ବାମରା/ଗଡ଼ପୋଷ : ଫସଲ ବୀମା ଓ ଅନ୍ୟାନ୍ୟ ଦାବିରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆହ୍ବାନ କ୍ରମେ ସୋମବାର ବାମରା ଓ ସଗରା ରେଳ ଷ୍ଟସନରେ ହଜାର ହଜାର ଚାଷୀ ରେଳ ଧାରଣାରେ ବସି ରେଳରୋକ କରିଥିଲେ। ଫଳରେ ଏହି ରେଳପଥରେ ୪ ଘଣ୍ଟା ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା।
ବାମରା ବ୍ଲକ ଦେଇ ଯାଇଥିବା ଦକ୍ଷିଣ ପୂର୍ବ ରେଳ ପଥର ସଗରାରୁ ବାମରା ଷ୍ଟେସନ୍ ପର୍ଯ୍ୟନ୍ତ ଦୀର୍ଘ ୨୨ କିମି ରାସ୍ତାକୁ ଅବରୋଧ କରିବା ପାଇଁ ଗତ ୨୪ ତାରିଖରେ ବାମରା ନିକଟସ୍ଥ କେଛୁପାଣିଠାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଦ୍ବାରା ଆୟୋଜିତ ସଭାରେ ୧୧ଟି ଜିଲ୍ଲାର ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତରେ ନିଷ୍ପତ୍ତି ହୋଇଥିଲା। ତେଣୁ ଆଜି ସକାଳ ୯ଟାରେ ହଜାର ହଜାର ପୁରୁଷ ଓ ମହିଳା ଚାଷୀ ରେଳ ଷ୍ଟେସନ୍ ନିକଟସ୍ଥ ହାଟ ପଡ଼ିଆରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ୍ ଦେଇ ରେଳ ଧାରଣାକୁ ଆସିଥିଲେ। ପରେ ଚାଷୀମାନେ ଉଭୟ ଅପ ଓ ଡାଉନ୍ ଲାଇନ ଟ୍ରାକ୍ରେ ବସି ରହିଥିଲେ। ଫଳରେ ଏହି ବ୍ୟସ୍ତ ବହୁଳ ରେଳ ପଥରେ ରେଳ ଚଳାଚଳ ଠପ୍ ହୋଇଯାଇଥିଲା। କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନ, ବାମରାର ଆବାହକ ଯୋଗ ବିହାରୀ ପରିଡ଼ା, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଓ ରାଜେନ୍ଦ୍ର ଛତ୍ରିଆ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ, ଜିଲ୍ଲା କୃଷକ ସଂଗଠନ ସଭାପତି ମୁରାରୀ ପୁରୋହିତ ପ୍ରମୁଖ ଯୋଗ ଦେଇ ଚାଷୀଙ୍କୁ ପ୍ରୋତ୍ସାହିତ କରିଥିଲେ।
ଅନୁରୂପ ଭାବେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ଉପଖଣ୍ଡ କୃଷକ ସଂଗଠନର ଆବାହକ କୁଶଧ୍ଵଜ ଚୌଧୁରୀ, ମୁରାରୀ ପୁରୋହିତ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଓ ରବି ନାରାୟଣ ନାଏକ ପ୍ରମୁଖଙ୍କ ନେତୃତ୍ବରେ ବାମରା ଷ୍ଟେସନରେ ମଧ୍ୟ ୫ ହଜାରରୁ ଅଧିକ ଚାଷୀ ରେଳରୋକ କରିଥିଲେ। ଫଳରେ ବାମରା ରେଳ ଷ୍ଟେସନ୍ରେ ଜମ୍ମୁ-ତୱି ଏକ୍ସପ୍ରେସ, ଦୁଇଟି ମେମୁ ଟ୍ରେନ୍ ଅଟକି ରହିଥିଲା। ସେହିପରି ରାଜଗାଙ୍ଗପୁରଠାରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ରାଉରକେଲାରେ ରାଜଧାନୀ, ଦୁରନ୍ତ ଓ ଝାରସୁଗୁଡ଼ାରେ ଦକ୍ଷିଣ ବିହାର ଓ ଇସ୍ପାତ ଏକ୍ସପ୍ରେସ୍ ଅଟକି ରହିଥିଲା। ଖବର ପାଇ ଉପ ଜିଲ୍ଲାପାଳ ବିଶ୍ବରଂଜନ ନାଏକ ଏବଂ ପୁଲିସ ଓ ରେଳ ବିଭାଗର ଅଧିକାରୀମାନେ ପ୍ରମୁଖ ରେଳ ଷ୍ଟେସନରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା।