ଅଧିକ ଅମଳ କରି ଚାଷୀ ଏବେ ହିନସ୍ତା ଭୋଗୁଛି, ୧୧୦୦ ଟଙ୍କାରେ ବିକ୍ରି ହେଉଛି ଧାନ

ଜୟପାଟଣା : ଜୟପାଟଣା ବ୍ଲକ୍‌ରେ ୨୩ଟି ମଣ୍ଡି ସ୍ଥାପନ କରାଯାଇ ଧାନ କ୍ରୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯାୟରେ ପହଞ୍ଚିଥିବା ଦର୍ଶାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩ଟି ମଣ୍ଡି ଖୋଲା ଯାଇଥିବା ଜଣାପଡ଼ିଛି। ସରକାର ଯେଉଁ ଲକ୍ଷ୍ୟନେଇ ଧାନ କିଣିବାକୁ କହୁଛନ୍ତି, ଚାଷୀଙ୍କ ଅମଳ ତାଠାରୁ ଯଥେଷ୍ଟ ଅଧିକ ହେଉଛି। ତେଣୁ ଅବଶିଷ୍ଟ ଧାନକୁ ଚାଷୀ କେମିତି ବିକ୍ରି କରିବ ଚିନ୍ତାରେ ପଡ଼ିଯାଇଛି। ଧାନ ବିକ୍ରି ପାଇଁ କୌଣସି ଖୋଲା ବଜାରର ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ ଗାଁ ଗାଁ’ରେ ଧାନ କିଣୁଥିବା ଲୋକଙ୍କ ପାଖରେ ଧାନ ୧୧୦୦ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।

ଜୟପାଟଣା କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଚାଷୋପଯୋଗୀ ଜମିର ପରିମାଣ ୨୯, ୬୧୨ ହେକ୍ଟର। ଚଳିତ ଖରିଫରେ ୧୯, ୬୬୩ ହେକ୍ଟର ଜମିରେ ଖରିଫ ଧାନ କରାଯାଇଛି। ସମବାୟ ବିଭାଗରୁ ସୂଚନା ଅନୁସାରେ ଚଳିତ ଖରିଫ ପାଇଁ ଜୟପାଟଣା ବ୍ଲକ୍‌ର ୫ଟି ସମବାୟ ସମିତି ମାଧ୍ୟମରେ ୯୪୮୧ ଜଣ କୃଷକ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି। ଏହି ସବୁ ଅଂଚଳରେ ପ୍ରତିଯୋଗିତା ମୂଳକ ଚାଷ ଓ ଉନ୍ନତ ଜ୍ଞାନକୌଶଳ ସହିତ ଅଧିକ ଅମଳ କ୍ଷମ ଧାନ ବିହନ ବ୍ୟବହାର କରି ଚାଷୀ ଏବେ ହାରାହାରି ଉତ୍ପାଦନ ୨୫ କ୍ୟଣ୍ଟାଲରୁ ରୁ ୩୦ କ୍ୟୁଣ୍ଟାଲ ପର୍ଯ୍ୟନ୍ତ ପହଞ୍ଚାଇ ସାରିଥିବା ଜଣାଯାଇଛି। ଏପରି ସ୍ଥିତିରେ ଜଳସେଚିତ ଅଞ୍ଚଳ ପାଈଁ ୧୯ କ୍ୟୁଣ୍ଟାଲ ଓ ଅଣ ଜଳସେଚିତ ଅଞ୍ଚଳ ପାଈଁ ୧୩ କ୍ୟୁଣ୍ଟାଲ ବିକ୍ରି ଧାର୍ଯ୍ୟ ନିଷ୍ପତିକୁ ଚାଷୀ ମହଲରୁ ବିରୋଧ କରାଯାଉଛି।

ଜୟପାଟଣା ଅଞ୍ଚଳରେ ଗତ ମୌସୁମୀରେ ହାରାହାରି ୧୫୦୦ ମିମି ବର୍ଷା ହେବା ଫଳରେ ଅଣଜଳସେଚିତ ଅଞ୍ଚଳରେ ମଧ୍ୟ ଆଶା ଅନୁସାରେ ଧାନ ଅମଳ ହୋଇଥିବା ଲକ୍ଷ୍ୟ କରାଯାଉଛି। ଏତତ୍‌ବ୍ୟତିତ ଖରିଫରେ ଇନ୍ଦ୍ରାବତୀ ମେଗାଲିଫ୍ଟରୁ ମଧ୍ୟ ୭ ହଜାର ହେକ୍ଟର ଜମିରେ ଜଳସେଚନ କରାଯାଇଥିଲା। ଏଠାକାର ଚାଷୀଙ୍କ ଉତ୍ପାଦନ କ୍ଷମତାକୁ ଆକଳନ କରି ଧାନ ବିକ୍ରି ଧାର୍ଯ୍ୟ କରିବାର କଥା ବୋଲି ମତ୍ତ ପ୍ରକାଶ ପାଉଛି। ଗତବର୍ଷ ଖରିଫରେ ଏହି ଅଞ୍ଚଳରୁ ୬, ୮୪, ୧୧୪.୧୯ କ୍ୟୁଣ୍ଟାଲ ଧାନ କିଣାଯାଇଥିଲା। ଚଳିତ ବର୍ଷ ଭଲ ଫସଲ ହୋଇଥିବାରୁ ୧୯, ୬୬୩ ହେକ୍ଟର ଜମିରୁ ଅମଳ ପରିମାଣ ଏକର ପିଛା ହାରାହାରି ୨୫ କ୍ୟୁଣ୍ଟାଲ ହିସାବରେ ୧୨.୨୮ ଲକ୍ଷ କ୍ୟୁଣ୍ଟାଲ ଧାନ ଅମଳ ହେବାର ସମ୍ଭାବନା ରହିଛି। ଯାହାର ଆନୁମାନିକ ମୂଲ୍ୟ ୨୨୯. ୩୯ କୋଟି ହେବାର ଅନୁମାନ କରାଯାଉଛି। ବ୍ଲକ୍‌ର ମୋଟ୍‌ ଉତ୍ପାଦିତ ଧାନର ଅଧା ପରିମାଣ ମଣ୍ଡି ମାନଙ୍କରେ କିଣାଗଲେ ଅବଶିଷ୍ଟ ଧାନପାଇଁ ସରକାର କେଉଁ ସୁଯୋଗ ତିଆରି କରିଛନ୍ତି ବୋଲି ପ୍ରଶ୍ନ ଉଠୁଛି। ଅନ୍ୟପଟେ ଖାଦ୍ୟ ସୁରକ୍ଷା ଯୋଜନାରେ ୯୦ ପ୍ରତିଶତ ଲୋକ ଅନ୍ତର୍ଭୁକ୍ତ ଥିବାବେଳେ ଅବଶିଷ୍ଟ ଧାନ ପାଇଁ ସରକାର ବଜାର ସୃଷ୍ଟି କରନ୍ତୁ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର