ସବୁଆଡ଼ୁ ଭୋଗୁଛନ୍ତି ଚାଷୀ: ଅଖାରେ ବି ଶୋଷଣ; କିଣା ୩୫ ଟଙ୍କା, ମିଳୁଛି ୧୦ ଟଙ୍କା

କେନ୍ଦୁଝର ଜିଲ୍ଲାରେ ୮.୨୫ କୋଟି ଟଙ୍କା କ୍ଷତି ସହିଛନ୍ତି ଚାଷୀ

କେନ୍ଦୁଝର : ଚାଷ ବେଳେ ଚାଷୀ ଯେମିତି ବିହନ, ସାର ଏବଂ ଔଷଧ କିଣିବା ସମୟରେ ଠକେଇରେ ପଡ଼ିଥାଏ ଅମଳ ବେଳେ ମଧ୍ୟ ‌ସେମିତି ବିଭିନ୍ନ ଉପାୟରେ ଠକେଇର ଶିକାର ହେଉଛି। ମଣ୍ଡିରେ ଧାନ ବିକିଲା ବେଳେ କଟ୍‌ନିଛଟ୍‌ନି ନାଁରେ ଧାନ କଟାଯାଉଛି। ଅଖା ବାବଦକୁ ପ୍ରାପ୍ୟ ପ୍ରଦାନରେ ମଧ୍ୟ ଚାଷୀଟିଏ ଯୋଗାଣ ବିଭାଗ ଏବଂ ମିଲର୍‌ଙ୍କ ଷଡ୍‌ଯନ୍ତ୍ରର ଶିକାର ହେଉଛି। ଖୋଲା ବଜାରରୁ ଚାଷୀ ୩୫ଟଙ୍କା ଦେଇ ଝୋଟ ଅଖା କିଣୁଥିବା ବେଳେ ଏ ବାବଦକୁ ମିଳୁଛି ମାତ୍ର ୧୦ ଟଙ୍କା। ଏହି କାରବାରରେ ଗତବର୍ଷ କେନ୍ଦୁଝର ଜିଲ୍ଲାର ଚାଷୀମାନେ ପ୍ରାୟ ୮ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କା କ୍ଷତି ସହିଛନ୍ତି।

କେନ୍ଦୁଝର ଜିଲ୍ଲାରେ ମୋଟ ୮୯ଟି ସ୍ଥାନ‌ରେ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯାଉଛି। ପ୍ରତିବର୍ଷ ଜିଲ୍ଲାରେ ଧାନ ବିକିବାକୁ ଚାଷୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ୨୦୧୭-୧୮ ମସିହାରେ ମୋଟ ୨୪୪୭୭ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ମୋଟ ୮ ଲକ୍ଷ ୭୩ ହଜାର ୨୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ୨୦୧୮-୧୯ ମସିହାରେ ୨୨୬୨୬ଜଣ ଚାଷୀ ୧୧ ଲକ୍ଷ ୯୧ ହଜାର ୬୦୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ୨୦୧୯-୨୦ ମସିହାରେ ୩୬ ହଜାର ୬୩୬ଜଣ ଚାଷୀ ୧୩ ଲକ୍ଷ ୫ ହଜାର ୨୩୪ କୁଇଣ୍ଟାଲ ଏବଂ ଗତବର୍ଷ ୪୯ ହଜାର ୨୨୦ଜଣ ଚାଷୀ ୧୬ ଲକ୍ଷ ୫୧ ହଜାର ୧୮ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ସରକାରୀ ନିୟମ ଅନୁସାରେ, ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପରେ ନିଜ ଅଖା ଫେରସ୍ତ ‌ନେଇଯିବେ। ମଣ୍ଡିରୁ ମିଲର୍‌ ନିଜ ବ୍ୟବସ୍ଥା‌ରେ ଧାନକୁ ନିଜ ଅଖାରେ ଭର୍ତ୍ତି କରି ମିଲ୍‌କୁ ନେବେ। ଯଦି କେହି ଚାଷୀ ଅଖା ସହିତ ଧାନ ବିକ୍ରି କରିଦିଏ, ତେବେ ସଂପୃକ୍ତ ଚାଷୀଙ୍କୁ ଅଖା ପିଛା ୧୦ଟଙ୍କା ମିଳିବ। ଏଥିପାଇଁ ଗତବର୍ଷ ଅର୍ଥାତ ୨୦୨୧ ମସିହା ଫେବ୍ରୁଆରି ୧୦ ତାରିଖରେ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଧୀରେନ୍ଦ୍ର କୁମାର ସାହୁ ଚିଠି ନମ୍ବର -୨୫୨୮ରେ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଝୋଟ ଅଖା ବାବଦକୁ ୧୦ଟଙ୍କା ଏବଂ ଜରି ଅଖା ବାବଦକୁ ୫ଟଙ୍କା ଦର ଧାର୍ଯ୍ୟ କରିଥିଲେ। କିନ୍ତୁ ବା‌ସ୍ତରେ ଚାଷୀଙ୍କୁ ଅଖା ଫେରସ୍ତ ଦିଆଯାଉ ନାହିଁ। ଫଳରେ ସେମାନେ କ୍ଷତି ସହୁଛନ୍ତି। ଏ ସଂପର୍କରେ ତେଲକୋଇ ବ୍ଲକ୍‌ ଖୁଣ୍ଟାପଡ଼ା ଗ୍ରାମର ବସନ୍ତ ପ୍ରଧାନଙ୍କ କହିବା ଅନୁସାରେ, ସେ ଏ ବର୍ଷ ୭ ତାରିଖରେ ନିକଟସ୍ଥ ମଣ୍ଡିରେ ଧାନ ବିକ୍ରି କରିବାକୁ ଟୋକନ ପାଇଛନ୍ତି। ଘରେ ଅଖା ନ ଥିବାରୁ ସେ ହରିଚନ୍ଦନପୁର ବଜାରରୁ ୨୦୦ଟି ଅଖା କିଣିଛନ୍ତି। ଅଖା ପିଛା ଦାମ ୩୫ଟଙ୍କା ହିସାବରେ ସେ ୭ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ୧୦୦ କୁଇଣ୍ଟାଲ ଧାନ ଭର୍ତ୍ତି କରି ରଖିଛନ୍ତି। ମାତ୍ର ସେ ମଣ୍ଡିରେ ଧାନ ବିକ୍ରି କଲାବେଳେ ଧାନ ସହ ଅଖା ବିକ୍ରିର ପରମ୍ପରା ଚାଲିଥିବାରୁ ସେଠାରେ ସେ ଆଖା ବାବଦକୁ ଗୋଟିକ ପିଛା ମାତ୍ର ୧୦ ଟଙ୍କା ପାଇବେ। ୨୦୦ ଅଖା ବାବଦକୁ ତାଙ୍କୁ ମାତ୍ର ୨ହଜାର ଟଙ୍କା ମିଳିବ। ୫ ହଜାର ଟଙ୍କା କ୍ଷତି ସହିବେ ବସନ୍ତ।

