ବଲାଙ୍ଗୀର : ସାରାଦେଶରେ ଚାଷୀ ଶୋଷଣକୁ ନେଇ ସଭା, ଶୋଭାଯାତ୍ରା ଓ ଆନ୍ଦୋଳନ। ଗାଁରୁ ସହର ସବୁଠି ଶୋଷଣର ଶିକାର ହେଉଛି ଚାଷୀ। ପଛୁଆ ବଲାଙ୍ଗୀର ଜିଲ୍ଲାରେ ମହାଜନୀ କାରବାରରେ ଅଧିକ ଶୋଷଣର ଶିକାର ହୁଏ ଚାଷୀ। ଏଠି ଧାନ ପରେ ଅର୍ଥକାରୀ ଫସଲ କପା ଚାଷ କରନ୍ତି ଚାଷୀ। ଦୁଇପଇସା ଆଶାରେ ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଉତ୍ପାଦନ କରନ୍ତି। କିନ୍ତୁ ଚାଷ ଆରମ୍ଭରୁ ମହାଜନ ପାଖରୁ କରଜ କରୁଥିବାରୁ ଲାଭର ସିଂହଭାଗ ଖାଇଯାଏ ମହାଜନ। ଆଉ ମହାଜନ ପରେ ଚାଷୀଙ୍କ ଉପରେ ମିଲରଙ୍କ ଉତ୍ପାତ। କପା ବିକ୍ରି ପାଇଁ ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ଥିଲେ ବି ସିଧାସଳଖ ଚାଷୀଙ୍କଠାରୁ କମ ମୂଲ୍ୟରେ କପା କିଣି ମାଲାମାଲ ହୁଏ ମିଲର୍। ଏପରିକି ଚାଷୀଙ୍କ କପାରେ କୋଟିକୋଟି ଟଙ୍କା ଲାଭ କରୁଥିଲେ ବି ବର୍ଷବର୍ଷ ଧରି ଚାଷୀଙ୍କୁ ଟଙ୍କା ପଇଠ କରନ୍ତିନି ଅନେକ ମିଲର। ଚାଷୀଙ୍କ ପଇସାରେ ଅଏସ କରନ୍ତି। ବ୍ୟବସାୟ ବଢ଼ାନ୍ତି। ଆଉ ନିଜ ଫସଲର ମୂଲ୍ୟ ପାଇଁ ବାରଦୁଆର ଚାଷୀ। କିନ୍ତୁ ଗୁହାରି କଲେ ମିଲର ସପକ୍ଷରେ ଛାତିଟେକି ବାହାରି ପଡ଼ନ୍ତି ପ୍ରଶାସନ ଓ ପୁଲିସ ଅଧିକାରୀ। ଏପରି ଏକ ସମ୍ବେଦନଶୀଳ ଘଟଣା ବଲାଙ୍ଗୀର ଉପଖଣ୍ଡ ପାଟଣାଗଡ଼ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।
କପା ଚାଷୀଙ୍କ ୩୨ ଲକ୍ଷରୁ ଅଧିକ ଟଙ୍କା ଦେଢ଼ବର୍ଷ ଧରି ପଇଠ କରିନଥିଲେ ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା କପାଣିସ୍ଥିତ ରାଧାରମଣ ଜିନିଂ ମିଲ୍ର ଦୁଇ ଜଣ ମିଲର କେଶବ ଛାପଡ଼ିଆ ଓ ରମେଶ ଜୈନ। ଘଟଣା ସଂପର୍କରେ ପାଟଣାଗଡ଼ ଏସ୍ଡିପିଓ ଓ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ପିଟିସନ ଦାଖଲ କରିଥିଲେ ଚାଷୀ। ଅଭିଯୋଗର ଗୋଟିଏ ମାସ ପର୍ଯ୍ୟନ୍ତ କିଛି ନହେବାରୁ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତର ଦିନକ ଆଗରୁ ଅଗଷ୍ଟ ୨୧ ତାରିଖ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳରେ ବସିଥିଲେ। ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ। ହେଲେ ମିଲ ମାଲିକଙ୍କୁ ଖୋଜି କାର୍ଯ୍ୟାନୁଷ୍ଠାନ ବଦଳରେ ମିଲ୍ ମାଲିକଙ୍କ ସପକ୍ଷରେ ବାହାରି ପଡ଼ିଲା ପାଟଣାଗଡ଼ ଉପଖଣ୍ଡ ପୁଲିସ। ଏସଡିପିଓଙ୍କ ନିର୍ଦ୍ଦେଶରେ ବେଲପଡ଼ା ଆଇଆଇସି ମଧ୍ୟସ୍ଥି ସାଜିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଦୁଇ ମିଲ ମାଲିକ କେଶବ ଛାପଡ଼ିଆ ଓ ରମେଶ ଜୈନଙ୍କୁ ଡାକି ଚାଷୀମାନଙ୍କ ଉପସ୍ଥିତିରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।
‘ସମ୍ବାଦ’ ହାତରେ ଲାଗିଥିବା ଚୁକ୍ତିନାମାର ଅସଲି କପି କହୁଛି ପୁଲିସ ମଧ୍ୟସ୍ଥିର ଆତ୍ମକଥା। ମଧ୍ୟସ୍ଥି ସାଜି ୩୨ଲକ୍ଷ ୯୦ହଜାର ଟଙ୍କାରୁ ୧୨ଲକ୍ଷ ୯୦ ହଜାର ଟଙ୍କା ଆଇଆଇସିଙ୍କ ଉପସ୍ଥିତିରେ ଚାଷୀଙ୍କୁ ପଇଠ କରିଥିଲେ ଦୁଇ ମିଲ୍ ମାଲିକ। ଆଉ ୨୦ ଲକ୍ଷ ଟଙ୍କା ଆସନ୍ତା ୨୦୨୨ ଜାନୁଆରି ଶେଷ ସୁଦ୍ଧା ଦେବାକୁ ଲିଖିତ ଚୁକ୍ତି ହୋଇଥିଲା। ସରକାରୀ ଷ୍ଟାମ୍ପ ଲାଗି ଚୁକ୍ତିରେ ସ୍ୱାକ୍ଷର କଲେ ଉଭୟ ପକ୍ଷ।
କିନ୍ତୁ ଏନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜ୍ଞ। ସେମାନଙ୍କ ମତରେ, ଥାନା ଭିତରେ ଆର୍ଥିକ କାରବାର କରିବା ପାଇଁ ଥାନା ଅଧିକାରୀଙ୍କୁ ଦାୟିତ୍ୱ ଦେଲା କିଏ? ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବିଚାରପତି ହୋଇ ବିଚାର ଶୁଣାଇବାକୁ ଥାନା ଅଧିକାରୀ କିଏ? ଥାନା ଅଧିକାରୀଙ୍କ ଅଧିକାର ଅଛି କି? ଦେଢ଼ ବର୍ଷ ଧରି ଚାଷୀଙ୍କ କପା ବିକି କୋଟି କୋଟି ଟଙ୍କା ଲାଭ କରିଥିବା ମିଲ ମାଲିକ ଟଙ୍କା ନଦେଇ ଠକି ବୁଲୁଥିଲେ। ଏହା ମାମଲା ୪୨୦ ନୁହେଁ କି? ଏବେ ମିଲରଙ୍କ ପାଇଁ ପୁଲିସର ଦରଦକୁ ନେଇ ସାଧାରଣରେ ଚର୍ଚ୍ଚା- ‘ଥାନା କଚେରି, ପୁଲିସ ମାଜିଷ୍ଟ୍ରେଟ।’