ରାଉରକେଲା : ଟଙ୍କାଟିଏ ବି ବିକ୍ରି ହେଉନି ବିଲାତି। ବିଲରୁ ତୋଳି ଗାଡ଼ି ଭଡ଼ା କରି ବଜାରକୁ ନିଆଯାଉଛି। ସେଠାରେ ବିକ୍ରି ନହେବାରୁ ଶେଷରେ ନିଜର କଷ୍ଟ ଉପାର୍ଜିତ ପରିବାକୁ ଗାଈ ମୁହଁରେ ତ କେଉଁଠି ରାସ୍ତାକଡ଼ରେ ଫିଙ୍ଗି ଦେଇ ଚାଲିଯାଉଛି ଚାଷୀ। ନିଜର ଶ୍ରମ ଓ ଅର୍ଥ ଲଗାଇ ଚାଷ କରିଥିବା ବିଚରା ଚାଷୀଟି ଯେତେବେଳେ ରାସ୍ତାରେ ପନିପରିବା ଫିଙ୍ଗି ଦେଇ ଚାଲିଯାଏ ତାହା କେତେ ଯେ ଯନ୍ତ୍ରଣାଦାୟକ ତାହା ସେ ହିଁ ବୁଝୁଥିବ। ଏହିଭଳି କିଛି ଘଟଣା ଗତ କିଛି ଦିନ ହେବ ଘଟୁଛି ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, ହାତୀବାରି ଓ ବୀରମିତ୍ରପୁର ଅଞ୍ଚଳରେ।
ପରିବା ଚାଷ ପାଇଁ ବେଶ୍ ଜଣାଶୁଣା ନୂଆଗାଁ ଅଞ୍ଚଳ। ଏହି ଅଞ୍ଚଳରୁ ପ୍ରତିବର୍ଷ ବିଲାତି, ବନ୍ଧାକୋବି, ଫୁଲକୋବି, ଭେଣ୍ଡି, ବାଇଗଣ, ଲାଉ, କଖାରୁ, କାପସିକମ୍ ଆଦି ବିଭିନ୍ନ ସ୍ଥାନକୁ ଚାଲାଣ ହୋଇଥାଏ। ଏଠାରେ ଧାନ ଚାଷ ପରେ ଚାଷୀ ପରିବା ଚାଷ କରିଥାଏ। ଠିକ୍ ସମୟରେ ଚାଷ କରୁଥିବା ଚାଷୀ ଧାନ ଠାରୁ ପରିବାରେ ଯଥେଷ୍ଟ ଲାଭ ପାଇଥାଏ। କିନ୍ତୁ ପ୍ରାୟ ପ୍ରତିବର୍ଷ ଏପରି ଏକ ସମୟ ଆସୁଛି, ଯେତେବେଳେ ଚାଷୀଙ୍କ ପରିବା କ୍ଷେତରେ ବା ରାସ୍ତାକଡ଼ରେ ପଚୁଛି। ପ୍ରଶାସନ ପ୍ରତିବର୍ଷ ଏହାକୁ ଦେଖୁଥିଲେ ମଧ୍ୟ କିଛି ପ୍ରତିକାର କରୁନାହିଁ। ପୁଣି ଅଞ୍ଚଳରେ ଥିବା ଶୀତଳ ଭଣ୍ଡାରଗୁଡ଼ିକ କାମ କରୁ ନାହିଁ। ତେଣୁ ପ୍ରାୟ ପ୍ରତିବର୍ଷ ଏହି ସମୟରେ ଫୁଲକୋବି ୧୦ ଟଙ୍କାରେ ୨ କିଲୋ, ବିଲାତି ୧୦ ଟଙ୍କାରେ ୬ କିଲୋ ବିକ୍ରି ହେଉଛି। ଅନେକ ସମୟରେ ଚାଷୀ ସେତିକି ମୂଲ୍ୟ ମଧ୍ୟ ପାଉନାହିଁ। ଗତକାଲି ବୀରମିତ୍ରପୁର ବଜାରରେ କିଛି ଚାଷୀ ବିକ୍ରି ହୋଇ ନପାରିବାରୁ ଫୁଲକୋବି ଓ ବିଲାତିକୁ ଗାଈ ମୁହଁରେ ଢ଼ାଳି ଦେଉଥିବା ଦେଖିବାକୁ ମିଳିଥିଲା। ଚାଷୀମାନେ ଶେଷରେ ପରିବାକୁ ମାଗଣା ବାଣ୍ଟିବା ସହ ଯାହା ବଳିଲା ତାକୁ ରାସ୍ତାରେ ଫିଙ୍ଗିଦେଇ ଚାଲି ଯାଇଥିଲେ। ରାଉରକେଲାକୁ ବି ପରିବା ବିକ୍ରି କରିବାକୁ ଆଣିଥିବା କିଛି ଚାଷୀ ଆଜି ରାସ୍ତାରେ ମାଗଣାରେ ପରିବା ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା।
