ପାତ୍ରପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଋତୁରେ ଧାନକିଣାକୁ ନେଇ ବିଭିନ୍ନ ସ୍ଥାନରୁ ବ୍ୟାପକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। କେଉଁଠି ମଣ୍ଡି ଖୋଲିନି ତ, ଆଉ କେଉଁଠି ଚାଷୀ ଏଯାଏ ଟୋକନ୍ ପାଇନାହାନ୍ତି। କିଛି ସ୍ଥାନରେ ମଣ୍ଡି ଖୋଲିଥିଲେ ମଧ୍ୟ, ଧାନ ରଖିବା ଲାଗି ପର୍ଯ୍ୟାପ୍ତ ସ୍ଥାନର ଅଭାବ। ଯଦ୍ବାରା ଚାଷୀର ଧାନ ସିଧାସଳଖ ମିଲ୍କୁ ଯାଉଛି। ଆଉ ମିଲର୍ମାନେ ମନମୁଖି ନୀତି ଆପଣାଉଛନ୍ତି। ଫଳରେ ଏଭଳି ଗୋଳମାଳିଆ ପରିସ୍ଥିତିରେ ଜିଲ୍ଲାରେ ଅଭାବୀ ବିକ୍ରି ଆରମ୍ଭ ହୋଇସାରିଥିବା ବେଳେ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟର ବେପାରୀ ଏବଂ ଦଲାଲ୍ ମାତିଗଲେଣି। ଏପଟେ ଅଧିକାରୀ ଓ ମିଲର୍ଙ୍କ ଚକ୍ରବ୍ୟୁହରେ ଫସି ଚାଷୀ ବାଟ ନପାଇ ଦଲାଲ୍ଙ୍କ ହାତରେ ଟେକିଦେଉଛି ଧାନ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ରେ। ବ୍ଲକ୍ରେ ଧାନ କିଣିବା ଲାଗି ଯେଉଁ ସୋସାଇଟି ଗୁଡ଼ିକୁ ଦାୟିତ୍ବ ଦିଆଯାଇଛି, ସେଠାରେ ଧାନ ରଖିବାକୁ ପର୍ଯ୍ୟାପ୍ତ ସ୍ଥାନ କି ଗୋଦାମଗୃହ ନାହିଁ। ଫଳରେ ଚାଷୀଙ୍କ ଧାନ ସିଧାସଳଖ ମିଲର୍ ପାଖକୁ ଯାଉଥିବା ବେଳେ ସେମାନଙ୍କ ମନମାନି ଓ କଟ୍ନିଛଟ୍ନି ନୀତି ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଛି।
ସ୍ଥାଣୁ ବ୍ୟବସ୍ଥାକୁ, ମିଲର୍ଙ୍କ କଟ୍ନିଛଟ୍ନି ନୀତି କାଳ
ଆନ୍ଧ୍ର ଦଲାଲ୍ ମାତିଛନ୍ତି, ଅନ୍ନଦାତାଙ୍କ ଦୁଃଖ ଶୁଣିବ କିଏ?
ସୀମାନ୍ତରେ ମାତିଲେଣି ଆନ୍ଧ୍ରବେପାରୀ
କିଛି ଚାଷୀଙ୍କ ସହ ଆମ ସହ ଆଲୋଚନା ବେଳେ ସେମାନେ କହିଛନ୍ତି, ହାତଗଣତି ଜଣେ ଦୁଇଜଣ ମିଲର୍ଙ୍କୁ ଛାଡ଼ିଦେଲେ ଅନ୍ୟ ମିଲର୍ମାନେ ଏବେ କଟ୍ନିଛଟ୍ନି ନୀତି ଆପଣାଇଛନ୍ତି। କ୍ବିଣ୍ଟାଲ୍ ପିଛା ୪ କେଜି କାଟି ଟଙ୍କା ଆଣିବାକୁ ପଡ଼ୁଛି। ଫଳରେ ଚାଷୀ କ୍ଷତି ସହୁଛନ୍ତି। ମିଲର୍ମାନେ ଧାନର ମାନ ଭଲ ନାହିଁ କହୁଛନ୍ତି। ଏହାର ପ୍ରତିବାଦ କଲେ ବି କିଛି ସୁଫଳ ମିଳୁନି। ଏହାପୂର୍ବରୁ ବମକୋଇ ଗ୍ରାମର କିଛି ଚାଷୀ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଚାଷୀଙ୍କୁ ଅଖା ଫେରସ୍ତ ହେଉଥିବା ବେଳେ ଆକାଉଣ୍ଟ୍କୁ ବି ଟଙ୍କା ଆସୁ ନଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ଏହି ନୀତି ଜାରି ରହିଲେ ଆମେ ବ୍ୟାଙ୍କ୍ ଓ ସାହୁକାରର ଋଣ କେମିତି ପରିଶୋଧ କରିବୁ ବୋଲି ଚାଷୀମାନେ କହିଛନ୍ତି।
