ପଣସର ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର: ପଣସ କଞ୍ଚାବେଳେ ଖାଇବାକୁ ଯେମିତି ସୁଆଦିଆ, ପାଚିଲେ ଆହୁରି ଅଧିକ ସୁଆଦିଆ। କିନ୍ତୁ ପଣସ ବିକି ଜୀବିକା ନିର୍ବାହ କରୁଥିବା ଆଦିବାସୀମାନେ ସବୁବେଳେ ଅଭାବୀ ବିକ୍ରିର ଶିକାର ହେଉଛି। ପଣସ ବିକ୍ରି ପାଇଁ କୌଣସି ବଜାର ବ୍ୟବସ୍ଥା ନଥିବାରୁ ବେପାରୀମାନେ ସେମାନଙ୍କୁ ସାମାନ୍ୟ କିଛି ଟଙ୍କା ଦେଇ ବାଡ଼ିରୁ ପଣସ କାଟି ନେଉଛନ୍ତି।

ପଣସ ପାଇଁ କେନ୍ଦୁଝର ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଘଟଗାଁ, ପାଟଣା, ହରିଚନ୍ଦନପୁର, କେନ୍ଦୁଝର ସଦର, ସାହାରପଡ଼ା, ବାଂଶପାଳ ଓ ତେଲକୋଇ ବ୍ଲକ୍‌ରେ ପ୍ରଚୁର ପରିମାଣର ପଣସ ଉତ୍ପାଦନ ହୋଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରୁ ବେପାରୀମାନେ ଆସି ଟନ୍‌ଟନ୍‌ ପଣସ କଠା ଏବଂ ପାଚିଲା ପଣସ ସଂଗ୍ରହ କରି ନେଇଥାନ୍ତି। ଅଳ୍ପ ପରିଶ୍ରମ ଓ କମ ଦେଖାରଖାରେ ପ୍ରଚୁର ପରିମାଣର ପଣସ ଉତ୍ପାଦନ ହେଉଥିଲେ ମଧ୍ୟ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ଲାଭବାନ ହୋଇପାରୁ ନାହିଁ।

ବାଂଶପାଳ, ତେଲକୋଇ ଏବଂ ଘଟଗାଁ ବ୍ଲକ୍‌ର ପ୍ରତ୍ୟେକ ଲୋକଙ୍କ ବାଡ଼ିରେ ନିଶ୍ଚିତ ଭାବେ ପଣସଗଛ ଥାଏ। ଗୋଟିଏ ଗଛରୁ ପ୍ରାୟ ୧ ଟନ୍‌ ପଣସ ଅମଳ ହୋଇଥାଏ। କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଭୁବନେଶ୍ବରରୁ ବେପାରୀମାନେ ପହଞ୍ଚି ଗାଁଗାଁ ବୁଲି ଟ୍ରକ୍‌ରେ ପଣସ କଠା ସଂଗ୍ରହ କରି ନେଇଥାନ୍ତି। ଗୋଟିଏ କଠା ପାଇଁ ବେପାରୀମାନେ ଆଦିବା‌ସୀଙ୍କୁ ମାତ୍ର ୩ରୁ ୫ ଟଙ୍କା ଦେଇଥାନ୍ତି। ଏକ କୁଇଣ୍ଟାଲ ପଣସ କଠା ବିକ୍ରି କଲେ ମାତ୍ର ୩ ଶହରୁ ୫ଶହ ଟଙ୍କା ମିଳିଥାଏ। ଗଛରେ ଥିବା ଅବଶିଷ୍ଟ ପଣସ ରଜ ବେଳେ ପାଚେ। ଏହା ସାବିତ୍ରୀ ଅମାବାସ୍ୟା ଓ ରଜ ବେଳେ ବିକ୍ରି ହୋଇଥାଏ। ଗଛରୁ ପଣସ ତୋଳି ବଜାରକୁ ଆଣି ବିକ୍ରି କରିବା କଷ୍ଟକର ହୋଇଥା‌ଏ। ଯଦି କେହି ଅଟୋ ଯୋଗେ ବଜାରକୁ ପଣସ ବିକ୍ରି କରିବାକୁ ଆଣିଲା, ତେବେ ବାଟ ଖର୍ଚ୍ଚ ମଧ୍ୟ ଉଠେ ନାହିଁ। ସେତେବେଳେ ମଧ୍ୟ ଲୋକେ ବେପାରୀଙ୍କୁ ୧୦ /୧୫ ଟଙ୍କାରେ ପଣସ ବିକ୍ରି କରି ଦେଇଥାନ୍ତି। ପାଚିଲା ପଣସର ମଞ୍ଜି ମଧ୍ୟ ବେଶ ଉପକାରୀ ଏବଂ ଔଷଧୀୟ ତତ୍ତ୍ୱରେ ଭରପୂର। ଏହାର ମଧ୍ୟ ବଜାରରେ ଭଲ ଚାହିଦା ରହିଛି। ଜିଲ୍ଲାରେ ପଣସରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ପାଇଁ ପ୍ରକ୍ରିୟାକରଣ ୟୁନିଟ୍‌ ନଥିବାରୁ କମ ଦରରେ ଚାଷୀ ପଣସ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଏ ସମ୍ପର୍କରେ ବାଂଶପାଳର ମନ୍ମଥ ଘଣା କହିଛନ୍ତି, ବାଡ଼ିରେ ଥିବା ପଣସ ବିକ୍ରି କରିବାକୁ ଚାହିଁଲେ ବି ବିକ୍ରି କରିପାରୁ ନାହୁଁ। କାରଣ ବଜାରକୁ ନେଇ ହୁଏନା। ‌ବେପାରୀଙ୍କୁ ଦେଲେ ଖୁବ କମ୍‌ ଟଙ୍କା ମିଳିଲେ। ତେଣୁ ବନ୍ଧୁବାନ୍ଧବଙ୍କୁ ବାଣ୍ଟି ଦିଆଯାଏ। ନଚେତ ଗଛରେ ପାଚି ନଷ୍ଟ ହୁଏ। କେନ୍ଦୁଝଦ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା ହେଲେ ପଣସରୁ ଅଚାର, ଚିପ୍‌ସ ଭଳି ଖାଦ୍ୟ ପ୍ରସ୍ତୁତ ହୋଇପାରନ୍ତା। ଚାଷୀ ମଧ୍ୟ ଉପଯୁକ୍ତ ମୂଲ୍ୟ ପାଆନ୍ତେ ବୋଲି ଶ୍ରୀ ଘଣା କହିଛନ୍ତି।

ସମ୍ବନ୍ଧିତ ଖବର