ନୂଆପଡ଼ା: ନୂଆପଡ଼ା ଜିଲ୍ଲା ୫ଟି ବ୍ଲକ୍‌ର ବିଭିନ୍ନ ଗାଁରେ ଧାନ ଫସଲରେ ଚକଡ଼ା ପୋକ ମାଡ଼ିଗଲେଣି। ଔଷଧ ସିଞ୍ଚନ କଲେ ମଧ୍ୟ ପୋକ ନିୟନ୍ତ୍ରଣ ହେଉନାହିଁ। ଜିଲ୍ଲାର ବୋଡ଼େନ, ଖଡ଼ିଆଳ, ସିନାପାଲି, କୋମନା, ନୂଆପଡ଼ା ବ୍ଲକ୍‌ ଅଞ୍ଚଳରେ ଧାନ ଫସଲରେ ଚକଡ଼ା ପୋକ ଲାଗିଛି। ଏବେ ଧାନଗଛରେ ଫୁଲ ଧରି ଥୋଡ଼ ବାହାରିଲାଣି। ଚକଡ଼ା ପୋକ ଧାନଗଛରେ ଲାଗି ରସ ଶୋଷି ନେଉଥିବାରୁ ଗଛ ସବୁ ନାଲି ପଡ଼ିଯାଉଛି। ଏହା ଗୋଟିଏ କିଆରିରୁ ଅନ୍ୟ କିଆରିକୁ ଦ୍ରୁତ ଗତିରେ ମାଡ଼ି ଚାଲୁଛି। ଧାନ ଫସଲକୁ କିପରି ସୁରକ୍ଷା ଦେବେ ତାକୁ ନେଇ ଚିନ୍ତାରେ ଚାଷୀ।

Advertisment

ଖଡ଼ିଆଳ ବ୍ଲକ୍‌ ନେହେନା ଗାଁର ବିଦ୍ୟାଧର ବିଶି, କାର୍ତ୍ତିକେଶ୍ୱର ମଲ୍ଲିକ, ଦାରା ବାଗ, ପ୍ରେମାନନ୍ଦ ଦଣ୍ଡସେନା, ଲିଙ୍ଗରାଜ ହେର୍ଣ୍ଣା, ଅଶୋକ ହେର୍ଣ୍ଣା, ବୋଧନକର ଦଣ୍ଡସେନା, ତରଣୀ ବିଶି, ମହେନ୍ଦ୍ର ଦଣ୍ଡସେନା, ରଘୁନାଥ ବାଗଙ୍କ ଜମିରେ ଚକଡ଼ା ପୋକ ଲାଗିଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ବୋଡ଼େନ ବ୍ଲକ୍‌ ବିନପୁର, ତେତେଲାପଡ଼ା, ଆମଗୁଡ଼ା, ବୁଢ଼ୀପଦର, ବିରୋଶକେଲା, କେରାପଦର, ପଲସାମାଲ, ରାଜପୁର, ଫରସରା ଗାଁର ବଳଦେବ ଛତରିଆ, ଗୋସ୍ୱାମୀ ନିଆଲ୍, ଧର୍ମୁ ନିଆଲ, ମଣ୍ଟୁ ଛତରିଆ, ଯୁଗେ ରାଉତଙ୍କ ଫସଲରେ ମଧ୍ୟ ଚକଡ଼ା ପୋକ ଲାଗିବା ସେମାନେ ପ୍ରକାଶ କରିଛନ୍ତି। କ୍ଷେତଗୁଡ଼ିକରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରି ଅବସ୍ଥା ହେଲାଣି ଯେ, ବିଲରୁ ଧାନ ତ ଧାନ କୁଟାଖିଅ ମଧ୍ୟ ଘରକୁ ଆସିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।

ଏ ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ କରିବାକୁ କୌଣସି କୃଷି ଅଧିକାରୀଙ୍କ ଦେଖା ମିଳୁନାହିଁ। ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଚାଷୀ ପ୍ୟାକ୍ସ ସହ ମହାଜନଠାରୁ ଋଣ ଆଣି ବିଲରେ ଭଲ ଧାନ ଫଳାଇଥିଲା। ହେଲେ ଅମଳ ସମୟରେ ନିରାଶ ହେବାକୁ ପଡ଼ିଛି। ଏବେ ଔଷଧ କିଣିବାକୁ ପାଖରେ ପଇସା ନାହିଁ। କୃଷି ବିଭାଗ ମାଗଣାରେ ଔଷଧ ଓ ସିଞ୍ଚନ ମେସିନ ଯୋଗାଇବାକୁ ଚାଷୀମାନେ ଦାବି ଜଣାଇଛନ୍ତି। ପୁଣି ନକଲି ଔଷଧ ବିକ୍ରି ହେଉଥିବାରୁ ଚକଡ଼ା ପୋକ ଠିକ୍‌ ଭାବେ ମରୁନାହାନ୍ତି। ଏଣେ ଚାଷୀ କ୍ଷତି ସହୁଛି। ଜିଲ୍ଲାର ବୋଡ଼େନ, ସିନାପାଲି, ଖଡ଼ିଆଳ ବ୍ଲକ୍‌ର ବିଭିନ୍ନ ଗାଁରେ ଶତାଧିକ ଚାଷୀଙ୍କ ଶହ ଶହ ଏକର ଚାଷଜମିରେ ଚକଡ଼ା ଲାଗି ଧାନ ଫସଲ ନଷ୍ଟ ହୋଇଯାଇଛି। ସେହିପରି ନେହେନା, ରାନୀମୁଣ୍ଡା,  ଶରଧାପୁର, କିରକିଟା, ଖାସବାହାଲ, ତୁକୁଲା ଆଦି ପଞ୍ଚାୟତରେ ମଧ୍ୟ ବହୁଳ ଭାବେ ଚକଡ଼ା ପୋକ ଲାଗିଥିବା ଦେଖିବାକୁ ମିଳିଛି। କୃଷି ବିଭାଗ କ୍ଷୟକ୍ଷତି ଆକଳନ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ମହାପାତ୍ରଙ୍କୁ ପଚାରିବାରୁ ଔଷଧ ସିଞ୍ଚନ ପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଛି, ସେମାନେ ବଜାରରୁ ଔଷଧ କିଣି ସିଞ୍ଚନ କରିପାରିବେ ଏବଂ ପରେ ରିହାତି ଦିଆଯିବ ବୋଲି ସେ ଜଣାଇଛନ୍ତି। ପାଣିପାଗ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଅଧିକ ଜମିରେ ଚକଡ଼ା ପୋକ ଲାଗିଥିବା ଆଲୋଚନା ହେଉଛି। ସିନାପାଲି ବ୍ଲକ୍‌ରେ ଅଧିକ ମାତ୍ରାରେ ଚକଡ଼ା ପୋକ ଲାଗିଥିବା ବେଳେ କୃଷି  ଅଧିକାରୀମାନେ ଚାଷୀମାନଙ୍କ ପାଖକୁ ଯାଇ ସଚେତନ କରୁଥିବା ସେ କହିଛନ୍ତି।