ସେହିପରି କିଛି ଚାଷୀ ମିଲର୍ମାନଙ୍କ କଟ୍ନିଛଟ୍ନି ନୀତିର ଶିକାର ହେବା ଅପେକ୍ଷା ଆନ୍ଧ୍ର ବେପାରୀ ହାତକୁ ଶାଗମାଛ ଦରରେ ଧାନ ଟେକିଦେବାକୁ ଉଚିତ୍ ମଣୁଛନ୍ତି। ଏହାସହ ମଣ୍ଡିରେ ଧାନ ଉଠିବା ଏବଂ ଟୋକନ୍ ଆସିବାରେ ବିଳମ୍ବ ହେଉଥିବାରୁ ଚାଷୀଙ୍କ ପାଇଁ ଧାନବସ୍ତା ସଂରକ୍ଷଣ ଚିନ୍ତାର ବିଷୟ ପାଲଟିଛି। କିଛି ଚାଷୀ ବିଲରେ ହିଁ ଶୀତକାକରରେ ଧାନକୁ ସେମିତି ଜଗି ରହିଛନ୍ତି। ତେବେ ଏହାମଧ୍ୟରେ ଅଧିକାଂଶ ଚାଷୀ ଧାନବସ୍ତାକୁ ଶ୍ରମିକମାନଙ୍କୁ ନିୟୋଜିତ କରି ମଣ୍ଡି ଓ ମିଲ୍କୁ ନେଇ ଖର୍ଚ୍ଚାନ୍ତ ହେବା ଅପେକ୍ଷା ଆନ୍ଧ୍ର ବେପାରୀ କମ୍ ଦାମ୍ରେ ବିକ୍ରି କରିସାରିଲେଣି। ଯାହାକି ପ୍ରଶାସନ ଓ କୃଷି ବିଭାଗର ଅପାରଗତାକୁ ପଦାରେ ପକାଇଛି। ସେହିପରି ଯେଉଁ ଚାଷୀମାନେ ଏଯାବତ୍ ଟୋକନ୍ ପାଇନାହାନ୍ତି, ସେମାନଙ୍କଠୁ କିଛି ମିଲର୍ ଆନ୍ଧ୍ରବେପାରୀଙ୍କ ଧାର୍ଯ୍ୟ ଦରରେ ଧାନ ନେଇଯାଉଛନ୍ତି। ଯାହାକି ତଦନ୍ତସାପେକ୍ଷ ବୋଲି ମତପ୍ରକାଶ ପାଇଛି। କେବଳ ଏତିକି ନୁହେଁ, ଗତବର୍ଷ ଚାଷୀଙ୍କୁ ଭରସା ଦେଇ ଟାର୍ଗେଟ୍ ଆସିବ ଭାବି ମିଲର୍ ମାନେ ଧାନ ନେଇଥିଲେ। କିନ୍ତୁ ଏଯାବତ୍ ସେମାନଙ୍କୁ ପ୍ରାପ୍ୟ ମିଳି ନଥିବା ଅଭିଯୋଗ ହୋଇଛି। ଫଳରେ ତୁରନ୍ତ ମଣ୍ଡି ଖୋଲିବା ସମେତ ଧାନକିଣାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବା ଏବଂ ମିଲର୍ଙ୍କ କଟ୍ନିଛଟ୍ନି ନୀତିକୁ ବନ୍ଦ କରିବାକୁ ଚାଷୀ ଦାବି କରିଛନ୍ତି।
ସୂଚନା ଥାଉକି, ଚଳିତବର୍ଷ ବ୍ଲକ୍ରେ ୨୦ଟି ମଣ୍ଡିରୁ ୧ଲକ୍ଷ ୪୬ ହଜାର କିଣ୍ଟାଲ୍ ଧାନସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଗତବର୍ଷ ୧ ଲକ୍ଷ ୯୦ ହଜାର କ୍ବିଣ୍ଟାଲ୍ ଧାନକିଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଚାଷୀଙ୍କ ଟୋକନ୍ ଥାଇ ବି ଟାର୍ଗେଟ୍ ନଆସିବାରୁ ତାହା ଲାପ୍ସ୍ ହୋଇଯାଇଥିଲା। ଫଳରେ ଚାଷୀ ଧାନବିକ୍ରିରୁ ବଞ୍ଚିତ ହୋଇଥିଲେ। ବ୍ଲକ୍ ଯୋଗାଣ ଅଧିକାରୀ ପଦ୍ମେଶ ଶତପଥୀଙ୍କ ସହ ଯୋଗାଯୋଗ କରିବାରୁ ଆଗକୁ ଟାର୍ଗେଟ୍ ବଢ଼ିବା ସମ୍ଭାବନା ରହିଛି।