କ୍ଷେତରେ ପାଚିଲା ଧାନ, ବାତ୍ୟା ‘ଆସାନି’କୁ ନେଇ ଆଶଙ୍କାରେ ଚାଷୀ

କୋରେଇ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗୁରୁବାର ଦିନ ଲଘୁଚାପର ରୂପ ନେଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଶୁକ୍ରବାର ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଯାଜପୁର ଜିଲ୍ଲା ସମେତ ରାଜ୍ୟର ୧୮ଟି ଜିଲ୍ଲାକୁ ଏସ୍‌ଆରସି ସତର୍କ ସୂଚନା ଦେଇଛନ୍ତି। ଏହାକୁ ନେଇ କୋରେଇ ବ୍ଲକ୍‌ ଅଞ୍ଚଳର ରବିଧାନ ଚାଷୀଙ୍କ ମଧ୍ୟରେ ଛନକା ପଶିଛି।

କୃଷି ବିଭାଗରୁ ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ କୋରେଇ ବ୍ଲକ୍‌ର ଧନେଶ୍ବର, ପଥରପଦା, ମୂଳାପାଳ, ଅମୃତିଆ, କରଦା, ହଳଦିଗଡ଼ିଆ ଓ ବନ୍ଦାଳୋ ଆଦି ପଞ୍ଚାୟତରେ ପ୍ରାୟ ୫ ଶହ ହେକ୍ଟର ଜମିରେ ରବି(ଟାଇଚୁଙ୍ଗ) ଧାନଚାଷ ହୋଇଛି। ଅଧିକାଂଶ ଜମିରେ ଏବେ ଧାନ ପାଚି ଯାଇଥିବା ବେଳେ ଅମଳ ପୂର୍ବରୁ ଗ୍ରୀଷ୍ମଋତୁ ବାତ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି। ପ୍ରକାଶ ଯେ, ଗତବର୍ଷ ଖରିଫ ଫସଲ ମରୁଡ଼ି ପ୍ରଭାବିତ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏଯାଏ ବୀମା କ୍ଷତିପୂରଣ ଟଙ୍କା ମଧ୍ୟ ମିଳିପାରିନାହିଁ। ଏଭଳି ସମୟରେ ଗୁରୁରାଣ ମେଣ୍ଟାଇବାକୁ ବହୁ ଚାଷୀ ରବି(ଟାଇଚୁଙ୍ଗ) ଧାନ ଚାଷ ଉପରେ ନିର୍ଭର କରିଥିଲେ। ବାତ୍ୟା ହେଲେ ଏହି ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ତ ଦୋହଲିଯିବା ଆଶଙ୍କା ସୃଷ୍ଟି ହୋଇଛି।

ତେବେ ଗୁରୁବାର ଦିନ କୋରେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କୋରେଇ ବିଡିଓ ରଂଜନ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରେଇ ବ୍ଲକ୍‌ରେ ଥିବା ୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯିବା ସହିତ ସମସ୍ତ ସ୍କୁଲ୍‌ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବାକୁ ନିର୍ଦେଶ ଦିଆଯାଇଛି। ବ୍ଲକ୍‌ର ସମସ୍ତ ଆଶା, ଅଙ୍ଗନବାଡ଼ି କର୍ମୀ ଓ ହୋମଗାର୍ଡଙ୍କୁ ନେଇ ଏକ ଟିମ୍ ଗଠନ କରାଯିବା ସହ ଲଗାଣ ବର୍ଷା ହେଲେ ନଦୀ ତଟବର୍ତ୍ତୀ ଗ୍ରାମରେ କଚ୍ଚାଘର ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଆଜି କୃଷି ବିଭାଗ ପକ୍ଷରୁ ଚାଷୀଙ୍କ କ୍ଷେତ ପରିଦର୍ଶନ କରିବା ସହିତ ପାଚିଲା ଧାନ ତୁରନ୍ତ କାଟି ଆଣିବାକୁ ପରାମର୍ଶ ଦିଆଯାଇଛି। ବ୍ଲକ୍ ସରକାରୀ କୃଷି ଅଧିକାରୀ ଶରତ ଚନ୍ଦ୍ର ନାୟକ କହିଛନ୍ତି ଯେ, ବାତ୍ୟାରେ ଚାଷୀଙ୍କ ରବି ଫସଲ କ୍ଷତିଗ୍ରସ୍ତ ହେଲେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଏବେ ଯାଜପୁର ଜିଲ୍ଲାକୁ ବାତ୍ୟାର ପ୍ରଭାବ ଅଧିକ ନଥିବା ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଚାଷୀମାନେ ଭୟଭୀତ ନହେବାକୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି। ହେଲେ ଶହଶହ ହେକ୍ଟର ଜମିରେ ପାଚିଲା ଧାନ ପଡ଼ିରହିଥିବାରୁ ସମ୍ଭାବ୍ୟ ବାତ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର