ବାଲେଶ୍ବର: କେତେବେଳେ ଚାଷୀଙ୍କୁ ବିହନ ମିଳୁନି ତ କେତେବେଳେ ସାରର ଅଭାବ। ଆଉ କେତେବେଳେ କ୍ଷେତରେ ବିଷ ପକାଇ ଉଜୁଡ଼ିଯାଉଛି ଫସଲ। ଏହା ଉପରେ ପୁଣି ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ଉପରେ ଦାଉ ସାଜୁଛି। ଏସବୁ ସମସ୍ୟା ସହ ଜୁଝି ଜୁଝି ଶେଷରେ ନିଜ ଝାଳବୁହା ଫସଲକୁ ବିକ୍ରି କରିବା ପାଇଁ ଚାଷୀଙ୍କୁ ନାକେଦମ୍ ହେବାକୁ ପଡ଼ୁଛି। ଦେଶବାସୀଙ୍କ ଭାତହାଣ୍ଡି ସାଜିଥିବା ଚାଷୀ ବର୍ଷସାରା ଏମିତି ଅସୁବିଧା ଭୋଗୁଛନ୍ତି। ଏବେ ଜିଲ୍ଲାରେ ଅଧିକାଂଶ ସମବାୟ ସମିତିରେ ସାର ନ ରହିବା ଏବଂ ସାରକୁ ନେଇ କଳାବଜାରୀ ମୁଖ୍ୟ ସମସ୍ୟା ପାଲଟିଛି।
ଚାଷୀ ଠିକଣା ସ୍ଥାନରୁ ସାର ନ ପାଇ ବାହାରୁ ସାର କିଣୁଛନ୍ତି। ଅନ୍ୟପକ୍ଷରେ ଯେଉଁ ସାର ମିଳୁଛି ଏଥିରେ ଗୁଣବତ୍ତା ରହୁନଥିବା ଅଭିଯୋଗ ହୁଏ। ଏଥିପ୍ରତି କୃଷି ବିଭାଗ ପକ୍ଷରୁ ଯାଞ୍ଚ୍ କି ନମୁନା ପରୀକ୍ଷା ହେଉନାହିଁ। ମୁଣ୍ଡରୁ ଦୋଷ ଖସାଇବା ପାଇଁ ଯେଉଁ ହାତଗଣତି କେତୋଟି ନମୁନାକୁ ଭୁବନେଶ୍ବର ଲାବରୋଟୋରୀକୁ ପଠାଯାଉଛି ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବାରୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହୋଇପାରୁନାହିଁ। କୃଷି ବିଭାଗର ଏହି ଅବ୍ୟବସ୍ଥା ଭିତରେ ବଳି ପଡ଼ୁଛନ୍ତି ଚାଷୀକୁଳ। ଜିଲ୍ଲାରେ ୧୪୩ ସମବାୟ ସମିତି ରହିଥିବା ବେଳେ ଏଥିରୁ ୬୦ ପ୍ରତିଶତ ସମବାୟ ସମିତିରେ ସାର ନାହିଁ। ଧାନ କିଣିବାରେ ସମବାୟ ସମିତି ଯେତିକି ଗୁରୁତ୍ବ ଦେଉଛି ଚାଷୀଙ୍କ ପାଇଁ ସାର ରଖିବାକୁ ଗୁରୁତ୍ବ ଦେଉନାହିଁ। କର୍ମଚାରୀ ଅଭାବ, ଧାନ ଭର୍ତ୍ତି ରହିବା ଏବଂ ଗୋଦାମ୍ ନଥିବାରୁ ସାର ରଖିବା ସମ୍ଭବପୁର ନୁହେଁ ବୋଲି ସମିତି ସଫେଇ ଦେଉଛି। ଅନ୍ୟପକ୍ଷରେ ପୂର୍ବରୁ ଜିଲ୍ଲାକୁ ଖରିଫ୍ ଧାନ ଚାଷ ପାଇଁ ୫୫ ହଜାର ମେଟ୍ରିକ୍ ଟନ୍ ସାର ଆସୁଥିବା ବେଳେ ଏବେ ଏହା ୪୫ ହଜାର ମେଟ୍ରିକ୍ ଟନ୍ ଆସୁଛି। ସେହିପରି ରବି ଧାନ ଚାଷ ପାଇଁ ପାଖାପାଖି ୩୦ ହଜାର ମେଟ୍ରିକ୍ ଟନ୍ ଆସୁଥିବା ବେଳେ ଏବେ ୧୮ ହଜାର ମେଟ୍ରିକ୍ ଟନ୍ ଆସୁଥିବା ଜଣାଯାଇଛି।
