ଲେମନ ଗ୍ରାସ ଚାଷ କରି ଚାଷୀ ହଟହଟା,  ଧରାଛୁଆଁ ଦେଉନାହାନ୍ତି ସରକାରୀ କର୍ମଚାରୀ

ଲାଠିକଟା:  ସରକାର କୃଷି ଓ କୃଷକର ଉନ୍ନତି ପାଇଁ  ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ବାସ୍ତବରେ କୃଷକମାନେ ଏହାର ଉପକାର ପାଉଛନ୍ତି କି ନାହିଁ ତାହା କେହି ଦେଖୁ ନାହାନ୍ତି। ଏହାର ଏକ ନଗ୍ନ ଉଦାହରଣ ହେଉଛି ଟାଇଁସର ଗ୍ରାମର ଲେମନ ଗ୍ରାସ ଚାଷ।  ୨୦-୨୧ଆର୍ଥିକ ବର୍ଷରେ କୃଷି ଉଦ୍ୟାନ ବିଭାଗ ତରଫରୁ ମନରେଗା ଯୋଜନାରେ ଲାଠିକଟା ବ୍ଲକ ଅନ୍ତର୍ଗତ ଟାଇଁସର, ବାଘଲତା ଓ ଗୁରୁଣ୍ଡିଆ ବ୍ଲକର କୁଚେଇତା, ଭୂଲତା ଆଦି ଗ୍ରାମର ପ୍ରାୟ ଜଣ ଚାଷୀଙ୍କ ଜମିରେ ଲେମନ ଗ୍ରାସ ଚାଷ କରାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ନିଖିଳ ପଵନ କଲ୍ୟାଣ ଟାଇଁସର ଗ୍ରାମରେ ଉଦ୍‌ଘାଟନ କରିବା ସହ ଉଦ୍ୟାନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଲେମନଗ୍ରାସ ସଂପର୍କରେ ଚାଷୀଙ୍କୁ ବୁଝାଇଥିଲେ। କିନ୍ତୁ ଏହାପରେ ଆଉ କାହାର ଦେଖା ଦର୍ଶନ ମିଳି ନ ଥିଲା।

ଲେମନଗ୍ରାସ ଏକ ଅର୍ଥକାରୀ ଫସଲ। ଏଥିରୁ ବାହାରୁ ଥିବା ତେଲ ଔଷଧ ତିଆରିରେ ବ୍ୟବହାର ହେଉଥିବାରୁ ବର୍ଷତମାମ ଏହାର ଚାହିଦା ରହିଥାଏ। ଲେମନଗ୍ରାସ ତେଲ ଦର ମଧ୍ୟ ଅନ୍ୟ ତେଲ ଠାରୁ ଢେର ଅଧିକ। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ   ଟାଇଁସର ଗ୍ରାମର ଶ୍ୟାମ କେର୍କେଟା, ରାଜୁ କେର୍କେଟା, ମେଘା ବରୁଆ, ଅନୀଲ ଏକ୍କା, ବାଗଲତା ଗ୍ରାମର ଶ୍ୟାମଲାଲ ଖାଲଖୋ, ସାହିବା ଏକ୍କା, ସୁରେଶ ଲାକ୍ରା, ଜଗନ୍ନାଥ ତିଗା, ମହେଶ୍ବର ଖାଲଖୋଙ୍କ ସ‌ମେତ ୩୮ଜଣ ଚାଷୀ ଏକ ଏକର ଲେଖାଏଁ ଜମିରେ ହଳ କରି ଘାସ କିଣି ଆଣି ଲଗାଇଥିଲେ। ନିୟମ ଅନୁଯାୟୀ ଚାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ମଜୁରି ଅର୍ଥ ଆସିବା କଥା। ମାତ୍ର ସମସ୍ତ ଚାଷୀଙ୍କ ଖାତକୁ ଟଙ୍କା ନ ଆସି ଅଳ୍ପ କେତେକଙ୍କ ଖାତାକୁ ଟଙ୍କା ଆସିଲା।