ଅହେତୁକ ଦର ହ୍ରାସ ଯୋଗୁ ନୂଆଗାଁ ଓ ହାତୀବାରି ଅଞ୍ଚଳର ବହୁ ଚାଷୀ ଏବେ ବିଲକୁ ବିଲାତି ତୋଳିବାକୁ ଆଉ ଯାଉ ନାହାନ୍ତି। ଫଳରେ ପରିବା ବିଲରେ ହିଁ ସଢ଼ୁଛି। ନୂଆଗାଁ ବ୍ଲକ୍ ସୋରଡ଼ା ପଞ୍ଚାୟତର ଯୋଲେନ ମୁଣ୍ଡା, ପୁଲି୍କର ମୁଣ୍ଡା, ଶୁକ୍ରୁ ଓରାମ, ବାନ୍ଧୁ ଓରାମ, ସୁବୋଧ ଓରାମ, ନାଥନିଏଲ୍ ସାମଦ, ବଡ଼ଯୋଜଦା ପଞ୍ଚାୟତର ହରିଲାଲ ସାହୁ, ରାଜେଶ ସାହୁ, ଚିତାପେଡ଼ି ପଞ୍ଚାୟତର ଗଞ୍ଜୁଆ ଓରାମ ଓ ନୂଆଗାଁ ପଞ୍ଚାୟତର ମାର୍ଟିନ୍ ଲୁଗୁନଙ୍କ ଭଳି ଶହ ଶହ ଚାଷୀ ବିଲାତି ଚାଷ କରି କ୍ଷତି ସହିଛନ୍ତି। ହଜାର ହଜାର କ୍ବିଣ୍ଟାଲ୍ ବିଲାତି ଏବେ ବିଲରେ ଖତ ଖାଉଛି। ଚାଷୀ ଯେତିକି ଟଙ୍କା ଖର୍ଚ୍ଚ କରି ଚାଷ କରିଥିଲା, ନିଜର ମଜୁରି ଓ ପରିବା ବଜାରକୁ ଆଣିବା ଭଡ଼ା ମିଳିବା ତ ଦୂରର କଥା, ବଜାରରେ ଦିନ ସାରା ବସି ବିକିବାର ମଜୁରି ବି ମିଳୁନାହିଁ। ଏଥିପ୍ରତି ପ୍ରଶାସନ ଓ ସଂପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ନଦେଲେ ଋଣ ଭାରରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିବା ସାର ହେବ।
ଉଲ୍ଲେଖନୀୟ ଯେ ଏସବୁ ଅଞ୍ଚଳରେ ଯେ ଶୀତଳ ଭଣ୍ଡାର ନାହିଁ, ତା’ ନୁହେଁ। ଖାଲି କୋଠା ଅଛି, ତାଲା ଝୁଲୁଛି। ଉଦାହରଣସ୍ବରୂପ ନୂଆଗାଁ ବ୍ଲକ୍ରେ ଚାଷୀଙ୍କ ପାଇଁ ଦୁଇଟି ମିନି ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇଛି। ପ୍ରଥମଟି ୨୦୦୮ ମସିହାରେ ପ୍ରତିଷ୍ଠା ହୋଇଥିଲା। ମାତ୍ର ଏହା କାର୍ଯ୍ୟକାରୀ ହେଲାନାହିଁ। ପରବର୍ତ୍ତୀ ସମୟରେ ୨୦୧୩-୧୪ ମସିହାରେ ଆଉ ଏକ ମିନି ଶୀତଳ ଭଣ୍ଡାର ତିଆରି ହେଲା। ପୂର୍ବାପେକ୍ଷା ଏହା ବଡ଼ ଥିଲା, ଯେଉଁଥିରେ ୩୦ ମେଟ୍ରିକ୍ ଟନ୍ ପନିପରିବା ରହିବାର କ୍ଷମତା ରହିଛି ବୋଲି କୁହାଗଲା। ମାତ୍ର ଏହା ନିର୍ମାଣ ଦିନରୁ ସେଥିରେ ତାଲା ଝୁଲୁଛି। କେବଳ ଶୀତଳ ଭଣ୍ଡାର ପରିଚାଳନା ପାଇଁ କମିଟି ଗଠନ କରି ବିଭାଗ ନିଜ ଦାୟିତ୍ବ ଶେଷ କରିଛି।