ସାର କଳାବଜାରୀକୁ ରୋକିବା ପାଇଁ କିଛିବର୍ଷ ତଳେ ସରକାର ସାର କିଣାରେ ସ୍ବଚ୍ଛତା ଆଣିଥିଲେ। ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ୮ ଶହ ପାଖାପାଖି ରହିଥିବା ବ୍ୟବସାୟୀଙ୍କୁ ୭୨୦ ମେସିନ୍ କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ଆଧାରକାର୍ଡ ଦେଖାଇ ଚାଷୀଙ୍କୁ ବ୍ୟବସାୟୀ ସାର ଦେଉଛନ୍ତି। ବହୁ ସମୟରେ ଏହି ମେସିନ୍ ବ୍ୟବହାର କରାଯାଉନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଚାଷୀଙ୍କୁ ଯେତେବେଳେ ସାର ଦରକାର ପଡ଼ୁଛି ଠିକ୍ ସମୟରେ ମିଳୁନାହିଁ। ନମିଳିବା ପଛରେ କାରଣ ବୁଝିବାରୁ, ସାର ଚାହିଦା ଟାର୍ଗେଟ୍ ପୂରଣ ହେଲା ପରେ ରୢାକ୍ ଆସୁଛି। ଅର୍ଥାତ୍ ଯେପର୍ଯ୍ୟନ୍ତ ରୢାକ୍ ପୂରଣ ନେଇ ଟାର୍ଗେଟ୍ ହୋଇନାହିଁ, ସେପର୍ଯ୍ୟନ୍ତ କମ୍ପାନିରୁ ସାର ଆସୁନାହିଁ। ଏହା ଭିତରେ ଚାଷୀ ବାଧ୍ୟ ହୋଇ ସାର ବାହାରୁ କିଣୁଛନ୍ତି।
ବହୁ ସମୟରେ ବ୍ୟବସାୟୀ ଯେଉଁ ସାର ଦେଉଛନ୍ତି କିଛି ନବୁଝି ନଜାଣି ଚାଷୀ କ୍ଷେତ୍ରରେ ବ୍ୟବହାର କରୁଛନ୍ତି। ଆଉ ଅଧିକ ଅମଳ ଆଶା ରଖିଥିବା ଚାଷୀ ଶେଷରେ ଫସଲକୁ ଉଜାଡ଼ି ଦେଉଛି। ସେହିପରି ଯେଉଁ ବ୍ୟବସାୟୀଙ୍କ ଲାଇସେନ୍ସ ରହିଛି ସେମାନେ ସାର ଆଣି ଅନ୍ୟ ଦୋକାନୀଙ୍କୁ ଦେଉଛନ୍ତି। ଆଉ ପରେ ଏହି ସାର୍ରେ ନିମ୍ନମାନର ସାରକୁ ଭେଜାଲ କରି ଚାଷୀଙ୍କୁ ପ୍ରଦାନ କରାଯାଉଛି। ଅଧିକ ମୁନାଫା ପାଇଁ ସାରରେ ଅପମିଶ୍ରଣ କରାଯାଇ ଲାଭବାନ୍ ହେଉଛନ୍ତି ଦୋକାନୀ। କୃଷି ବିଭାଗ ପକ୍ଷରୁ ଯାଞ୍ଚ୍ ହେଉନଥିବାରୁ ଏହାର ପୂରା ଫାଇଦା ନେଉଛନ୍ତି ଦୋକାନୀ। ବଜାରରେ ନକଲି ସାର ମିଳୁଥିବା ଅଭିଯୋଗ ହୋଇଛି। ହେଲେ ଏ ଦିଗରେ ଆଦୌ ଯାଞ୍ଚ୍ ହେଉନାହିଁ।
ସମବାୟ ସମିତିରେ ସାର ରହିଲେ ଏତେ କଳାବଜାରୀ ହୋଇପାରନ୍ତା ନାହିଁ ବୋଲି କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏ ନେଇ ପଚାରିବାରୁ ସାର ବିକ୍ରି ପାଇଁ ସମବାୟ ସମିତିକୁ ମେସିନ୍ ପ୍ରଦାନ କରାଯାଇଛି। ହେଲେ ବିଭିନ୍ନ ଆଳ ଦେଖାଇ ସମିତି ସାର ନେଉନାହିଁ। ଯାହାଫଳରେ ଚାଷୀ ବାହାରୁ ଅଧିକ ମୂଲ୍ୟରେ ସାର କିଣୁଛନ୍ତି। ଯେଉଁ ସମବାୟ ସାର୍ ନେଉନାହାନ୍ତି ସେମାନଙ୍କୁ ଦିଆଯାଇଥିବା ମେସିନ୍ ଫେରାଇବାକୁ ବାରମ୍ବାର ଚିଠି କରାଯାଇଛି। ହେଲେ କିଛି ସୁଫଳ ହୋଇନଥିବା ସେ କହିଛନ୍ତି।