ମନରେଗା ମଜୁରି ସହ ବତହନ , ଜୈବିକ ସାର ମାର୍କେଟିଂ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଚାଷୀ ମାନଙ୍କୁ ସହଯୋଗ ନ କରିବାରୁ ୩୮ଜଣଙ୍କ ମଧ୍ୟରୁ ୮/୧୦ଜଣଙ୍କୁ ଛାଡି ସମସ୍ତଙ୍କର ଗଛ ମରିଗଲା। ଜୟମାସୀ ଓରାମ, ମାଂଗ୍ରା  ଧାନୁଆର , କ୍ରିଷ୍ଣା ଧାନୁଆର, ବିନୋଦ ଧାନୁଆରଙ୍କର ଘାସ ବଡ଼ ହୋଇଗଲାଣି। କିନ୍ତୁ ଗଛ କିପରି କଟା ହେବ , ସେଥିରୁ ତେଲ କିପରି ଓ କେଉଁଠାରେ ବହାର କରାହେବ ସେମାନଙ୍କୁ ପରାମର୍ଶ ଦିଆଯାଉନି। ଏହା ସହିତ ଉକ୍ତ ଘାସରୁ ତେଲ ବାହାର କରିବା ପାଇଁ ଏକ ମେସିନ ଭୂଲତା ଗ୍ରାମରେ ବସା ଯାଇଥିଲା ତାକୁ ମଧ୍ୟ ଉଠାଇ ନିଆଗଲା। ତେଣୁ ସେମାନେ ଏବେ ଚିନ୍ତିତ ଅବସ୍ଥାରେ ଅଛନ୍ତି। ଜଣେ ଚାଷୀ କୁହନ୍ତି ‘ଜଣେ ବ୍ୟକ୍ତି ଆମକୁ କିଛି କମିସନ ମାଗୁ ଥିଲେ ଆମେ  ନ ଦେବାରୁ ସେମାନେ ସହଯୋଗ କଲେନି’।

କେବଳ ଉକ୍ତ ଦୁଇଟି ଗ୍ରାମ ନୁହେଁ ଲାଠିକଟା ନିକଟସ୍ଥ ଗୁରୁଣ୍ଡିଆ ବ୍ଲକର ସର୍ଗୀଗଡ଼ର ୧୯, ଏରେଗେଡ଼ା ଗ୍ରାମର ୧୭, ଭୃଲତା ଗ୍ରାମର ୮, କୁଚେଇତା ଗ୍ରାମର ୬, ଯୋଡ଼ାବନ୍ଧ ଗ୍ରାମର ୮, କେନ୍ଦୁଘାଟି ଗ୍ରାମରୁ ୨ ଜଣ ଚାଷୀ ଲେମନ ଗ୍ରାସ କରିବା ପାଇଁ ଉଦ୍ୟାନ ବିଭାଗ ତରଫରୁ ଏକ ବୈଠକରେ ସଚେତନ କରାଯାଇଥିଲା। ସେମାନେ ଲେମନ ଗ୍ରାସ କରିବା ନିଜ ଜମିରେ ହଳ କରି ଜମି ପ୍ରସ୍ତୁତ କରିଥିଲେ। ଏହା ସହିତ ଚାରା ପାଇଁ ୩୨ ଜଣ ଏକ ଏନ୍‌ଜିଓ ସଂସ୍ଥାର ପୋଢ଼ ବାବୁଙ୍କୁ କିଛି ଅର୍ଥ ଦେଇଥିଲେ। କିନ୍ତୁ ସେ ଏନ୍‌ଜିଓ ସଂସ୍ଥା ଟଙ୍କା ନେଲା ପରେ ଧରାଛୁଆଁ ଦେଲା ନାହିଁ। ଚାଷୀମାନେ କୁହନ୍ତି ଆମର ବିହନ ଟଙ୍କା ଗଲା ଜମି ପଡ଼ି ରହିଲା।  ଏ ସଂକ୍ରାନ୍ତରେ ଆମେ ଲାଠିକଟା ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସୋସିଆଲ ଆକ୍ସନ ଫର ପିପୁଲ ନାମକ ଏନ୍‌ଜିଓ  ଉକ୍ତ ଗ୍ରାମ ଗୁଡିକରେ ଲେମନ ଗ୍ରାସ ଲଗାଇବା କାମ ହାତକୁ ନେଇଥିଲେ, ଆମେ କେବଳ ସହଯୋଗ କରିବା କଥା, ଆମ ହାତରେ କିଛି ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର