇଥାଏ। ଏହି ଅଞ୍ଚଳର ଗୁଡ଼ ଓ ଶାଳ ଉଖୁଡ଼ାର ସ୍ବତନ୍ତ୍ର ଚାହିଦା ରହିଛି। କିନ୍ତୁ ଉପଯୁକ୍ତ ବଜାର ଅଭାବ ଯୋଗୁଁ ଚାଷୀମାନେ ଉଚିତ ଲାଭ ପାଇ ପାରୁ ନାହାନ୍ତି। ଫଳରେ ଏହି ଅର୍ଥକାରୀ ଫସଲ ପ୍ରତି ସ୍ଥାନୀୟ ଚାଷୀ ବିମୁଖ ହୋଇ ପଡ଼ୁଥିବା ଦେଖାଯାଇଛି। ଏଭଳି ପରିସ୍ଥିତି ଲାଗି ରହିଲେ ଟେଙ୍ଗେନାମାଲର ସ୍ବାଦିଷ୍ଟ ଗୁଡ଼ ଓ ପ୍ରସିଦ୍ଧ ଶାଳ ଉଖୁଡ଼ା ଇତିହାସ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।

ଜିଲ୍ଲାର ଏହି ୩ ପଞ୍ଚାୟତ ସହିତ ଚାଣ୍ଟିପାଲି, ମୁରଲୀପାଲି, ଅମାପାଲି, ଲୁହବଗା ଆଦି ସ୍ଥାନରେ ଆଖୁ ଚାଷ ହେଉଥିଲା। ଏହି ଚାଷ ଏକ ଦୀର୍ଘମିଆଦୀ ଅର୍ଥକାରୀ ଫସଲ ହୋଇଥିବାରୁ ସେ ସମୟର ଚାଷୀମାନେ ଉପକୃତ ହେଉଥିଲେ। ଆଖୁ ମୁଖ୍ୟତଃ ଡିସେମ୍ବର ମାସରୁ ଅମଳ ହୋଇଥାଏ। ଚାଷୀମାନେ ଆଖୁ କାଟି ଘଣା ପକାଇ ଗୁଡ଼ ଅମଳ କରି ବିକ୍ରି କରିଥାନ୍ତି। ଖରାଦିନେ ଆଖୁ ପିଲ ପାଇଁ ପାଣିର ଆବଶ୍ୟକତାକୁ ଦେଖି ୨୦୦୭ ଜାମୁନାଳାରେ ଏକ କ୍ରସ୍‌ଡ୍ୟାମ ନିର୍ମାଣ ପରେ ଟେଙ୍ଗେନେମାଲ ଓ ଏହାର ଆଖପାଖରେ ଆଖୁ ଚାଷ କରିବା ସୁବିଧା ହୋଇଥିଲା। ସେହିପରି ଲୁଇସିଙ୍ଗରେ ଏକ ନାଳ ଯୋଗୁଁ ମଧ୍ୟ ଆଖୁ ଚାଷ ହେଉଛି। ଏବେ ଚାଷ  କରିବାର ପ୍ରଣାଳୀରେ ପରିବର୍ତନ ଘଟିଛି। କିନ୍ତୁ ଏହି ଅଞ୍ଚଳର ଚାଷୀ ସେହି ପାରମ୍ପରିକ ପ୍ରଣାଳୀରେ ଚାଷ କରିବା ସହିତ ଗୁଡ଼ ଉତ୍ପାଦନ କରୁଛନ୍ତି। ତେବେ ଗୁଡ଼ ପ୍ରସ୍ତୁତିରେ କଠିନ ପରିଶ୍ରମ ସହିତ ଖର୍ଚ୍ଚ ମଧ୍ୟ ଅଧିକ ହେଉଛି। ଉପଯୁକ୍ତ ବଜାର ନଥିବାରୁ ଚାଷୀ ଏଠାରୁ ଭଲ ଆୟ କରିପାରୁନି। ଗୁଡ଼ ପ୍ରୋସେସିଂ ମେସିନ୍‌ରେ କମ ସମୟ ଓ କମ୍‌ ଲୋକ ବିନିଯୋଗ ହୋଇଥାନ୍ତି। ଏହାଦ୍ୱରା ଉତ୍ପାଦନ ଖର୍ଚ୍ଚ କମ୍‌ ହୋଇଥାଏ।

