ପାଇପ୍‌ଲାଇନ୍‌ ବିରୋଧକୁ ନେଇ ଧସ୍ତାଧସ୍ତି, ୨୩ ଚାଷୀଙ୍କୁ ଉଠାଇନେଲା ପୁଲିସ୍‌

କୁଜଙ୍ଗ : ପାରାଦୀପ-ହାଇଦ୍ରାବାଦ ପାଇପ୍‌ଲାଇନ ପାଇଁ ଚାଷୀମାନେ ଡିସିମିଲ ପ୍ରତି ୧୯ ହଜାର ଶହେ ଟଙ୍କା ଦାବି କରୁଥିବାବେଳେ ପ୍ରଶାସନ ଏହାର ୪୦ ପ୍ରତିଶତ ଦେବାକୁ ରାଜି ହୋଇଛି। ଫଳରେ ଚାଷୀମାନେ ଜମି ଛାଡ଼ିବାକୁ ରାଜି ହେଉନାହାନ୍ତି। ଫଳରେ ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଚାଷୀ ଓ ପୁଲିସ୍‌ ଆଜି ମୁହାଁମୁହିଁ ହୋଇଛନ୍ତି। ବିରୋଧ ସମୟରେ ପୁଲିସ୍‌-ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି। ୨୩ ଜଣ ଚାଷୀଙ୍କୁ କୁଜଙ୍ଗ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ୍‌ ଆବେଦନ ନାକଚ ହୋଇଯିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ବାଲିତୁଠ ଅ˚ଚଳର ଆଲିଗଡ଼, ବଡ଼ବୁଦା, ବିଜିପୁର, ଗପୁର, ବାଲିତୁଠ ଅ˚ଚଳର ୧୨୦ ଚାଷୀଙ୍କ ଜମି ଉପରେ ଏହି ପାଇପ୍‌ଲାଇନ୍‌ ଯାଇଛି। ଏହି ଚାଷୀମାନେ ବଜାର ମୂଲ୍ୟ ଅନୁଯାୟୀ ମୂଲ୍ୟ ଦେବାକୁ ଦାବି କରି ଆସୁଛନ୍ତି। ଏହି ଦାବିକୁ ନେଇ ଦୁଇ ସପ୍ତାହ ପୂର୍ବରୁ ଚାଷୀମାନେ ଧାରଣାରେ ବସିଥିଲେ। ଗତକାଲି ରାତିରେ କମ୍ପାନି ପକ୍ଷରୁ ହାଇଡ୍ରା ଯୋଗେ ପାଇପ୍‌ଲାଇନ ସ୍ଥାନାନ୍ତର କାର୍ଯ୍ୟ ଚାଲିଥିବାବେଳେ ଧାରଣାକାରୀ ବିରୋଧ କରିଥିଲେ। ଫଳରେ ପୁଲିସ ସହିତ ସେମାନଙ୍କ ଯୁକ୍ତିତର୍କରୁ ଉତ୍ତେଜନା ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଆଜି ମଧ୍ୟାହ୍ଣରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ସହିତ ତିର୍ତ୍ତୋଲ ଏସଡ଼ିପିଓ ଦୀପକ ରଞ୍ଜନ ଜେନାଙ୍କ ନେତୃତ୍ବରେ କୁଜଙ୍ଗ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ଏରସମା ଧାନା ଅଧିକାରୀ ପ୍ରଶାନ୍ତ କୁମାର ମାଝୀ, ଅଭୟଚାନ୍ଦପୁର ଥାନା ଅଧିକାରୀ ଯୁଗଳ କିଶୋର ଦାସ, ଜଗତସି˚ହପୁର ଏନର୍ଜି ଥାନା ଅଧିକାରୀ ପ୍ରଜ୍ଞା କର ପ୍ରମୁଖ ଧାରଣା ସ୍ଥଳରେ ପହ˚ଚିଥିଲେ। ସେମାନେ ବଳପ୍ରୟୋଗକରି କାମ ବନ୍ଦ କରୁଥିବା ଧାରଣାକାରୀଙ୍କୁ ଉଠାଇ ନେବାକୁ ଉଦ୍ୟମ ହେବାରୁ ଠେଲାପେଲା ହୋଇଥିଲା। କ୍ରମେ ଏହା ଚରମ ସୀମାରେ ପହଞ୍ଚିଥିଲା। ଏପରିକି ଆନ୍ଦୋଳନକାରୀମାନେ ପୁଲିସକୁ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ନେଇ କୁଜଙ୍ଗଥାନା ଅଧିକାରୀ ଶ୍ରୀ ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ ଧାରା ୧୪୩, ୧୪୭, ୧୪୮, ୨୯୪, ୩୦୭, ୩୩୨, ୩୨୪, ୫୦୬, ୧୮୬, ୩୫୪(କ) ୩୫୪(ଖ), ୨୬୯, ୨୭୦, ୧୪୯ଆଇପିସି, ୩ ଏମିଡେ଼ମିକ ଆମେଣ୍ତମେ˚ଟ ଆକ୍ଟ,୫୧(ଖ)ଡିଜାଷ୍ଟର ମ୍ୟାନେଜମେଣ୍ଟ୍ ଆକ୍ଟ, ୧୫ ପେଟ୍ରୋ ଆଣ୍ତ ପାଇପ୍‌ଲାଇନ ଆକ୍ୟୁଜିସନ ଆକ୍ଟ, ପିଡ଼ିପିପି ଆକ୍ଟରେ ମାମଲା ରୁଜୁ ହୋଇଛି। ପୁଲିସ ଧାରଣାସ୍ଥଳରୁ ମାନସରଞ୍ଜନ କର, ମହେନ୍ଦ୍ର ଜେନା, ଅଖିଳ ବଲ୍ଲଭ ସ୍ବାଇଁ, କବିତା ମହାପାତ୍ର, ସୁନାମଣି ଜେନାଙ୍କ ସମେତ ୨୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଗିରଫ କରୁଥିବା ବେଳେ ସେହି ରାସ୍ତାରେ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ସଂଜୟ ନାୟକ ନାମକ ଜଣେ ଯୁବକ ଫସି ଯାଇଥିଲେ। ରଜ ଭାର ଦେବା ପାଇଁ କୁଜଙ୍ଗର ସଂଜୟ ସେ ଠିଆ ହୋଇ ରାସ୍ତାରୋକ ସମ୍ପର୍କରେ ପଚାରି ବୁଝୁଥିବା ବେଳେ ପୁଲିସ୍‌ ତାଙ୍କୁ ମଧ୍ୟ ଆନ୍ଦୋଳନକାରୀଙ୍କ ସହ ଉଠାଇ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର