ରାଉରକେଲା: ଜୁନ୍ରେ ଗତ ବର୍ଷଠୁ ଦୁଇଗୁଣା ବର୍ଷା ଯୋଗୁ ଚାଷକାମ ବାଧାପ୍ରାପ୍ତ ହୋଇଛି। ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଠିଆ ହୋଇଥିବାରୁ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ। ଚଳିତ ମାସରେ ବର୍ଷା ଲାଗି ରହିଲେ ଚାଷକାମରେ ସମସ୍ୟା ଉପୁଜିବ। ଅଧିକାଂଶ ଧାନ ଓ ଅଣଧାନ ଜମି ପଡିଆ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।
ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା, କୁଆରମୁଣ୍ଡା, ଲାଠିକଟା ଓ ବିଶ୍ରାରେ ଇତି ମଧ୍ୟରେ ଯେତିକି ଧାନ ଓ ଅଣଧାନ ଜମିରେ ଚାଷ ହେବା କଥା, ତାହା ହୋଇନି।
କେବଳ ଏହି ଚାରି ବ୍ଲକ୍ ନୁହେଁ ସୁନ୍ଦରଗଡ଼ ୧୭ ବ୍ଲକ୍ର ସମାନ ସ୍ଥିତି ଉପୁଜିଛି। ଜୁନ୍ ମାସରେ ସାଧାରଣତଃ ୨୦୪.୩ ଏମ୍ଏମ୍ ହୋଇଥାଏ। ଗତ ୨୦୨୪ରେ ଲାଠିକଟାରେ ୨୧୭.୨୦ ଏମ୍ଏମ୍, କୁଆରମୁଣ୍ଡାରେ ୨୦୩.୨୦ ଏମ୍ଏମ୍, ନୂଆଗାଁରେ ୧୦୭.୩୦ ଏମ୍ଏମ୍ ଓ ବିଶ୍ରାରେ ୯୯.୯୦ ଏମ୍ଏମ୍ ବର୍ଷା ହୋଇଥିଲା। ଏଥର ଜୁନ୍ରେ ନୂଆଗାଁ ବ୍ଲକ୍ରେ ସର୍ବାଧିକ ୪୨୯ ଏମ୍ଏମ୍ ବର୍ଷା ହୋଇଛି। ଲାଠିକଟାରେ ୩୫୯ ଏମ୍ଏମ୍, କୁଆରମୁଣ୍ଡାରେ ୩୬୮ ଓ ବିଶ୍ରାରେ ୩୯୯ ଏମ୍ଏମ୍ ବର୍ଷା ହୋଇଛି।
ବ୍ଲକ ମୋଟ ଚାଷଜମି (ହେକ୍ଟର) ଧାନ ଚାଷଜମି ଅଣଧାନ ଚାଷଜମି
ଲାଠିକଟା ୨୪୦୯୧ ୧୭୩୮୨ ୬୭୦୯
କୁଆରମୁଣ୍ଡା ୨୧୯୧୪ ୧୪୬୦୦ ୭୩୧୪
ନୂଆଗାଁ ୨୬୮୬୫ ୧୭୮୩୬ ୯୦୨୯
ବିଶ୍ରା ୮୭୫୮ ୫୦୩୭ ୩୭୨୧
ମୋଟ ୮୧୬୨୮ ୫୪୮୫୫ ୨୬୭୭୩
ଅତ୍ୟଧିକ ବର୍ଷା ହୋଇଥିବାରୁ ନୂଆଗାଁ ବ୍ଲକ୍ରେ ଯେତିକି ଜମିରେ ଧାନ ଓ ଅଣଧାନ ଚାଷ ହେବା କଥା, ତା’ ହୋଇପାରିନି। ଚାରି ବ୍ଲକରେ ଧାନ ଓ ଅଣଧାନ ଚାଷ ପାଇଁ ମୋଟ ୮୧, ୬୨୮ ହେକ୍ଟର ଜମି ରହିଛି। ଏଥିରୁ ଧାନ ଚାଷ ଜମି ହେଉଛି ୫୪,୮୫୫ ହେକ୍ଟର ଓ ଅଣଧାନ ଚାଷ ଜମି ହେଉଛି ୨୬,୭୭୩ ହେକ୍ଟର। ଇତି ମଧ୍ୟରେ ମୋଟ ୨୨ ହଜାର ୭୦୦ ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ ହୋଇଛି। ମୋଟ ୫୮ ହଜାର ୯୨୮ ହେକ୍ଟର ଜମି ପଡିଆ ପଡିଛି।
ଅଧିକ ପଢ଼ନ୍ତୁ: ଆରଏସପି ପକ୍ଷରୁ ଭଙ୍ଗାଗଲା ରେଷ୍ଟୁରାଣ୍ଟ
ଏଥିରୁ ୨୩ ହଜାର ୦୮୧ ହେକ୍ଟର ଜମିରେ ଅଣଧାନ ଚାଷ ହୋଇନି। ସେମିତି ୩୨ ହଜାର ୧୫୫ ହେକ୍ଟର ଜମିରେ ଧାନଚାଷ ହୋଇପାରିନି। ଆଜି ସୁଦ୍ଧା ୧୮ ହଜାର ୭୭୩ ହେକ୍ଟର ଜମିରେ ଧାନ ବୁଣାଯାଇଛି। ମାତ୍ର ୨୩୦ ହେକ୍ଟର ଜମିରେ ଧାନ ରୁଆ କାମ ସରିଛି। ୨୧୦୩ ହେକ୍ଟର ଜମିରେ ତଳି ପଡିଛି। ୩, ୬୯୨ ହେକ୍ଟର ଜମିରେ ଅଣଧାନ ଚାଷ ହୋଇପାରିଛି।
ଅନ୍ୟପଟେ ଜୁଲାଇରେ ସାଧାରଣତ ୩୫୨.୨ ମିଲିମିଟର ବର୍ଷା ହୋଇଥାଏ। ଯଦି ଏହି ପରିମାଣରେ ବର୍ଷା ହୁଏ, ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷ ଶେଷ ହେବ। ବର୍ଷାର ପରିମାଣ କମ୍ ରହିଲେ, ଅଧିକାଂଶ ଜମି ପଡ଼ିଆ ପଡ଼ିପାରେ ବୋଲି ଆକଳନ କରାଯାଉଛି।
ଅଧିକ ପଢ଼ନ୍ତୁ:୩ ଶହ କୋଟି ଟଙ୍କା ପ୍ରକଳ୍ପର ଭାଗ୍ୟ ଫିଟୁନି: ଅବଧି ସରିଲା, ପ୍ରକଳ୍ପ ସରୁନି
sundargarh | Heavy Rain