ସୁବ୍ରତ ସ୍ବାଇଁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଟମାଟୋ ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ଦାମ୍‌ ଦେବାପାଇଁ ‘ବିଲାତି ଓଡ଼ିଶା’ର ପରିକଳ୍ପନା କରାଯାଇଥିଲା। ‘ବିଲାତି ଓଡ଼ିଶା’ କାରଖାନା ପ୍ରତିଷ୍ଠା ପରେ ଚାଷୀମାନେ କିଛିବର୍ଷ କମ୍ପାନିକୁ ଟମାଟୋ ବିକ୍ରି କରି ଭଲ ରୋଜଗାର କରୁଥିଲେ। ମାତ୍ର, କାରଖାନା ବନ୍ଦ ହେବାପରେ ଅଭାବୀ ବିକ୍ରି ଚାଷୀଙ୍କ ପିଛା ଛାଡ଼ୁନି। ବର୍ଷବର୍ଷ ଧରି ଚାଷୀମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ‘ବିଲାତି ଓଡ଼ିଶା’ କାରଖାନାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉ ନାହିଁ।

Advertisment

ଟମାଟୋ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଓ ଟମାଟୋର ଅଭାବୀ ବିକ୍ରିକୁ ରୋକିବାକୁ ୧୯୯୫ରେ କେନ୍ଦୁଝର ସହରରୁ ମାତ୍ର ୧୩ କିମି ଦୂର ଗୋପାଳପୁରଠାରେ ପ୍ରତିଷ୍ଠା ହୋଇଥିଲା ‘ବିଲାତି ଓଡ଼ିଶା’। ଓଡ଼ିଶା ସ୍ପଞ୍ଜ ଆଇରନ କମ୍ପାନି, ଟର୍‌ଷ୍ଟିଲ ଫାଉଣ୍ଡେସନ, ୟୁନିଟେକ୍ ଇଣ୍ଟରନ୍ୟାସନାଲ ସହ ରାଜ୍ୟ କୃଷି ଶିଳ୍ପ ନିଗମର ମିଳିତ ପ୍ରଚେଷ୍ଟାରେ ଏହି କମ୍ପାନି ପ୍ରତିଷ୍ଠା ଲାଭ କରିଥିଲା। ୨୫ଏକର ଜମିରେ ୨୨କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ କମ୍ପାନିକୁ  ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ତତ୍କାଳୀନ ଶିଳ୍ପମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ୧୯୯୮ରେ କମ୍ପାନି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଉତ୍ପାଦନ ଆରମ୍ଭ କରିଥିଲା। ଆଇଏସ୍‌ଓ ୯୦୦୧ ଓ ୨୦୦୦ ମାନ୍ୟତା ଲାଭ କରିଥିବା ବିଲାତି ଓଡ଼ିଶା କାରଖାନା ପୂର୍ବ ଭାରତର ସର୍ବବୃହତ୍ କୃଷି ଶିଳ୍ପ କାରଖାନା ଭାବେ ସ୍ୱତନ୍ତ୍ର ପରିଚୟ ପାଇଥିଲା।

କମ୍ପାନି ଟମାଟୋ ଚାଷୀଙ୍କୁ ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରିଥିଲା। ଚାଷୀମାନଙ୍କୁ କମ୍ ଦରରେ ଉନ୍ନତ କିସମର ବିହନ, ସାର, ଔଷଧ ଦେଉଥିଲା। ଉତ୍ପାଦିତ ଟମାଟୋକୁ କିଣି କାରଖାନାରେ ପ୍ରକ୍ରିୟାକରଣ କରି ଏକ ପେଷ୍ଟ ତିଆରି କରୁଥିଲା। ଏହାକୁ ବାହାରକୁ ରପ୍ତାନି କରାଯାଉଥିଲା। ଏହାଛଡ଼ା ପାଚିଲା ଆମ୍ବ ସଂଗ୍ରହ କରାଯାଇ ଆମ୍ବରସକୁ ପ୍ରକ୍ରିୟାକରଣ କରାଯାଇ ପେପ୍‌ସି କମ୍ପାନିକୁ ବିକ୍ରି କରାଯାଉଥିଲା। ଉତ୍ପାଦିତ ସାମଗ୍ରୀ ଉନ୍ନତମାନର ହୋଇଥିବାରୁ ଜର୍ମାନ, ଇଂଲଣ୍ଡ, ୟୁଏଇ, ନେଦରଲ୍ୟାଣ୍ଡସକୁ ରପ୍ତାନି ହେଉଥିଲା।

ପରିଚାଳନାରେ ଅବ୍ୟବସ୍ଥା କାରଣରୁ କିଛିବର୍ଷ ଚାଲିବା ପରେ ବିଲାତି ଓଡ଼ିଶା ବନ୍ଦ ହୋଇଯାଇଥିଲା। ଏହା ପରଠାରୁ ଟମାଟୋ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ୨୦୧୩ରେ କେନ୍ଦୁଝର ସଦର ବ୍ଲକ୍‌ ଜଡ଼ିଚାତର ଗ୍ରାମର ଜଣେ ଟମାଟୋ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀ ହୋଇ ଆତ୍ମହତ୍ୟା କରିବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣା ପରେ ପ୍ରଶାସନ ବାଧ୍ୟ ହୋଇ ବିଲାତି ଓଡ଼ିଶା କାରଖାନାକୁ କିଛିଦିନ ପାଇଁ କାର୍ଯ୍ୟକ୍ଷମ କରିଥିଲେ। ଚାଷୀଙ୍କଠାରୁ ଟମାଟୋ କିଣି ଉଚିତ ଦର ଦେଇଥିଲେ। ପରେ ପୁଣି କାରଖାନା ବନ୍ଦ ହୋଇଯାଇଥିଲା। ତଥାପି, ‘ବିଲାତି ଓଡ଼ିଶା’ର ପୁନରୁଦ୍ଧାର କରାଯାଇ ସମସ୍ୟାର ସମାଧାନ ହେବ ବୋଲି ଆଶା ଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ତାହା ହେଲାନାହିଁ। ଏପଟେ ଟମାଟୋ ଚାଷୀଙ୍କ ଅବସ୍ଥାରେ ମଧ୍ୟ ସୁଧାର ଆସୁନି।