ବଡ଼ କଥା ହେଲା ଟେଙ୍ଗେନମାଲର ଶାଳ ଉଖୁଡ଼ା ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଥାଏ। ଖାଣ୍ଟି ଗୁଆଘିଆ, ଜୁଆଣି, ନଡ଼ିଆ, ପାନମଧୁରି, ଅଳେଇଚ, ଲବଙ୍ଗ ଆଦି ପଡ଼ି ଏହି ସ୍ବାଦିଷ୍ଟ ଉଖୁଡ଼ା ପ୍ରସ୍ତୁତ ହୋଇଥାଏ। ଛତିଶଗଡ଼ ଓ ଓଡ଼ିଶାରେ ଏହାର ଢେର ଚାହିଦା ରହିଛି ବୋଲି ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ଗଡ଼ତିଆ ପ୍ରକାଶ କରିଛନ୍ତି। ଆଖୁ ଚାଷରେ ମନରେଗା ପରି ଶ୍ରମିକ ନିୟାଜିତ କରାଗଲେ ଚାଷୀମାନେ ଲାଭବାନ ହେବେ ବୋଲି ଚାଷୀ ଅଭିମନ୍ୟୁ ଗଡ଼ତିଆ, ସୁବଳ ଗଡ଼ତିଆ, ମନବୋଧ ଗଡ଼ତିଆ ପ୍ରମୁଖ କହିଛନ୍ତି। ଏବେ ଗୁଡ଼ କେଜି ୬୦ ଟଙ୍କାରେ ବିକ୍ରି ହେଉଛି। ଆଖୁ ଚାଷ ଆରମ୍ଭଠାରୁ ଅମଳ, ଘଣା ପକାଇ ଗୁଡ଼ ରାନ୍ଧିବା ଓ ଶେଷରେ ଗୁଡ଼ ଗୁଳା ପ୍ରସ୍ତୁତିରେ ପୂରା ଚାଷୀ ପରିବାରକୁ ଶ୍ରମ ଦେବାକୁ ପଡ଼ୁଛି। ତଥାପି ସେପରି ଲାଭ ମିଳୁନି ବୋଲି ଚାଷୀମାନେ କହିଛନ୍ତି।

ଏ ବାବଦରେ ଜିଲ୍ଲା କୃଷି ଅଧିକାରୀ ବଲବୀର ସିଂହ ସ୍ବାନ୍‌ଙ୍କୁ ପଚାରିବାରୁ ବର୍ତ୍ତମାନ ସମୟରେ ପୁରୁଣା ପଦ୍ଧତିରେ ଆଖୁ ଚାଷ କରି ଅମଳ ଓ ଗୁଡ଼ ପ୍ରସ୍ତୁତି କରିବା ଲାଭଜନକ ନୁହେଁ। ସେଥିପାଇଁ ପ୍ରୋସେସିଂ ମେସିନ୍‌ ବ୍ୟବହାର ଆବଶ୍ୟକ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୫୦ ପ୍ରତିଶତ ଋଣ ଛାଡ଼ ରହିବ। ଏ ଦିଗରେ ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ଯୋଗାଇ ଦିଆଯିବ। ନୂତନ ପ୍ରଣାଳୀ ଅବଲମ୍ବନ ସହିତ  ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ  କରି ଗୁଡ଼ ଉତ୍ପାଦନ କଲେ ଏଥିରେ ଅଧିକ ଲାଭ ମିଳିବ ବୋଲି ସେ କହିଥିଲେ। ମୂଳକଥା ହେଲା ଆଖୁ  ଓ ଗୁଡ଼ ବିକ୍ରି ପାଇଁ ବଜାର ଦରକାର। ଏହା ହେଲେ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢିବା ସହିତ  ଏ ଅଞ୍ଚଳରେ ମିଳୁଥିବା ସ୍ବାଦିଷ୍ଟ ଗୁଡ଼ ଓ ଉଖୁଡ଼ାର ଆଦର ବଢ଼ିପାରିବ।

ସମ୍ବନ୍ଧିତ ଖବର