Representative image: Quora

ଗତବର୍ଷ କେନ୍ଦୁଝର ଜିଲ୍ଲାର ଧାନ ବିକ୍ରି ତଥ୍ୟକୁ ହିସାବକୁ ନେଲେ, ଜିଲ୍ଲାରେ ୪୯ ହଜାର ୨୨୦ ଜଣ ଚାଷୀ ମୋଟ ୧୬ ଲକ୍ଷ ୫୧ ହଜାର ୧୮ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ଗୋଟିଏ ବସ୍ତାରେ ୫୦ କେଜି ଧାନ ରହିଲେ ଏଥିପାଇଁ ୩୩ ଲକ୍ଷ ୨ ହଜାର ୩୬ଟି ଅଖା ବ୍ୟବହାର ହୋଇଥିଲା। ଗୋଟିଏ ଅଖା ପିଛା ୨୫ଟଙ୍କା ହିସାବରେ ୩୩ ଲକ୍ଷ ୨ ହଜାର ୩୬ଟି ଅଖା ପାଇଁ ଚାଷୀମାନେ ୮ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କା କ୍ଷତି ସହିଥିବା ଜଣାପଡ଼ିଛି। ଚାଷୀମାନେ ମଣ୍ଡିରେ ଧାନ ସହ ଅଖା ଦେବା ପାଇଁ ଆଗ୍ରହ ପ୍ରକାଶ କରୁ ନଥିଲେ ବି ମିଲର୍‌ ଏବଂ ଯୋଗାଣ ବିଭାଗର ଚାପ ଯୋଗୁଁ ସେମାନେ ବାଧ୍ୟ ହେଉଛନ୍ତି।

କୌଣସି ଚାଷୀ ମଣ୍ଡିରେ ଧାନ ଗଦା କରି ଓଜନ କରିବାକୁ କୁହେ, ତେବେ ଉପସ୍ଥିତ କର୍ମଚାରୀମାନେ ତତ୍କାଳ ତାଙ୍କ ଧାନ ଓଜନ କରନ୍ତି ନାହିଁ। ଧାନର ସୁରକ୍ଷା ଦୃଷ୍ଟିରୁ ଚାଷୀ ସେଠାରେ ଗଦା ନ କରି ଅଖା ସହ ବିକ୍ରି କରିଦେଇଥାନ୍ତି। ଧାନ ସହ ଅଖା ବିକ୍ରି କରିବା ପରେ ମିଲ୍‌ର ଉକ୍ତ ଅଖାକୁ ନେଇ ପୁଣି ଗୋଦାମ ଜରିଆରରେ ପରବର୍ଷ ୩୫ ଟଙ୍କା ହିସାବରେ ଚାଷୀଙ୍କୁ ବିକ୍ରି କରିଦିଏ। ଏହି ପ୍ରକ୍ରିୟାରେ ମିଲର୍‌ ମାଲାମାଲ ହେଉଥିବା ବେଳେ ଚାଷୀମାନେ କୋଟିକୋଟି ଟଙ୍କା କ୍ଷତି ସହୁଛନ୍ତି।

 

ସମ୍ବନ୍ଧିତ ଖବର