ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରତ୍ୟାହାର, ରାଜ୍ୟର ବିଭିନ୍ନ ମଣ୍ଡିରେ ଲକ୍ଷାଧିକ ଅବିକ୍ରି ଧାନ ବସ୍ତାକୁ ନେଇ ଆଜି ରାଜଧାନୀ ପିଏମଜି ଛକରେ ଗର୍ଜିଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀ ସଙ୍ଗଠନ। ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ବାନକ୍ରମେ ବିଭିନ୍ନ କୃଷକ ସଂଗଠନ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ସମ୍ବଲପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅଧ୍ୟାଦେଶ ଜରିଆରେ ପୂର୍ବରୁ ଅଣାଯାଇଥିବା ଚୁକ୍ତି ଭିତ୍ତିକ ଚାଷ ଆଇନ ୨୦୨୦ ଏବଂ କୃଷି ବଜାରର ସମ୍ପୂର୍ଣ୍ଣ କର୍ପୋରେଟକରଣ ଆଇନ ୨୦୨୦କୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହି ଦାବିଗୁଡ଼ିକୁ ନେଇ ଫେବ୍ରୁଆରି ୨୮ ତାରିଖରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ପକ୍ଷରୁ ଚାଷୀମାନେ ସମ୍ବଲପୁରରୁ ବାଇକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଜିଲ୍ଲା ଦେଇ ଆଜି ରାଜଧାନୀରେ ପହଞ୍ଚିଥିଲେ। ଏଠାରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା ଚାଷୀମାନେ ସାମିଲ ହୋଇଥିଲେ। ମାର୍ଚ ୨୩ ତାରିଖ ଦିନ ଭଗତ ସିଂହ, ସୁଖଦେବ, ରାଜଗୁରୁଙ୍କ ବଳିଦାନ ଦିବସରେ ରାଜଧାନୀରେ ବିଶାଳ ଚାଷୀ ସମାବେଶ ହେବ ବୋଲି ଚାଷୀ ନେତାମାନେ ଏହି ଅବସରରେ ଘୋଷଣା କରିଛନ୍ତି।
କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ପର୍ଯ୍ୟାୟରେ ପୃଥକ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ସଙ୍ଗଠନଗୁଡ଼ିକ ଆନ୍ଦୋଳନ କରୁଥିଲେ। ରାଜ୍ୟରେ ଧାନ ଅବିକ୍ରି, ଟୋକନ ସମସ୍ୟା ଚାଷୀ ସଙ୍ଗଠନଗୁଡ଼ିକ ମଧ୍ୟରେ ଅଧିକ ଅସନ୍ତୋଷ ସୃଷ୍ଟି କରିଥିଲା। ଆଜି ଚାଷୀ ନେତାମାନେ କହିଥିଲେ ଯେ ୨୦୦୩ ମସିହାରେ ପ୍ରଥମ କରି ନୀତିଗତ ପରିବର୍ତ୍ତନ କରି ମଣ୍ଡି ଜରିଆରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିଯୋଗୁଁ ଏଠାରେ ଧାନ ଉତ୍ପାଦନର ରେକର୍ଡ ସୃଷ୍ଟି ହୋଇଛି। ତେବେ ୧୬ ବର୍ଷ ପରେ ବି ରାଜ୍ୟରେ ମଣ୍ଡି ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ। ଫଳରେ ଚାଷୀମାନେ ଏମ୍ଏସ୍ପିରୁ ବଞ୍ଚିତ ହୋଇ ଘରୋଇ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ଯୋଗାଣ ବିଭାଗ ପ୍ରତିଦିନ ନୂଆ ନୂଆ ନିୟମ ତିଆରି କରୁଛି। ଗତବର୍ଷର ତ୍ରୁଟିପୂର୍ଣ୍ଣ ଟୋକନ ନୀତି ଯୋଗୁଁ ଧାନ ବିକ୍ରି କରି ନ ପାରି ଅନେକ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ଏହି ଅବସରରେ ସଙ୍ଗଠନ ପକ୍ଷରୁ ଏମ୍ଏସ୍ ସ୍ବାମୀନାଥନ୍ କମିସନଙ୍କ ସୁପାରିସ କ୍ରମେ ଏମଏସପି ନିର୍ଧାରଣ, ଚାଷୀଙ୍କୁ ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ, ଟୋକନ ପାଇ ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନକୁ ଏମଏସପିରେ କ୍ରୟ, ବିଧାନସଭାରେ ପାରିତ ସର୍ବଦଳୀୟ ସଙ୍କଳ୍ପ ପ୍ରସ୍ତାବ ଅନୁଯାୟୀ ୨୯୩୦ ଟଙ୍କାରେ ଧାନ କ୍ରୟ, ୧ ହଜାର ଟଙ୍କା ବୋନସ ପ୍ରଦାନ, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ୨୩ଟି ଫସଲର ଏମଏସପିକୁ ସୁନିଶ୍ଚିତ କରିବା, ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ, ଆଦିବାସୀ, ପାରମ୍ପରିକ କୃଷିଜାତ ସାମଗ୍ରୀ, ଲଘୁବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ପାଇଁ ଦାବି ହୋଇଥିଲା।
ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଲିଙ୍ଗରାଜ, ଅଶୋକ ପ୍ରଧାନ, ସରୋଜ, ମୁରାରୀ ପୁରୋହିତ, ଅଖିଳଭାରତ କୃଷକ ସଭାର ଅଶୋକ ପ୍ରଧାନ, ଓଡ଼ିଶା କୃଷକ ସଭାର କ୍ଷୀରୋଦ ସିଂହଦେଓ, ଅଲ ଇଣ୍ଡିଆ କିଶାନ ମଜଦୁର ସଭାର ଭାଲଚନ୍ଦ୍ର, ଓଡ଼ିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଅଲ ଇଣ୍ଡିଆ କ୍ରାନ୍ତିକାରୀ କିଷାନ ସଭାର ଶଙ୍କର ସାହୁ, ଅଲ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭାର ଜ୍ୟୋତିରଞ୍ଜନ ମହାପାତ୍ର, ଇଣ୍ଡିଆନ୍ ସୋସିଆଲ ଆକ୍ସନ ଫୋରମ୍ର ନରେନ୍ଦ୍ର ମହାନ୍ତି, ଚାଷୀ ମୂଲିଆ ସଂଗ୍ରାମ ସୁରକ୍ଷା ପରିଷଦର ବଳଭଦ୍ର ମାଝି, ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନର ରଘୁନାଥ ଦାଶ, ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭାର ଶ୍ରୀକାନ୍ତ ମହାନ୍ତି, ନ୍ୟାସିନାଲ ଆଲିଆନ୍ସ ଅଫ ପିପୁଲସ୍ ମୁଭମେଣ୍ଟର ପ୍ରଫୁଲ୍ଲ ସାମନ୍ତରାଏ, ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସଚିନ ମହାପାତ୍ର, ଚାଷୀ ମୂଲିଆ ସଂଗ୍ରାମ ସୁରକ୍ଷା ପରିଷଦର ବଳଭଦ୍ର ମାଝି, ଚାଷୀ ଅଧିକାର ସଂଗ୍ରାମ ମଞ୍ଚର ସଚିନ ମହାପାତ୍ର, ଲୋହିଆ ଏକାଡେମିର ଦେବ ପ୍ରସାଦ ରାୟ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/464d56hfs54f56h4fs65h4f5s6.jpg)